ସ୍ୱୟଂ ନାରାୟଣଙ୍କର ସାହା ଭରଷାରେ ଅସହାୟ ନାରାୟଣ ,ପହଞ୍ଚି ପାରୁନି ସରକାରଙ୍କ ମାଳ ମାଳ ଯୋଜନା ।

0 569

ଉଲୁଣ୍ଡା,୦୧/୦୬(ପିପିଟି); ସରକାର ଗରିବ ଲୋକଙ୍କ ପାଇଁ ପ୍ରଣୟନ କରିଛନ୍ତି କେତେ କଣ ଯୋଜନା । ଯାହାର ଘର ନାହିଁ ତା ପାଇଁ ବିଜୁ ପକ୍କାଘର ହେଉ ବା ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବାର ବ୍ୟବସ୍ଥା ରହିଛି । ସରକାରଙ୍କ ଏହି ଯୋଜନା ଏକ ଲୋକାଭିମୁଖୀ ଯୋଜନା ହେଲେ ମଧ୍ୟ ପଂଚାୟତ କର୍ତ୍ତୃପକ୍ଷଙ୍କ ଦାୟିତ୍ୱରେ ଅବହେଳା ବା ମନମୁଖୀ କାର୍ଯ୍ୟ ପାଇଁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଛନ୍ତି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତର ବମରାଜ ଗ୍ରାମରେ । ସୂଚନାନୁସାରେ ଏହି ଗ୍ରାମରେ ବାସ କରନ୍ତି ନାରାୟଣ ପଞ୍ଚବିହାର, ତାଙ୍କ ସ୍ତ୍ରୀ ଅନୁଷୟା ଓ ତିନି ବର୍ଷର ଗୋଟେ ଝିଅ । ନାରାୟଣ ପେଶାରେ ଜଣେ ରାଜମିସ୍ତ୍ରୀ । ସେ ଦୁଇ ବର୍ଷ ତଳେ ଏକ ବାଇକ ଦୁର୍ଘଟଣା ରେ ମେରୁଦଣ୍ଡ ଭାଙ୍ଗିଯାଇଥିବାରୁ ସବୁଦିନ ପାଇଁ ପଂଗୁ ହୋଇଯାଇଛନ୍ତି। ପ୍ରଥମେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ହେଲାପରେ ଭଲ ନ ହେବାରୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ।ସେଠାରେ ତାଙ୍କର ମେରୁଦଣ୍ଡ ଭାଙ୍ଗିଯାଇଛି କହି ତାଙ୍କର ମେରୁଦଣ୍ଡ ରେ ଅସ୍ତ୍ରୋପଚାର କରାଗଲା, ମାତ୍ର ତାହା ସଫଳ ନ ହେବାରୁ ସେ ଏବେ ସବୁଦିନ ପାଇଁ ପଙ୍ଗୁ ହୋଇ ତିନି ଚକିଆ ସାଇକେଲର ଆଶ୍ରୟ ନେଇଛନ୍ତି । ଅସହାୟ ନାରାୟଣ ଅଭାବ ଅନାଟନ ମଧ୍ୟରେ ଦିନ କାଟୁଥିବା ବେଳେ ସରକାରଙ୍କ କୌଣସି ଯୋଜନା ମଧ୍ୟ ମିଳି ପାରି ନାହିଁ ।ଉଚ୍ଚ ଚିକିତ୍ସା ପାଇଁ ସାହାଯ୍ୟ ତ ଦୂରର କଥା ରହିବାକୁ ଖଣ୍ଡେ ଘର ମଧ୍ୟ ସରକାର ଆଜି ପର୍ଯ୍ୟନ୍ତ ଯୋଗାଇ ଦେଇ ପାରି ନାହାଁନ୍ତି । ଖରା , ବର୍ଷା ,ଶୀତ ସବୁ ତାଙ୍କର ସେହି ପଲିଥିନ୍ ଟଣା ଘରେ କଟୁଛି ଦିନ ।ଦଇବ ଯେମିତି ତାଙ୍କ ଭାଗ୍ୟ ସହିତ ଖେଳ ଖେଳୁଛି । ତାଙ୍କ ବାପାଙ୍କର ଆଗରୁ ଦେହାନ୍ତ ହୋଇଥିବାବେଳେ ଏବେ ନାରାୟଣ ଅସହାୟ ଅବସ୍ଥାରେ ଦିନ କାଟୁଛନ୍ତି । ଏପରିକି ରହିବାକୁ ଘରଖଣ୍ଡିଏ ମଧ୍ୟ କରି ପାରିନାହାନ୍ତି । ଘର ଖଣ୍ଡିଏ ପାଇଁ ପ୍ରଶାସନ ପାଖରେ ଅନେକ ହାରି ଗୁହାରୀ କରିଥିଲେ ମଧ୍ୟ ମିଳିପାରିନାହିଁ କୌଣସି ସୁଫଳ । ଏବେ ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ୱେ ଅସହାୟ ନାରାୟଣଙ୍କ ଦୁଃଖ ଦୁର୍ଦଶା କାହାରି ନଜରକୁ ଆସିନାହିଁ । ସେହି ଯୋଜନା ଉଚିତ୍ ହିତାଧିକାରୀ ନପାଇ ଯେମିତି ବାଟ ମାରଣ ହୋଇ ଯାଉଛି । ଅସହାୟ ନାରାୟଣର ଦୁଃଖ ଦୁର୍ଦ୍ଦଶାକୁ ସରକାର କାନରେ ଟିକେ ଶୁଣି ଘର ଖଣ୍ଡିଏ ଯୋଗାଇ ଦେବା ସହିତ ଉଚିତ୍ ଚିକିତ୍ସା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

(ରିପୋର୍ଟ- ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.