***ସ୍ବପ୍ନ ବିଚାର***

0 9

ମୁଁ ଜାଣିବାରେ ହେତୁ ହେଲା କାଳରୁ ଜୀବନ ର ଅପରାହ୍ନ ପର୍ଯ୍ୟନ୍ତ ହଜାର ହଜାର ସ୍ବପ୍ନ ଦେଖିଛି। ଆଜି ଯାଏ ଗୋଟିଏ ବି ସ୍ବପ୍ନ ସତ ହୋଇ ନାହିଁ। ଏଣୁ ସ୍ବପ୍ନକୁ ସତ୍ଯ ଭାବିବା ଠିକ୍ ନୁହେଁ। ଜ୍ୟୋତିଷ ପାଠରେ ସ୍ବପ୍ନ ବିଚାର ର ବିଷଦ ବର୍ଣ୍ଣନ ରହିଛି। ସ୍ବପ୍ନ ବିଷୟର ଜାଣିବା ପାଇଁ ସେମିତି ଗୁଡାଏ ବହି ଆଣି ପଢିଲି। ନିଜ ଉପରେ ସ୍ବପ୍ନ ଦେଖାକୁ ନେଇ ଗବେଷଣା ମଧ୍ୟ କଲି । କିନ୍ତୁ ନିସ୍କର୍ଷରେ ଉପନିତ ହେଲି ଯେ ଏସବୁ ବେକାର କଥା। ମୁଁ ଦେଖିଥିବା କୌଣସି ସ୍ବପ୍ନ ସତ ହୋଇ ନାହିଁ।
ମଣିଷ ସ୍ବପ୍ନ ଦେଖେ କାହିଁକି ? ଆମେ ଯେତେବେଳେ ଗଭୀର ନିଦ୍ରାରେ ଶୟନ କରୁ ସେତେବେଳେ ହୃଦୟ ଓ ମସ୍ତିଷ୍କ ସକ୍ରିୟ ରହିଥାଏ। ମଣିଷର ମାନସିକ ଭାବନା ସ୍ବପ୍ନରେ ଚଳଚ୍ଚିତ୍ର ପରି
ପ୍ରକଟ ହୋଇଥାଏ।ଏ ସବୁ ଭାବନା ସ୍ଥାନୀୟ ସାମାଜିକ ଚଳଣି, ପାରିବାରିକ ସ୍ଥିତି, ବନ୍ଧୁ ବାନ୍ଧବଙ୍କ ସୁଖ ଦୁଃଖ, ପ୍ରାକୃତିକ ପରିବେଶ ସମ୍ପର୍କିତ ହୋଇ ପାରେ। ସ୍ବପ୍ନ ଯାହା କିଛି ହୋଇ ପାରେ। ବୟସ ଅନୁସାରେ ସ୍ବପ୍ନର ଦୃଶ୍ୟମାନ ହୋଇଥାଏ । ଯେଉଁ ବୟସରେ ଯେଉଁ ଚିନ୍ତନ ଓ କର୍ମ ଉପରେ ସ୍ବପ୍ନ ଆଧାରିତ
ହୋଇ ପାରେ। ବିଶେଷ କରି ମାନସିକ ଗତିବିଧି ର ପ୍ରତି ଫଳନ
ହୋଇଥାଏ।
ବେଳେ ବେଳେ ଗଭୀର ନିଦ୍ରାରେ ଶୋଇଥିବା ସମୟରେ ବିଭତ୍ସ ଓ କଦାକାର ସ୍ବପ୍ନ ଦେଖୁ । ଭୟଙ୍କର ସ୍ବପ୍ନ ଦେଖିଥିଲେ, ଲୋକମାନେ ନିଦରେ ବିଳିବିଳାନ୍ତି । ଛାନିଆ ହୋଇ ନିଦରୁ ଉଠି ଶେଯରେ ବସି ପଡନ୍ତି। ବେଳେବେଳେ ସ୍ବପ୍ନରେ କିଏ ନିଜକୁ ଆକ୍ରମଣ କରିବା,ପ୍ରାଣ ରକ୍ଷା ପାଇଁ କ୍ଷୀପ୍ର ଗତିରେ ଧାଇଁବା ।ନାଗ ସର୍ପ ଦଂଶନ କରିବା , ପାହାଡରୁ ଡେଇଁ ପଡିବା, ବନ୍ଯା ଜଳରେ ଭାସି ଯିବା, ହିଂସ୍ର ଜନ୍ତୁ ଗୋଡେଇବା ଆଦି ବିଭତ୍ସ ସ୍ବପ୍ନ
ଦେଖିବାକୁ ପଡ଼ିଥାଏ। ଏହି ଜୀବନ ଘାତକ ସ୍ବପ୍ନ ଯଦିଓ ବାସ୍ତବ
ନଥାଏ, ତଥାପି ହୃଦୟ ସ୍ପନ୍ଦନକୁ ବଢାଇଥାଏ । ଯଦି କାହାର ଉଚ୍ଚ ରକ୍ତଚାପ ଥିବ,ଏହି ଭୟଙ୍କର ସ୍ବପ୍ନ ପ୍ରାଣ ଘାତକ ବି ହୋଇ ପାରେ। ବିଭତ୍ସ ସ୍ବପ୍ନ ଦେଖି ଡରିଗଲେ ରାତିରେ ଆଉ ନିଦ ଆସେ ନାହିଁ। ଯଦି ବାରମ୍ବାର ଭୟଙ୍କର ସ୍ବପ୍ନ ଆସି ନିଦ୍ରା ଭଙ୍ଗ
ହୁଏ, ସ୍ବାସ୍ଥ୍ୟ ଗତ ସମସ୍ଯା ଘଟି ପାରେ । ଭଲ ନିଦ ନ ହେଲେ
ମସ୍ତିଷ୍କ ଉପରେ ଏହାର କୁପ୍ରଭାବ ପଡେ। ବିଭତ୍ସ ସ୍ବପ୍ନ ନିଦ୍ରା
ରେ ବ୍ୟାଘାତ ସୃଷ୍ଟି କରିଥାଏ। ଏଣୁ ଅନିଦ୍ରା ରହିଲେ ସ୍ମୃତି ଶକ୍ତି ହ୍ରାସ ପାଏ ।ନିଦ ଆସିବା ପାଇଁ ଅନେକ ଲୋକ ନିଶା ସେବନ କରନ୍ତି। କେହି ଡାକ୍ତରଙ୍କ ପରାମର୍ଶରେ ନିଦ ବଟିକା ଖାଇଥାନ୍ତି।
ଏସବୁ ଅଭାସ ଦୀର୍ଘ ଦିନ ପାଇଁ କଲେ, ଏହା ସ୍ବାସ୍ଥ୍ୟ ଉପରେ
କୁପ୍ରଭାବ ପକାଇବ। ଏଣୁ ସର୍ବଦା ମଣିଷକୁ ଭଲ ବିଚାର କଲେ ବା ଭଲ ମନ ପସନ୍ଦର ପୁସ୍ତକ ପଢିଲେ ବିଭତ୍ସ ସ୍ବପ୍ନରୁ ମୁକ୍ତି ମିଳିଥାଏ। ମନକୁ ଶାନ୍ତ ଓ ସକାରାତ୍ମକ ଭାବନା ଯଦି କରାଯାଏ
ତେବେ ମଣିଷ ସୁସ୍ଥ ଜୀବନ ଯାପନ କରି ପାରିବ। ହିଂସା, କ୍ରୋଧ, ଇର୍ଷା,ଦ୍ବେଷ, ଅନୈତିକ କାର୍ଯ୍ୟ ମଣିଷର ମାନସିକ ସ୍ତରରେ ମନ୍ଦ ପ୍ରଭାବ ପଡିଵ। ଏଣୁ ସୁସ୍ଥ ଜୀବନ ପାଇଁ, ଅମଙ୍ଗଳ ଭାବନା ଠାରୁ ଦୂରେଇ ରହିବା ଭଲ। କଳହ ମଣିଷ ର ଶତ୍ରୁ। ଏଣୁ ଏହି କଳହ ଠାରୁ ଯତେ ମୁକ୍ତ ରହିବ,ସେତେ ଭଲ। ଜଟିଳ ସମସ୍ୟା ଭିତରକୁ ନ ଯାଇ ସରଳ ଜୀବନ ଯାପନ କଲେ, ସ୍ବପ୍ନ ମଧ୍ୟ ଏହାର ସୁନ୍ଦରତା ଆଡକୁ ଆକର୍ଷିତ କରିବ। ଯେଉଁମାନେ ସମାଜର ମଙ୍ଗଳ ଚିନ୍ତା କରନ୍ତି,ଚାପରୁ ମୁକ୍ତ ରହନ୍ତି, ସର୍ବଦା ମଧୁର କଥା କହନ୍ତି, ସେମାନେ ଭଲ ଭାବରେ ରାତିରେ ଶୋଇ ପାରୁନ୍ତି। ସାଧାରଣତଃ ମଣିଷକୁ ସାତ ଘଣ୍ଟା ଶୋଇଲେ ସ୍ବାସ୍ଥ୍ୟ ଭଲ ରହିବ। ଏଣୁ ଶୋଇବାରେ ବିଘ୍ନ ଘଟାଏ ମନ୍ଦ ସ୍ବପ୍ନ।
ବେଳେବେଳେ କିଶୋର ବା ଯୁବକ ଅବସ୍ଥାରେ କୌଣସି ନା କୌଣସି ଝିଅ ସହିତ ପ୍ରେମ ହୁଏ। ନତୁବା ମନେ ମନେ ଭଲ ପାଇବାର ଦୁର୍ବଳତା ଆସି ଯାଏ। ଏହି ସମୟରେ ଦୈହିକ ସମ୍ପର୍କ ରଖିବା ପାଇଁଁ ମନରେ ଅଭିଳାଷ ଥାଏ। ଏଭଳି ବାରମ୍ବାର ଭାବନା ମାନସିକ ଶକ୍ତି ଉପରେ କୁପ୍ରଭାବ ପକାଏ। ଏବଂ କେବେ ନା କେବେ ରାତିରେ ଯୁବତୀ ସହିତ ସ୍ବପ୍ନରେ ଦୈହିକ ମିଳନ ହୋଇ ବୀର୍ଯ ସ୍ଖଳନ ହୋଇ ଥାଏ । ଏହାକୁ ସାଧାରଣ ଭାଷାର ସ୍ବପ୍ନ ଦୋଷ କୁହା ଯାଏ। ଏହା ଯୁବ ଅବସ୍ଥାରେ ବହୁ ବାର ହୁଏ। ଏଥି ରୁ ଅନୁମେୟ ଯେ ଆମର
ଭାବନା ପରବର୍ତ୍ତୀ ସମୟରେ ସ୍ବପ୍ନର ରୂପ ନେଇଥାଏ। ଏଣୁ ସ୍ବପ୍ନ କୁ ଏକ ମାନସିକ ଚେର କହିଲେ ଚଳେ। ତାହା ନୁହେଁ ଯେ
ସବୁ ଭାବନା ବା ଚିନ୍ତନ ସ୍ବପ୍ନର ରୂପ ନେଇଥାଏ। ଏହା ସଂପୂର୍ଣ୍ଣ ଭୁଲ୍। କେବେ କେବେ ନ ଭାବିବା କଥା ମଧ୍ୟ ସ୍ବପ୍ନରେ ଦୃଶ୍ୟମାନ ହୁଏ। ହଠାତ୍ ନିଜ ଲୋକ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରିବାର ସ୍ବପ୍ନ ଆସେ। ଏ ଭଳି ସ୍ବପ୍ନ ଯାହା କେବେ ଭାବି ନଥିଲେ, ତାହା ଦେଖିବାକୁ ପଡେ। ଏଣୁ ସ୍ବପ୍ନ କେବେ ବାସ୍ତବ ନୁହେଁ।
ବେଳେ ବେଳେ ବହୁ ଅନ୍ଧ ବିଶ୍ବାସୀ ଲୋକେ ସ୍ବପ୍ନ କୁ ସତ ମଣନ୍ତି । ଭୂମି ତଳେ ସୁନା ରୂପା କଳସ ପୋତା ହେବା ସ୍ବପ୍ନ ଆସି ଥାଏ। ସ୍ବପ୍ନରେ ଠାକୁରାଣୀ କହନ୍ତି,ତୁ ଅମୁକ ବଳି ଦେଲେ ,ସୁନାର କଳସ ପାଇବୁ। ଏମିତି ବି ଅନ୍ଧ ବିଶ୍ବାସ କରି
ନିଜର ପୁଅ ଝିଅଙ୍କୁ ବଳି ଦେବାର ଦୃଷ୍ଟାନ୍ତ ରହିଛି। ଭୂମି ଖନନ
ପରେ ସୁନା ନାହିଁ କି ରୁପା ନାହିଁ। ବଳି ଦେଇଥିବା ବ୍ଯକ୍ତି ନରହତ୍ଯା ମାମଲାରେ ଜେଲ୍ ଦଣ୍ଡ ଭୋଗେ। ଅନ୍ଯ କିଛି ଲୋକ ଙ୍କୁ ଦିଅଁ ଦେବତା ସ୍ବପ୍ନାଦେଶ ଦିଅନ୍ତି। ମାଟି ତଳେ ମୂର୍ତ୍ତି ହୋଇ
କେଉଁ ଅନାଦି କାଳରୁ ରହିଛି, ମୋତେ ତୁ ଉଦ୍ଧାର କରେ । ସେ ଲୋକଟି ସାହି ଭାଇରେ ସ୍ବପ୍ନାଦେଶକୁ ପ୍ରକଟ କରେ । ଲୋକମାନେ ସତ ମଣି ଖୋଳତାଳ ବଜାଇ, ପୂଜା ଅର୍ଚ୍ଚନା କରି ଜମି ଖୋଦେଇ କରି ମୂର୍ତ୍ତିକୁ ଉଦ୍ଧାର କରନ୍ତି। ଲୋକମାନେ ସ୍ବପ୍ନ
ଦେଖିଥିବା ଲୋକ ଟିକୁ ଦେବୀ ବା ଦିଅଁଙ୍କ ପରମ ଭକ୍ତ ବୋଲି ବିବେଚନା କରି ରାତାରାତି ମନ୍ଦିର ନିର୍ମାଣ ଲାଗି ଯୋଜନା କରନ୍ତି। ମହିମା ଗାନ କରନ୍ତି। ରାତାରାତି ଦର୍ଶନ କରନ୍ତି ହଜାର ହଜାର ଭକ୍ତ । ଢେର୍ ଦାନ ଦକ୍ଷିଣା ଦେଇ ସ୍ବପ୍ନ ଦେଖିଥିବା ଲୋକ ଟିକୁ ବିଭବଶାଳୀ କରିଦିଅନ୍ତି। କିନ୍ତୁ ଦୁଃଖର କଥା ଯେତେ ମାଟି ତଳୁ ସ୍ବପ୍ନାଦେଶ ହୋଇ ଦିଅଁ ଦେବତା ବାହାରିଛନ୍ତି, କୌଣସି ପଛୁଆବର୍ଗ କି ଦଳିତ ଲୋକଙ୍କ ଜମିରୁ
ମହାପ୍ରଭୁ ସ୍ବପ୍ନାଦେଶ ହୋଇ ବାହାରି ନଥିବ ।ଆଉ ଯାହାକୁ ସ୍ବପ୍ନ ହୋଇ ଥିବ ସେ ନିଶ୍ଚିତ ଭାବେ ଏକ ଉଚ୍ଚ ବର୍ଣ୍ଣର ଜମି ବା ବାଡି ପଛପଟ ସ୍ଥାନରୁ ବାହାରିଥିବେ। ଏ ସବୁ ମହାପ୍ରଭୁ ବା ଦେବୀମାନଙ୍କ ବିଗ୍ରହକୁ ଜମି କୁ ଖୋଳି ପୋତିଦିଆ ଯାଇଥାଏ। କିଛି ବର୍ଷ ପରେ ସେହି ପ୍ରାୟୋଜକ କର୍ତ୍ତାଙ୍କୁ ସ୍ବପ୍ନ ହୁଏ। ସ୍ବପ୍ନ କଥା ଗୁଡ଼ିକ ଗାଁ ଗହଳିରେ ଥିବା ଲୋକମାନଙ୍କୁ ବିଶ୍ବାସ ଜନ୍ମାଇଥାଏ। ଯିଏ ଯେତେ କପୋଳକଳ୍ପିତ କାହାଣୀ କହିଲା, ତା କଥା କୁ ଆଖି ବୁଜି ସମସ୍ତେ ସମର୍ଥନ କରନ୍ତି। ତେଣୁ ଜ୍ୟୋତିଷ ପାଠରେ ସ୍ବପ୍ନ ବିଚାର କରାଯାଇ ଭଲ ଆଉ ମନ୍ଦ ନିର୍ଣ୍ଣୟ କରାଯାଏ, ଜ୍ୟୋତିଷ ଡାହା ମିଛ କହିଲେ ମଧ୍ୟ ଗାଁ ଲୋକମାନେ ଶତ ପ୍ରତିଶତ ସତ୍ଯ ବୋଲି ବିବେଚନା କରିଥାନ୍ତି।
କିନ୍ତୁ ସ୍ବପ୍ନ, ସବୁ ବେଳେ ସ୍ବପ୍ନ, ଏହା କେବେ ବାସ୍ତବ ନାହିଁ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)

Leave A Reply

Your email address will not be published.