ସ୍କୁଲ ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର, ଟେଣ୍ଟ ତଳେ ପାଠ ପଢୁଛନ୍ତି ଛାତ୍ରଛାତ୍ରୀ।

0 64

ବୋଲଗଡ଼, ୨୧/୧୧(ପିପିଟି):ବୋଲଗଡ ଶିକ୍ଷା ବ୍ଲକ ଅଧୀନସ୍ଥ ଖଉରୁଣୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତରୁ ଖସୁଛି ସିମେଣ୍ଟ ପ୍ଲାଷ୍ଟର। ସିମେଣ୍ଟ ପ୍ଳାଷ୍ଟର ଖସିବା ଘଟଣାକୁ ନେଇ ଗୁରୁବାର ଦିନ ସ୍କୁଲ ସମ୍ମୁଖରେ ଅଭିଭାବକ ମାନଙ୍କର ହୋହାଲ୍ଲା ହୋଇଥିବା ଦେଖିବାକୁ ମିଳିଛି। ଘଟଣାରୁ ପ୍ରକାଶ ଯେ ଖଉରୁଣି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପାଠ ପଢୁଥିବା ବେଳେ ସ୍କୁଲ ଶ୍ରେଣୀର ଛାତରୁ ସିମେଣ୍ଟ ପ୍ଲାଷ୍ଟର୍ ଖସିବାରୁ ଶ୍ରେଣୀ ଶିକ୍ଷୟିତ୍ରୀ ଓ ସ୍କୁଲରେ ଛାତ୍ରଛାତ୍ରୀମାନେ ଆହତ ହୋଇଥିଲେ । ଯାହା ଫଳରେ ଗ୍ରାମବାସୀମାନଙ୍କ ସହିତ ଅଭିଭାବକମାନେ ଶ୍ରେଣୀ ଗୃହ ନିମ୍ନମାନର କାମ ହୋଇଥିବା ୨୦୨୨ମସିହାରୁ ଅଭିଯୋଗ କରିଆସୁଛନ୍ତି ।ଯାହାକୁକେନ୍ଦ୍ର କରି ଆଜି ସ୍କୁଲ ସମ୍ମୁଖରେ ଅଭିଭାବକମାନେ ହୋହାଲ୍ଲା କରିଛନ୍ତି । ଅନ୍ୟପଟେ ମଧ୍ୟ ଶ୍ରେଣୀ ଗୃହରୁ ପ୍ଲାଷ୍ଟର ଖସୁଥିବା ବେଳେ ଛାତ୍ରଛାତ୍ରୀ ଏବେ ଟେଣ୍ଟ ତଳେ ପାଠ ପଢୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଏହି ଘଟଣାକୁ ନେଇ ବୋଲଗଡ଼ ବିଡ଼ିଓ ଶରତ କୁମାର ମଲ୍ଲିକ , ବୋଲଗଡ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ, ବୋଲଗଡ଼ ଥାନା ପୋଲିସ ସବ ଇନିସ୍ପେକ୍ଟର ପ୍ରମୋଦ କୁମାର ନାୟକ ଓ ବାଙ୍କୋଇ ଫାଣ୍ଡି ପୋଲିସ ଅଧିକାରୀ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକମାନଙ୍କୁ ଓ ଅଭିଭାବକମାନଙ୍କୁ ବୁଝାସୁଝା କରିଥିଲେ । ଏହି ବିଦ୍ୟାଳୟରେ ୧୭୫ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ପଢୁଛନ୍ତି। ଏହି ବିଦ୍ୟାଳୟଟି ୧୯୨୭ମସିହାରେ ନିର୍ମିତ ହୋଇଥିଲେ ମଧ୍ୟ ତାର ପୂର୍ଣ୍ଣ ଉଦ୍ଧାର ହୋଇପାରିନାହିଁ। ଶିକ୍ଷା ଅଧୟନ ପାଇଁ ନୂତନ ଶ୍ରେଣୀ ଗୃହ ନ ଥିବାରୁ ବିପଦ ପୂର୍ଣ୍ଣ ଅବସ୍ଥାରେ ଥିବା ପୁରାତନ ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦିଆଯାଉଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଦେଇଛି ! ଏହି ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷାଦାନ ଦେବାପାଇଁ ଆବଶ୍ୟକୀୟ ଶିକ୍ଷକ /ଶିକ୍ଷୟିତ୍ରୀ ନ ଥିବାରୁ ଦିନକୁ ଦିନ ଜନ ଅସନ୍ତୋଷ ବୃଦ୍ଧି ପାଉଛି। ତେଣୁ ବିଦ୍ୟାଳୟର ସୁରକ୍ଷା ଓ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାର ବିକାଶ ପାଇଁ ବିଡ଼ିଓ ଶରତ କୁମାର ମଲ୍ଲିକଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୋକୁଳ ଚନ୍ଦ୍ର ବଳବନ୍ତରାୟ ଏଥିପ୍ରତି ଶୀଘ୍ର ଦୃଷ୍ଟି ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍କୁଲ ପରିଚାଳନା କମିଟି ଓ ଅଭିଭାବକମାନେ ଅନୁରୋଧ କରିଅଛନ୍ତି।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.