ଜହ୍ନ ଜ୍ୟୋତ୍ସ୍ନାରେ ଭିଜିବାକୁ ଇଛା ମନ
ନୁହେଁ ମୁଁ ତଡାଗେ କଇଁ
ନାହିଁ ଅପଘନେ
ଯଉବନ ଚିହ୍ନ ବର୍ଣ୍ଣ
ତଥାପି ବ୍ୟାକୁଳ ପ୍ରାଣ….!!
ମ୍ଳାନ ଶରୀରେ ବୟସର ଅପରାହ୍ନ
ବାହୁଡ଼ା ବେଳର ରବି
ବିହଙ୍ଗେ ଦିଅନ୍ତି କ୍ରନ୍ଦନ ସମ ରଡ଼ି
ଫେରିବାର ପାଦ ମନ୍ଥର ଏବେ
ଶୀର୍ଣ୍ଣ ଗଗନ ଛବି….!!
କିଏ ତୁମେ କୁହ ମାୟାବୀ ସ୍ବପ୍ନ
ଆସି ଏକାନ୍ତରେ ଆଜି
ଅତୀତର ସ୍ମୃତି ଜାଗ୍ରତ କର ମନେ
ପ୍ରିୟାର ମହକ ସ୍ମିତ ହସ ରେଖା
ଓଠେ କି ଦେଉଛ ଟାଣି….!!
ଶଯ୍ଯାରେ ପଡ଼ିଛି ମେଞ୍ଚାଏ କଙ୍କାଳ ଗଦା
କେବେ ଏଠି ଆସେ ଅଣଚାଶ ଝଡ଼
ଶୁଷ୍କ ଆଖିରେ ବହେ ଧାର ଧାର
ଅଦିନ ମେଘର ଝର…!!
ଆଖିରେ ନାଚୁଛି ଫଗୁଣର ଫୁଲ ବଣ
କ୍ଳାନ୍ତ ପଥିକ ଥକା ମାରିବାର ବେଳ
ଦୁର୍ବଳ ଘେରିଛି ଅଙ୍ଗ ଅବୟବେ ଆଜି
ନାହିଁ ସେ ଦିନର
ସପନ ସାଉଁଟା ମନ….!!
କବି କେଶବ ଚନ୍ଦ୍ର ନାୟକ(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)