ହାତକୁ କାମ ପାଇଁ ସି.ପି.ଆଇ(ଏମ୍ -ଏଲ୍) ରେଡଷ୍ଟାର ପକ୍ଷରୁ ଗଣଧାରଣା ।

0 194

ହିଞ୍ଜିଳିକାଟୁ,୧୮/୦୨(ପିପିଟି) ସି.ପି.ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ହିଞ୍ଜିଳିକାଟୁ ବ୍ଳକ କମିଟି ନେତୃତ୍ୱରେ ଆଜି ବଡଖଣ୍ଡି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ୧୬ ଦଫା ଦାବିରେ ଗଣଧାରଣା ଅନୁଷ୍ଠିତ ହୋଇଯାଇଛି । ଗଣଧାରଣା ସ୍ଥଳରୁ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜରିଆରେ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଭାରତ ଭଳି ଏକ ଗଣତାନ୍ତ୍ରିକ ଦେଶରେ ପ୍ରତ୍ୟେକ ମଣିଷର ସମ୍ମାନଜନକ ଭାବେ ବଞ୍ଚିବାର ଅଧିକାର ରହିଛି। ବ୍ୟାପକ ଜନଗଣଙ୍କ ଖାଦ୍ୟ,ବସ୍ତ୍ର, ବାସଗୃହ ସମେତ ଜୀବିକାର୍ଜନ କରିବାର ସର୍ବନିମ୍ନ ପନ୍ଥାରୁ ବଞ୍ଚିତ। ଗ୍ରାମାଞ୍ଚଳରେ ସମ୍ମାନ ଜନକ ଭାବେ ବଞ୍ଚିବା ପାଇଁ କର୍ମ ସଂସ୍ଥାନର ସଙ୍କଟ ଯୋଗୁଁ ଉତ୍କଟ ବେକାରୀ ଏବଂ ଦାଦନ ସମସ୍ୟା ବୃଦ୍ଧି ପାଉଛି। ସମ୍ବିଧାନର ନିର୍ଦ୍ଦେଶନାମା ନୀତିର ଧାରା ୩୯ (କ) ଏବଂ ଧାରା ୪୧ ଅନୁଯାୟୀ, ସମସ୍ତ ନାଗରିକଙ୍କୁ ସମ୍ମାନଜନକ ନିଯୁକ୍ତି ଯୋଗାଇବା ରାଷ୍ଟ୍ରର କର୍ତ୍ତବ୍ୟ ହୋଇଥିବା ସମୟରେ ନାଗରିକଙ୍କ ଅଧିକାର ପ୍ରତି ଅବହେଳା କରାଯାଉଛି ବୋଲି ସି.ପି.ଆଇ(ଏମ୍ -ଏଲ୍) ରେଡଷ୍ଟାର ନେତ୍ରୀ ପି ପାର୍ବତୀ ପ୍ରକାଶ କହିଛନ୍ତି। ଏହାର ସମାଧାନ ପାଇଁ ୧୬ ଦଫା ଦାବି ମଧ୍ୟରେ ସମସ୍ତଙ୍କ ହାତକୁ କାମ ଏବଂ ଆବେଦନର ୭ ଦିନ ମଧ୍ୟରେ ନରେଗା ଶ୍ରମିକଙ୍କୁ କାମ, ସର୍ବନିମ୍ନ ମଜୁରୀକୁ ସୁନିଶ୍ଚିତ କରିବା, ସମାନ କାମକୁ ସମାନ ମଜୁରୀ, ପାନୀୟଜଳ ନିୟମିତ କରିବା, ସମସ୍ତ ବୃଦ୍ଧ, ଭିନ୍ନକ୍ଷମ ଓ ଅସହାୟ ବ୍ୟକ୍ତିଙ୍କୁ ତୁରନ୍ତ ଭତ୍ତା, ୪ ମାସ ଧରି ଭତ୍ତା ପାଉନଥିବା ହିତାଧିକାରୀଙ୍କୁ ଭତ୍ତା ଦେବା, ସମସ୍ତ ୮୦% ଭିନ୍ନକ୍ଷମ ଏବଂ ୮୦ ବର୍ଷୀୟ ବୟସ୍କ ହିତାଧିକାରୀଙ୍କୁ ୩୫୦୦ ଟଙ୍କା ଭତ୍ତା, ମାସ ମାସ ଧରି ପାଇନଥିବା ଶ୍ରମିକଙ୍କୁ ମଜୁରୀ ପ୍ରଦାନ କରିବା, ଡିଲିଟ ହୋଇଥିବା ପ୍ରକୃତ ଶ୍ରମିକଙ୍କ ଜବକାର୍ଡ ଭୂମିହୀନ, ବାସହୀନ ମାନଙ୍କୁ ତୁରନ୍ତ ବାସଗୃହ, କୋଠଘର ଓ ବିଜୁଳି ଖୁଣ୍ଟରେ ବିଜୁଳି ଆଲୁଅ, ରାସନକାର୍ଡ ରେ ନାମ ସଂଶୋଧନ, ପରିବାର ର ନାମ ଯୋଡିବା, ସ୍ଥାନାନ୍ତର କ୍ଷେତ୍ରରେ କ୍ଷେତ୍ରରେ ତୁରନ୍ତ ପଦକ୍ଷେପ, ଅନ୍ତୋଦୟ ଯୋଜନା ଓ ସୁଭଦ୍ରା ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରିବା ଆଦି ଦାବି ରଖାଯାଇଛି । ଏହି ଗଣ ଧାରଣାରେ ସି.ପି.ଆଇ(ଏମ୍ -ଏଲ୍) ରେଡ୍ ଷ୍ଟାର ଜିଲ୍ଲା ସଂପାଦକ ଶଙ୍କର ଇନକିଲାବ ନିଜ ବକ୍ତବ୍ୟରେ ପ୍ରକାଶ କରିଛନ୍ତି ଯେ ସ୍ୱାଧୀନତାର ୬୦ ବର୍ଷ ପରେ ୨୦୦୫ରେ ୟୁପିଏ ସରକାର ଅମଳରେ ମନରେଗା ଆଇନ ପାରିତ ହୋଇଥିଲା। ଏହା ଶ୍ରମିକମାନଙ୍କ ପାଇଁ ଜୀବିକାର ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଥିଲା, ଯାହା ସେମାନଙ୍କୁ ବହୁତ ଆଶ୍ୱସ୍ତି ଦେଇଥିଲା । କେନ୍ଦ୍ର ସରକାର ଏହାକୁ ଉଚ୍ଛେଦ କରି ନୂଆ ଆଇନ ଆଣିଛନ୍ତି।ମନରେଗାର ମୂଳମନ୍ତ୍ର ସାର୍ବଜନୀନ ଗ୍ୟାରେଣ୍ଟି କୁ ଧ୍ଵଂସ କରିଦେଇଛନ୍ତି। ଗ୍ରାମାଞ୍ଚଳର କୌଣସି ଅଣକୁଶଳୀ ଶ୍ରମିକ ମାଗୁଥିଲେ କାମ ଦେବାକୁ ପଡ଼ୁଥିଲା । କିନ୍ତୁ ନୂତନ ଆଇନ ଆସିବା ଠାରୁ କାମ ମିଳୁ ନାହିଁ, ମଜୁରୀ ମିଳୁନାହିଁ, ଶ୍ରମିକଙ୍କ ଜବକାର୍ଡ ପ୍ରଦାନ କରାଯାଉନାହିଁ। ଶ୍ରମଜୀବୀ ଜନଗଣଙ୍କ ହାତକୁ କାମ ସହ ସର୍ବନିମ୍ନ ମଜୁରୀକୁ ଯଦି ସୁନିଶ୍ଚିତ କରା ନହୁଏ ଗ୍ରାମାଞ୍ଚଳର ଭବିଷ୍ୟତ କଣ ହେବ ବୋଲି ପ୍ରଶ୍ନ ଉଠାଇଥିଲେ। ବଡଖଣ୍ଡି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ଗଣଧାରଣାରେ ପି ପାର୍ବତୀ, ଶାନ୍ତି ନାୟକ, ବାସନ୍ତୀ ବେହେରା, ଭାଗ୍ୟ ଗୌଡ, ରିତା ଦାଶ, ଯଶୋଦା ନାୟକ, ନମିତା ମହାରଣା ଆଦି ଶତାଧିକ ପଞ୍ଚାୟତବାସୀ ସାମିଲ ହୋଇଥିଲେ।

Leave A Reply

Your email address will not be published.