ଭଞ୍ଜନଗର, ୨୩/୧୦(ପିପିଟି):ଆଲୋକର ପର୍ବ ଦୀପାବଳି ଠାରୁ ଆରମ୍ଭ ହୋଇଯାଇଛି କାଳୀପୂଜା। ଭଞ୍ଜନଗର ସହରର ହାର୍ଟ ନଗର ଠାରେ ଘୁମୁସର ସମ୍ମିଳିତ ବନ ପରିବାର ଏବଂ ଜଳସମ୍ପଦ ବିଭାଗ ପକ୍ଷରୁ ଡହ ଠାରେ ମା’ଶ୍ୟାମା କାଳୀ ପୂଜା ଧୁମ୍ଧାମରେ ଚାଲିଛି।ମା’ ଙ୍କର ଦର୍ଶନ ପାଇଁ ସନ୍ଧ୍ୟା ଆଳତୀ ସମୟରେ ବହୁ ଭକ୍ତଙ୍କ ସମାଗମ ହେଉଛି।ଦୁଇଦିନ ହେବ ଉଭୟ ପୂଜା ମଣ୍ଡପ ସମ୍ମୁଖରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି।ଏହା ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ଜମୁଛି। ଏଥିସହ ହାର୍ଟ ନଗରରେ ବିଭିନ୍ନ ପ୍ରକାର ପାରମ୍ପରିକ ଖାଦ୍ୟ ଷ୍ଟଲ ଖୋଲିଛି। ସେଗୁଡ଼ିକରେ ମଧ୍ୟ ଭିଡ଼ ଜମୁଛି। ହାର୍ଟ ନଗରରେ ମଙ୍ଗଳବାର ସନ୍ଧ୍ୟାରେ ଭଞ୍ଜନଗର ସହରର ଅଗ୍ରଣୀ ନୃତ୍ୟାନୁଷ୍ଠାନ ୟୁନିକ ଡ୍ୟାନ୍ସ ଏକାଡେମୀ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।ଏହାକୁ ବହୁ ସଂଖ୍ୟାରେ ଦର୍ଶକ ଉପଭୋଗ କରିଥିଲେ।ସେହିପରି ବୁଧବାର ସନ୍ଧ୍ୟାରେ କନ୍ଧମାଳ ଏମ୍ପି ସୁକାନ୍ତ କୁମାର ପାଣିଗ୍ରାହୀ, ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ, ସୋରଡା ବିଧାୟକ ନୀଳମଣି ବିଷୋୟୀ, ଘୁମୁସର ନର୍ଥ ଡିଏଫ୍ଓ ହିମାଂଶୁ ଶେଖର ମହାନ୍ତି, ଘୁମୁସର ସାଉଥ ଡିଏଫ୍ଓ ବିପାସା ପାରୁଲ, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର ପ୍ରମୁଖ ପୂଜା ମଣ୍ଡପରେ ପହଞ୍ଚି ମା’କାଳୀଙ୍କୁ ଦର୍ଶନ କରିବା ପରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ କ୍ରୀଡ଼ା କ୍ଷେତ୍ରରେ ସଫଳତା ହାସଲ କରିଥିବା ବନ ବିଭାଗ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।ଶେଷରେ ବନ ବିଭାଗ କର୍ମଚାରୀଙ୍କ ପିଲାମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସେହିଭଳି ଡହରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ସେଠାରେ ପୌରାଣିକ ନାଟକ ପରିବେଷଣ ହୋଇଥିଲା। ଭଞ୍ଜନଗର ଜଳସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ସଞ୍ଜୟ ପ୍ରଧାନ,ଡହ ସହକାରୀ ନିର୍ବାହୀ ଯନ୍ତ୍ରୀ ପଞ୍ଚୁ ବେହେରା, ଭଞ୍ଜନଗର ନିର୍ବାହୀ ଯନ୍ତ୍ରୀ ସନ୍ତୋଷ ପାତ୍ର ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ।ଆଖପାଖ ଅଞ୍ଚଳର ବହୁ ଲୋକ କାର୍ଯ୍ୟକ୍ରମ ରେ ଭିଡ଼ ଜମେଇଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)