ସୁନାପୁର,୦୫/୦୨(ପିପିଟି): ଚିକିଟି ନିର୍ବାଚନ ମଣ୍ଡଳୀର ହୃତ ଗୌରବକୁ ଫେରେଇ ଆଣିବା ପାଇଁ ବହୁ ବର୍ଷ ପରେ ଆରମ୍ଭ ହୋଇଥିବା ସୁନାପୁର ବେଳାଭୂମି ମହୋତ୍ସବ ସର୍ବ ସଫଳତାର ସହ ଶେଷ ହୋଇଛି ଉଦଯାପନୀ ସନ୍ଧ୍ୟାରେ ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ମୁଖ୍ୟଅତିଥି ଏବଂ ସୋରଡା ବିଧାୟକ ନୀଳମଣି ବିଷୋୟୀ, ଚିକିଟି ବିଧାୟକ ତଥା ମହୋତ୍ସବର ସଭାପତି ମନୋରଞ୍ଜନ ଦ୍ୟାନ ସାମନ୍ତରା, ସାଂସଦଙ୍କ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା, ବିଜେପି ଜ଼ିଲ୍ଲା ସଭାପତି ସରୋଜ ସାବତ, ଦକ୍ଷିଣାଞ୍ଚଳ ଆଇଜି ନିତି ଶେଖର, ଜ଼ିଲ୍ଲାପାଳ ଭି କୀର୍ତ୍ତି ୱାସନ, ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଡା ଶ୍ରବଣ ବିବେକ ଏମ, ଅତିରିକ୍ତ ଜ଼ିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ବ୍ରହ୍ମପୁର ଉପଜ଼ିଲ୍ଲାପାଳ ଅବିନାଶ କୁମାର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।
ମୁଖ୍ୟଅତିଥି ଶ୍ରୀ ସ୍ୱାଇଁ ସ୍ଥାନୀୟ ଦେବାଦେବୀଙ୍କ ଆଶୀର୍ବାଦ ଓ ଜ଼ିଲ୍ଲାର ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଥିଲେ ଯେ, ପର୍ଯ୍ୟଟନକୁ ଗତି ଦେବା ପାଇଁ ଆୟୋଜିତ ଏହି ମହୋତ୍ସବ କେବଳ ଚିକିଟିର ନୁହଁ ଏହା ଗଞ୍ଜାମର ଗୌରବ।
ସଂଗ୍ରାମ ଓ ସାହିତ୍ୟର ମାଟି ଗଞ୍ଜାମର ବିକାଶକୁ ଡବଲ ଇଞ୍ଜିନର ସରକାର ସବୁବେଳେ ପ୍ରାଧାନ୍ୟ ଦେଇଆସିଛି। ଗଞ୍ଜାମର ପ୍ରଗତି ପାଇଁ ବାହୁଦାଠାରେ ଏକ ବୃହତ ବନ୍ଦର ନିର୍ମାଣ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ବନ୍ଦର ପ୍ରତିଷ୍ଠା ହେଲେ ଗଞ୍ଜାମରେ ପୋର୍ଟ ଓ ଆନୁସଙ୍ଗିକ ଶିଳ୍ପ ଗଢିଉଠିବ ଓ ଗଞ୍ଜାମବାସୀ ଲାଭାନ୍ୱିତ ହେବେ । ଏହା ସହିତ ବେଳାଭୂମିର ସୌନ୍ଦର୍ଯ୍ୟକରଣ ଓ ଖଣିଜ ଶିଳ୍ପର ବିକାଶ ପାଇଁ କେନ୍ଦ୍ର ବଜେଟରେ ବହୁତ ଗୁରୁତ୍ୱ ଦିଆ ଯାଇଛି ବୋଲି ସେ କହିଥିଲେ ।
ଓଡ଼ିଶାର ଅର୍ଥନୀତିକୁ ୨୦୩୬ ସୁଦ୍ଧା ୧.୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କହିବା ଓ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସଂକଳ୍ପବଦ୍ଧ। ସେହି ଅବଲୋକନରେ ପ୍ରତି ଜ଼ିଲ୍ଲାରେ ସେଣ୍ଟର ଅଫ ଏକ୍ସଲେନ୍ସ ପ୍ରତିଷ୍ଠା କରାଯାଉଛି ବୋଲି ସେ କହିଥିଲେ ।
ଭୁବନେଶ୍ୱର ଭଳି ବ୍ରହ୍ମପୁରରେ ମଧ୍ୟ ଏକ ୱାର୍ଲଡ ସ୍କିଲ ସେଣ୍ଟର ପ୍ରତିଷ୍ଠା କରାଯାଇ ସ୍ଥାନୀୟ ଯୁବକଯୁବତୀମାନଙ୍କୁ ପାରଙ୍ଗମ ଓ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ।
ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ ଏହି ମହୋତ୍ସବ ଚିକିଟିର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରଗତିର ବାର୍ତ୍ତାବହ ହୋଇପାରିଛି ।
ଚିକିଟି ବିଧାୟକ ଶ୍ରୀ ଦ୍ୟାନ ସାମନ୍ତରା ସ୍ୱାଗତ ଭାଷଣରେ କହିଥିଲେ ଯେ, ଚଳିତ ମହୋତ୍ସବ ଚିକିଟି ଓ ସୁନାପୁରର ସୁନାମକୁ ସାରା ଭାରତରେ ବିଦିତ କରିପାରିଛି । ସମସ୍ତଙ୍କ ସହଯୋଗ ଯୋଗୁଁ ଏହି ମହୋତ୍ସବ ସଫଳ ହୋଇଛି। ସ୍ଥାନୀୟ ଅଞ୍ଚଳବାସୀ ଓ ଅନ୍ୟ ସମସ୍ତଙ୍କର ଏଭଳି ସହଯୋଗ ରହିଲେ ଆସନ୍ତାବର୍ଷ ଏ ମହୋତ୍ସବର କଳେବର ଓ ଗୌରବ ଆହୁରି ବୃଦ୍ଧି ପାଇବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।
ସୁନାପୁର ବେଳାଭୂମି ମହୋତ୍ସବ ଗଞ୍ଜାମର ଏକ ବଡ଼ ମହୋତ୍ସବର ପରିଣତ ହୋଇଛି। ସମସ୍ତଙ୍କ ସହଯୋଗରେ ଏହା ସମ୍ଭବ ହୋଇପାରିଛି ବୋଲି ଜ଼ିଲ୍ଲାପାଳ ଭି କୀର୍ତ୍ତି ୱାସନ କହିଥିଲେ। ମହୋତ୍ସବର ଆବାହିକା ମୀନା ଦ୍ୟାନ ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।
ତୃତୀୟ ଦିବସରେ ଇଣ୍ଡିଆନ୍ ଆଇଡଲ୍ ଜରିଆରେ ସାରା ଦେଶରେ ନାଁ କମେଇଥିବା ଗାୟିକା ଅରୁଣିତା କାଞ୍ଜିଲାଲଙ୍କ ସୁମଧୁର ଗୀତରେ ମନ୍ତ୍ରମୁଗ୍ଧ ହେଲେ ଶ୍ରୋତା ।
ଶ୍ରୀ ଶ୍ରୀ ବାଲାଜୀ ଠାକୁର ନାଟ୍ୟ ସଂଘ, ଚିକିଟି ଦ୍ୱାରା ପ୍ରସ୍ତୁତ ପ୍ରହଲ୍ଲାଦ ନାଟକ, ଓଁ ଶ୍ରୀ ମା ଦଣ୍ଡକାଳୀ ଗଣନାଟ୍ୟ, କଳାବାଡ଼ ଦ୍ୱାରା ଦଣ୍ଡ ନାଚ, ନୀଳାଦ୍ରି ଗୋଟିପୁଅ ନୃତ୍ୟ ପରିଷଦ, ସାକ୍ଷୀଗୋପାଳର ଗୋଟିପୁଅ ନୃତ୍ୟ, ପଦ୍ମବିଭୂଷଣ ଗୁରୁ କେଳୁଚରଣ କଳା କେନ୍ଦ୍ର, ବ୍ରହ୍ମପୁରର ସମ୍ବଲପୁରୀ ନୃତ୍ୟ, ୱାଓ ଡାନ୍ସ ଷ୍ଟୁଡିଓ, ବ୍ରହ୍ମପୁରର ଆଧୁନିକ ନୃତ୍ୟ, ଗଣେଶ ଆୟାନୀ ଡାନ୍ସ ଗ୍ରୁପ, ବ୍ରହ୍ମପୁରର ସମ୍ବଲପୁରୀ ନୃତ୍ୟ, ଜେଡିସି ଆକ୍ଟିଂ ଷ୍ଟୁଡିଓ, ଛତ୍ରପୁରର ଆଧୁନିକ ନୃତ୍ୟ, ନ୍ୟୁ ଟାଲେଣ୍ଟ ଡାନ୍ସ ଏକାଡେମୀ, ଛତ୍ରପୁରର ଆଧୁନିକ ନୃତ୍ୟ ଏବଂ ଶିବ ତାଣ୍ଡବ ସଂସ୍କୃତି ଭବନମ୍, ବ୍ରହ୍ମପୁରର ଭାରତନାଟ୍ୟମ୍ ନୃତ୍ୟ ଦର୍ଶକଙ୍କୁ ବିଭୋର କରିଥିଲା ।
ଏହି ମଞ୍ଚରେ ସାମାଜିକ, ସାଂସ୍କୃତିକ ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତିବିଶେଷ ଓ ମହୋତ୍ସବକୁ ସଫଳ ହେବାରେ ସାହାଯ୍ୟ କରିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯାଇଥିଲା।
ଚିକିଟି ବିଡ଼ିଓ ବିବେକାନନ୍ଦ ମିଶ୍ର, ଚିକିଟି ତହସିଲଦାର ବିଶ୍ୱରଂଜନ, ପାତ୍ରପୁର ବିଡ଼ିଓ ଲକ୍ଷ୍ମଣ ଚରଣ ସୋରେନ ସ୍ଥାନୀୟ ପୋଲିସ ପ୍ରଶାସନ ଓ ଅନ୍ୟାନ୍ୟ ସମସ୍ତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା । ମହୋତ୍ସବରେ ଲକ୍ଷାଧିକ ଲୋକଙ୍କର ସମାଗମ ପରିଲିକ୍ଷିତ ହୋଇଥିଲା ।