ଛତ୍ରପୁର,୨୦/୦୨(ପିପିଟି):ଓଡିଶା ମନରେଗା ଶ୍ରମିକ ୟୁନିଅନ ନେତୃତ୍ୱରେ ଶହ ଶହ ସଂଖ୍ୟାରେ ନରେଗା ଶ୍ରମିକ ହାତରେ ଟିୟୁସିଆଇ ର ଲାଲପତକା ଧରି ହାତକୁ କାମ, ସମ୍ମାନର ସହ ବଞ୍ଚିବାର ଅଧିକାର ଦାବିରେ ଛତ୍ରପୁର ଉପର ବସଷ୍ଟାଣ୍ଡ ଠାରୁ ଶୋଭାଯାତ୍ରାରେ ବାହାରି ଡିଆରଡିଏ ଏବଂ ସେଠାରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦାନ କରିଥିଲେ। ୧୫ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ପ୍ରତନିଧି ମଣ୍ଡଳୀ ସାକ୍ଷାତକରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ସର୍ବନିମ୍ନ ମଜୁରୀ ୭୦୦ ଟଙ୍କାକୁ ବୃଦ୍ଧି, ପରିବାର ର ଦୁଇଜଣ ସଦସ୍ୟଙ୍କୁ ନିଶ୍ଚିତ କାମ, କାମ ନ ଯୋଗାଇଲେ ୧୫ ଦିନ ମଧ୍ୟରେ ବେରୋଜଗାରୀ ଭତ୍ତା, ଡିଲେଟ ହୋଇଥିବା ପ୍ରକୃତ ଶ୍ରମିକଙ୍କ ଜବକାର୍ଡ ପୁନଃ ଚାଲୁକରିବା,କର୍ମସ୍ଥଳୀ ନିକଟରେ ମାଷ୍ଟର ରୁଲ, ଦେଶବ୍ୟାପି ଗୋଟିଏ ମଜୁରୀ ବ୍ୟବସ୍ଥା, ସମସ୍ତ ମନରେଗା ଶ୍ରମିକଙ୍କ ସାମାଜିକ ନିରାପତ୍ତା ଓ ସ୍ୱତନ୍ତ୍ର କଲ୍ୟାଣ ବୋର୍ଡ ଗଠନ, ଶ୍ରମିକ ବିରୋଧି ୪ ଟି ଶ୍ରମ ସଂହିତା ପ୍ରତ୍ୟାହାର, ଅବସରକାଳୀନ ପେନସନ ମାସିକ ୧୦ ହଜାର ଟଙ୍କା,ଦୈନିକ ସବନିମ୍ନ ମଜୁରୀ ରାଶିରୁ ଆଜି ପର୍ଯ୍ୟନ୍ତ ହରିଲୁଟ ହୋଇଥିବା ସମସ୍ତ ମଜୁରୀ ଟଙ୍କାକୁ ତୁରନ୍ତ ଏରିଅର କରି ପୈଠ କରିବା ଆଦି ୧୫ ଦଫା ଦାବୀ ଉପସ୍ଥାପନ କରିଥିଲେ। ସି.ପି.ଆଇ(ଏମ୍ ଏଲ୍) ରେଡଷ୍ଟାର ପଲିଟିବ୍ୟୁରୋ ସଦସ୍ୟ କମ୍ରେଡ ଶଙ୍କର, ଟିୟୁସିଆଇ ର ରାଜ୍ୟ ସଭାପତି ବିଚିତ୍ର ପାତ୍ର, ଆଦିବାସୀ ଭାରତ ମହାସଭା ର ରାଜ୍ୟ ନେତା ଟୁନା ମଲ୍ଲିକ ଆଦି ଡବଲ ଇଞ୍ଜିନ ସରକାର ଶ୍ରମିକ ବିରୋଧୀ ନୀତିର ତୀବ୍ର ଭର୍ତ୍ସନା କରିଛନ୍ତି। ପ୍ରତେକ ପରିବାରକୁ କର୍ମନିଯୁକ୍ତି କରିବା ରାଷ୍ଟ୍ରର ପ୍ରଥମ କର୍ତ୍ତବ୍ୟ ଓ ସାମ୍ବିଧାନିକ ଅଧିକାର ହୋଇଥିବା ବେଳେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ୨୦୦୫ ଅନୁଯାୟୀ ଗ୍ରାମାଞ୍ଚଳର ଶ୍ରମିକଙ୍କୁ ଅତି କମରେ ବର୍ଷକୁ ୧୦୦ ଦିନରେ ନିଶ୍ଚିତ କାମ ପ୍ରଦାନ କରିବା ବଦଳରେ କାମ ଓ ମଜୁରୀ ହଡ଼ପ କରିବା ସରକାରଙ୍କ ପ୍ରମୁଖ କାମ ହୋଇଛି।
ଆଇନର ସମସ୍ତ ନୀତି ନିୟମକୁ ଖୋଲା ଖୋଲି ଉଲଂଘନ କରି ଅନେକ ଫଲସ ବିଲ,ବ୍ୟାପକ ମେସିନ ବ୍ୟବହାର କରି ପ୍ରକଳ୍ପ ଅର୍ଥ ହଡପ କରିବା ସହ ମାସ ମାସ ଧରି ଶ୍ରମିକଙ୍କ ମଜୁରୀ ପ୍ରଦାନ କରାଯାଉନାହିଁ । ଏପରିକି ସର୍ବନିମ୍ନ ମଜୂରୀ ଆଇନ ୧୯୪୮ ର ଖୋଲି ଖୋଲି ଉଲଂଘନ କରି ନରେଗା ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦାରିତ ସର୍ବନିମ୍ନ ମଜୁରୀ ଠାରୁ ବହୁ କମ ପ୍ରଦାନ କରାଯାଉଛି । ଓଡିଶା ମନରେଗା ଶ୍ରମିକ ୟୁନିଅନର ସଂଘର୍ଷ ଫଳରେ କେତେକ ବ୍ଳକରେ ସାମାନ୍ୟତମ ସୁଧାର ଆସିଥିଲା କିନ୍ତୁ ନବୀନ ସରକାରଙ୍କୁ ଗାଦିଚ୍ୟୁତ କରି ଡବଲ ଇଞ୍ଜିନ ସରକାର ଆସିବା ପରଠାରୁ ଅଧିକ ମାତ୍ରରେ ମଜୁରୀ ହଡପ ହେଉଛି । ଗାଁ ସାଥି ଠାରୁ ଉପରିସ୍ଥ ଅଧିକାରୀଙ୍କ ପର୍ଯ୍ୟନ୍ତ ଶ୍ରମିକ ଶୋଷଣକୁ ତୀବ୍ର ରୁ ତୀବ୍ରତର କରି ନରେଗା ଶ୍ରମିକଙ୍କ କର୍ମନିଯକ୍ତି ଅଧିକାର ରୁ ବଞ୍ଚିତ କରି ଅଧିକରୁ ଅଧିକ ଦାରିଦ୍ର୍ୟତା ମଧ୍ୟକୁ ଠେଲି ଦିଆଯାଉଛି ।
ଅନ୍ୟପଟେ ୨୦୪୭ ସୁଦ୍ଧା ବିକଶିତ ଭାରତ ପାଇଁ ଡିଣ୍ଡିମ ପିଟୁଥବା ମୋଦି ସରକାର ପ୍ରତିବର୍ଷ ମନରେଗା ବଜେଟ ହ୍ରାସ କରୁଛନ୍ତି। ଆମ ରାଜ୍ୟରେ କାମଧନ୍ଧା ଅଭାବରୁ ପ୍ରତିବର୍ଷ ଗ୍ରାମାଞ୍ଚଳରୁ ୩୦ ଲକ୍ଷ ଶ୍ରମିକ ଦାଦନ ଖଟିବାକୁ ଯାଉଛନ୍ତି । ସେଠାରେ ଅନେକ ନିର୍ଯ୍ୟାତନା ସହ ଶ୍ରମ ଶୋଷଣର ଶିକାର ହେଉଛନ୍ତି । ସେଥିପାଇଁ ନରେଗା କ୍ଷେତ୍ରରେ ଅଧିକ କର୍ମନିଯୁକ୍ତି ସହ ସର୍ବନିମ୍ନ ମଜୁରୀ ଆଇନ ଶ୍ରମିକ ସ୍ୱାର୍ଥରେ କାର୍ଯ୍ୟକାରୀ କରିବା ଆବଶ୍ୟକ ବୋଲି ବହୁ ବକ୍ତା ମତ ଉପସ୍ଥାପନ କରିଥିଲେ। ଓଡିଶା ମନରେଗା ଶ୍ରମିକ ୟୁନିଅନ ଗଞ୍ଜାମ ଜିଲ୍ଲା କମିଟି ର ସମ୍ପାଦିକା ପାର୍ବତୀ ଗଞ୍ଜାମ ଜିଲ୍ଲାରେ ନରେଗା ଶ୍ରମିକ ଶୋଷଣ ଶୀର୍ଷ ସ୍ତରରେ ପହଞ୍ଚିଛି ବୋଲି ବର୍ଣ୍ଣନା କରିଥିଲେ। ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ନହେଲେ ଦୁର୍ବାର ଶ୍ରମିକ ଆନ୍ଦୋଳନ ଗଢ଼ି ତୋଳି ସରକାରଙ୍କ ଅସଲ ସ୍ଵରୂପ ଖୋଲି ଦିଆଯିବ। ଆଗାମୀ ଦିନରେ ରାଜ୍ୟ ବିଧାନସଭା ଏବଂ ସଂସଦ ପର୍ଯ୍ୟନ୍ତ ଲଢେ଼ଇକୁ ତୀବ୍ର କରାଯିବ ବୋଲି ଚେତାବନୀ ଦେଇଥିଲେ। ୟୁନିଅନର ସଭାପତି ଶଙ୍କର ଇନକିଲାବ ସଭା ପରିଚାଳନ କରିଥିଲେ। ଯଶୋବନ୍ତ ଜାନି,ଯଶୋଦା ନାୟକ,ମଞ୍ଜୁଳା ବେହେରା,କାମିନୀ ଦାଶ,ନିଳେନ୍ଦ୍ରୀ ବେହେରା,ରେବତୀ,ଏନ୍ ରାଜେଶ୍ବରୀ, ଝୁନୁ ଗଉଡ,ସନ୍ତୋଷିନୀ ଦାଶ ପ୍ରମୁଖ ଏହି ଗଣଧାରଣା ରେ ସାମିଲ ହୋଇଥିଲେ। କାମ କେବେ ମିଳିବ ବୋଲି ଶ୍ରମିକ ମହଲରେ ପ୍ରବଳ ଅସନ୍ତୋଷ ପ୍ରକାଶ କରିଥିଲେ। ସମସ୍ତ ଶ୍ରମିକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟରେ ଧସେଇ ପଶିଥିଲେ,ଉତ୍ତ୍ୟକ୍ତ ଶ୍ରମିକମାନଙ୍କୁ ବହୁ ବୁଝାଇବା ପରେ ଶାନ୍ତ ହୋଇଥିଲେ ।