ସ୍ଵାଧୀନତା ସଂଗ୍ରାମୀ ଓ ସଂଗ୍ରାମକୁ ସରକାର ଲୋକାଭିମୁଖୀ କରନ୍ତୁ- ସତୀଶ ବିଶ୍ବାଳ ।

0 338

ଯାଜପୁର,୧୮/୧୨(ପିପିଟି): ଯାହାଙ୍କ ପାଇଁ ଦେଶ ସ୍ବାଧୀନ ହେଲା ସେମାନଙ୍କ ଜୀବନୀ ଓ ସଂଗ୍ରାମକୁ ଅଧିକରୁ ଅଧିକ ଲୋକେ ଜାଣିଲେ ପରପିଢୀ ମଧ୍ୟରେ ଦେଶପ୍ରେମ ଜାଗ୍ରତ ହେବ । ଏଥିପାଇଁ ସ୍ଵାଧୀନତା ସଂଗ୍ରାମୀ ଓ ସଂଗ୍ରାମକୁ ସରକାର ଅଧିକ ଲୋକାଭିମୁଖୀ କରନ୍ତୁ ବୋଲି ବରିଷ୍ଠ ସ୍ତମ୍ଭକାର ତଥା ଯୁବନେତା ସତୀଶ ବିଶ୍ବାଳ ଆହ୍ବାନ ଦେଇଛନ୍ତି ।

ଢେଙ୍କାନାଳ ଜିଲ୍ଲାର ପ୍ରଜା ଆନ୍ଦୋଳନର ମହାନ ନେତା ତଥା ରାଜ୍ୟର ବରିଷ୍ଠ ସ୍ଵାଧୀନତା ସଂଗ୍ରାମୀ ସ୍ବର୍ଗତ ଶ୍ରୀଧର ସାହୁଙ୍କ ୧୦୯ ତମ ଜୟନ୍ତି ଯାଜପୁର ଜିଲ୍ଲା ଗଁଦିଆ ବ୍ଳକର ନିହଲପ୍ରସାଦରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସତୀଶ କହିଥିଲେ ଯେ, ଶ୍ରୀଧର ସାହୁ ଏକାଧାରାରେ ଜଣେ ସଂଗ୍ରାମୀ, ସମାଜ ସଂସ୍କାରକ ଏବଂ ସମାଜରେ ପଛରେ ପଡି ଯାଇଥିବା ଦୁଃଖୀ ମଣିଷଙ୍କ ବନ୍ଧୁ ଥିଲେ। ଏଭଳି ଜଣେ ମହାନ ଦେଶପ୍ରେମୀଙ୍କ ନୀତି, ଆଦର୍ଶ ଓ ସ୍ମୃତିକୁ ଅଧିକ ବ୍ୟାପକ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ । ସେ କହିଥିଲେ ଯେ, ତତ୍କାଳୀନ ଅତ୍ୟାଚାରୀ ଢେଙ୍କାନାଳ ରାଜା ଶଙ୍କର ପ୍ରସାଦ ମହେନ୍ଦ୍ର ବାହାଦୁର ଏବଂ ଇଂରେଜଙ୍କ ମିଳିତ ଅତ୍ୟାଚାରରେ ପ୍ରଜାମାନେ ଢେଙ୍କାନାଳ ଛାଡି ପଳାଇଥିଲେ । ସେ ସମୟରେ ନିହଲପ୍ରସାଦ ଗ୍ରାମର ମାତ୍ର ୧୬ ବର୍ଷର ବାଳକ ଉଭୟ ରାଜା ଓ ଇଂରେଜଙ୍କ ବିରୋଧରେ ସ୍ବର ଉଠାଇ ଆନ୍ଦୋଳନର ନେତୃତ୍ବ ନେଇଥିଲେ । ଢେଙ୍କାନାଳ ରାଜ୍ୟ ବାହାରେ ଯାଜପୁରର ଧର୍ମଶାଳା ବ୍ଳକ ଅନ୍ତର୍ଗତ କଲାଣ୍ଡରେ କ୍ୟାମ୍ପ କରି ସଂଗ୍ରାମକୁ ଉଜ୍ଜିବିତ କରିଥିଲେ । ମହାତ୍ମାଗାନ୍ଧୀଙ୍କ ଭାରତ ଛାଡ ଆନ୍ଦୋଳନରେ କାରାବରଣ କରି ଜେଲରେ ମାଟି ଖପରାରେ କଏଦୀଙ୍କୁ ଦୟନୀୟ ଭାବେ ଖାଦ୍ୟ ଦିଆଯିବା, ଗୋଟିଏ ପାଇଖାନାରେ ସମସ୍ତ କଏଦୀଙ୍କୁ ଶୌଚ କରାଯିବା, କଏଦୀଙ୍କୁ ଖବର କାଗଜ ଏବଂ ପତ୍ରପତ୍ରିକା ପଢିବାକୁ ଦିଆ ନଯିବା ପ୍ରତିବାଦରେ ସେ ୨୧ ଦିନ ଜେଲରେ ଅନଶନ କରିଥିଲେ। ଏଥିପାଇଁ ତାଙ୍କୁ ଅତି ମାରାତ୍ମକ ‘ଟଙ୍ଗାହାତ କଡାଦଣ୍ଡ’ ଭୋଗିବାକୁ ପଡିଥିଲା । ଏହି ଦଣ୍ଡରେ ଛାତରେ ଥିବା ଲୁହା ସିକୁଳିରେ କଏଦୀଙ୍କ ଦୁଇଟି ଗୋଡ ବାନ୍ଧି ଦିଆଯାଇ ମୁଣ୍ଡ ଏବଂ ହାତ ତଳକୁ କରି ଟାଙ୍ଗି ଦିଆଯାଏ । ଏହାପରେ ତାଙ୍କୁ ରକ୍ତ ଜୁଡୁବୁଡୁ ହେବା ପର୍ଯ୍ୟନ୍ତ ନିର୍ଦ୍ଧୁମ ଚାବୁକରେ ପିଟାଯାଏ । ଏହାପରେ ବି ଶ୍ରୀଧର ଅନଶନରୁ ବିରତ ନହେବାରୁ ଶେଷରେ ଜେଲ ବ୍ୟବସ୍ଥାରେ ସଂସ୍କାର ଅଣାଯାଇ କଏଦୀଙ୍କୁ ପିତଳ ପାତ୍ରରେ ଖାଦ୍ୟ ଦିଆଗଲା । ଏହାସହ ଅଧିକ ୧୨ ଟି ପାଇଖାନା ନିର୍ମାଣ ସହ କଏଦୀଙ୍କୁ ପତ୍ର ପତ୍ରିକା ପଢିବାକୁ ପ୍ରଦାନ କରାଯାଇଥିଲା । ଶ୍ରୀଧର ସାହୁ ମଧ୍ୟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଠାରୁ ସମ୍ମାନପତ୍ର ପାଇଛନ୍ତି । ତାଙ୍କର ଯାଜପୁର ଜିଲ୍ଲାର କଲାଣ୍ଡ କ୍ୟାମ୍ପକୁ ନବକୃଷ୍ଣ ଚୌଧୁରୀ ଏବଂ ମାଳତୀ ଚୌଧୁରୀଙ୍କ ପରି ମହାନ ଦେଶଭକ୍ତ ମାନେ ନିୟମିତ ଆସୁଥିବାର ପ୍ରମାଣ ରହିଛି। ସେଥିପାଇଁ କଲାଣ୍ଡ କ୍ୟାମ୍ପକୁ ସ୍ଵାଧୀନତା ସ୍ମୃତି ସଦନ କରାଯିବା ସହ ତାଙ୍କର ତ୍ୟାଗକୁ ପରପିଢି ନିକଟରେ ପହଂଚାଇବା ପାଇଁ ସରକାର ହସ୍ତକ୍ଷେପ କରିବାକୁ ଦାବି କରାଯିବ ବୋଲି କହିଥିଲେ । ଏଥିରେ ବରିଷ୍ଠ ସାହିତ୍ୟିକ ବୁଦ୍ଧଦେବ ପ୍ରଧାନ କହିଥିଲେ ଯେ, ଢେଙ୍କାନାଳର ଏହି ମହାନ ସଂଗ୍ରାମୀଙ୍କ ସଂଗ୍ରାମ ଅତ୍ୟନ୍ତ ଗରିମା ପୂର୍ଣ୍ଣ। ଏହାର ପ୍ରଚାର ପ୍ରସାର ସହ ସ୍ମୃତିକୁ ଅଧିକ ଲୋକାଭିମୁଖୀ କରାଯିବା ନିହାତି ଆବ ବଶ୍ୟକ। ପରାଧୀନ ଭାରତରେ ଢେଙ୍କାନାଳର ଅତ୍ୟାଚାର ଯେଭଳି ସମସ୍ତ ସୀମା ଟପିଥୁଲା ଠିକ ସେହିପରି ଏହା ବିରୋଧରେ ଶ୍ରୀଧର ସାହୁଙ୍କ ପରି ସଂଗ୍ରାମୀଙ୍କ ସଂଗ୍ରାମର ମଧ୍ୟ ବିକଳ୍ପ ନାହିଁ । ଏହି ସଂଗ୍ରାମକୁ ରାଜ୍ୟର ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ ମାନେ ସମ୍ମାନ ଦଉଥିଲେ । ପୂର୍ବତନ ଜିଲ୍ଲା ଜିଲ୍ଲା ପରିଷଦ ସଭ୍ୟ ତାପସ କୁମାର ସାହୁ (ଟୁଟୁ) ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଶିଷ୍ଟ ଲେଖକ ତଥା ନାଟ୍ୟକାର ଗାକୁଳାନନ୍ଦ ସାହୁ ସ୍ୱାଗତ ଭାଷଣ ଏବଂ କବି ନୀରଂଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଥିରେ ଅଭିନେତା ସଂଗ୍ରାମ ଶତପଥୀ, ସାମ୍ବାଦିକ ତାରାକାନ୍ତ ୟକ, ପ୍ରଦୀପ୍ତ କୁମାର ଦାସ, ଡମ୍ବରୁଧର ଓଝା, ଭ୍ରମରବର ବାରିକ, ବିନୋଦ ବିହାରୀ ପଣ୍ଡା,ଶିକ୍ଷକ ଟଙ୍କଧର ବାରିକ ଦୁର୍ବାଦଳ ଦାସ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ଶ୍ରୀଧରଙ୍କୁ ଗଁଦିଆର ଗୌରବ ବୋଲି କହିଥିଲେ । ଶେଷରେ ପ୍ରମୋଦ କୁମାର ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ସତୀଶ ବିଶ୍ବାଳ ସ୍ୱଧୀନତା ସଂଗ୍ରାମୀ ଶ୍ରୀଧର ସାହୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ସହ ପ୍ରଦଦୀପ ପ୍ରଜ୍ଜଳନ କରି ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏଥିରେ ସ୍ଥାନୀୟ ଅଂଚଳର ବହୁ ସଂଖ୍ୟାରେ ଲୋକ ଉପସ୍ଥିତ ଥିଲେ ।

Leave A Reply

Your email address will not be published.