ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସରେ ମୂଖ୍ୟ ଅତିଥି ଭାବେ ଯୋଗଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ।

0 300

ସୁନାପୁର,୦୪/୦୨(ପିପିଟି):ସୁନାପୁର ବେଳାଭୂମି ମହୋତ୍ସବର ଦ୍ଵିତୀୟ ଦିବସରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ମୁଖ୍ୟଅତିଥି ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ, ଆସ୍କା ବିଧାୟକ ସରୋଜ କୁମାର ପାଢୀ, ବ୍ରହ୍ମପୁର ବିଧାୟକ କେ ଅନିଲ କୁମାର, ଚିକିଟି ବିଧାୟକ ତଥା ମହୋତ୍ସବର ସଭାପତି ମନୋରଞ୍ଜନ ଦ୍ୟାନ ସାମନ୍ତରା,ସାଂସଦଙ୍କ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରା, ଭାରତୀୟ ଜନତା ପାର୍ଟିର ଜ଼ିଲ୍ଲା ସଭାପତି ସରୋଜ ସାବତ,ଅତିରିକ୍ତ ଜ଼ିଲ୍ଲାପାଳ ସୁନୀଲ କେର୍କେଟା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସାନ୍ଦ୍ୟ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ।

ମୁଖ୍ୟଅତିଥି ଶ୍ରୀ ନାଏକ ପଞ୍ଚ ଦେବୀଙ୍କୁ ପ୍ରଣିପାତ କରି କହିଥିଲେ ଯେ, ଗଞ୍ଜାମ ମାଟି କଳା ସାହିତ୍ୟ ସଂସ୍କୃତି ଓ ପରମ୍ପରାର ଅଦ୍ୱିତୀୟ ମାଟି। ପୃଥିବୀର ଯେଉଁ କୋଣ ଅନୁକୋଣକୁ ଯାଆନ୍ତୁ ନିଶ୍ଚୟ ଜଣେ ଗଞ୍ଜାମ ଜ଼ିଲ୍ଲାର ଲୋକକୁ ପାଇବେ । ଏହା ଠାରୁ ଅଧିକ ଗର୍ବର ବିଷୟ ଏ ମାଟି ପାଇଁ ଆଉ କଣ ହୋଇପାରେ।

ଗଞ୍ଜାମର ବେଳାଭୂମି ଓ ଅନ୍ୟାନ୍ୟ ସୌନ୍ଦର୍ଯ୍ୟ ପୃଷ୍ଠଭୂମିକୁ ବିଶ୍ଵସ୍ତରୀୟ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସଂକଳ୍ପବଦ୍ଧ। ଗଞ୍ଜାମର ଆର୍ଥିକ ଦୁର୍ବଳ ସମସ୍ତ ଲୋକଙ୍କ ପାଇଁ ଗୃହ ଏବଂ ଚିକିଟି ନିର୍ବାଚନ ମଣ୍ଡଳୀ ଓ ସୁନାପୁରର ଆଖପାଖ ପଞ୍ଚାୟତରେ ଲବଣ ପାଣି ଯୋଗୁଁ ଉତ୍ପନ୍ନ ପାନୀୟ ଜଳ ସମସ୍ୟାର ଦୂରୀକରଣ ପାଇଁ ବିଭାଗ ପକ୍ଷରୁ ଅଳ୍ପ ଦିନ ବ୍ୟବଧାନ ଭିତରେ ନିଆଯିବାକୁ ଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଶ୍ରୀ ନାଏକ ଉଲ୍ଲେଖ କରିଥିଲେ।

ସୁନାପୁର କେବଳ ଗଞ୍ଜାମର ଗର୍ବ ନୁହେଁ ସମଗ୍ର ଓଡ଼ିଶାର ଗର୍ବ। ଏଭଳି ଭବ୍ୟ ଆୟୋଜନ ଦ୍ୱାରା ଆଗାମୀ ଦିନରେ ସୁନାପୁରର ସୁନାମ ଆହୁରି ଅଧିକ ବଢିବ ବୋଲି ଆସ୍କା ବିଧାୟକ ଶ୍ରୀ ପାଢ଼ୀ ଆଶାବ୍ୟକ୍ତ କରିଥିଲେ।

ଖଲ୍ଲିକୋଟ ବିଧାୟକ ଶ୍ରୀ ସେଠୀ ଓଡ଼ିଶାର ନୌବାଣିଜ୍ୟ ପରମ୍ପରାର ସମୃଦ୍ଧ ଇତିହାସ ସମ୍ପର୍କରେ ବର୍ଣ୍ଣନା କରିବା ସହିତ ମହୋତ୍ସବର ଉତ୍ତରତ୍ତର ଉନ୍ନତି କାମନା କରିଥିଲେ।

ସ୍ୱାଗତ ଭାଷଣରେ ବିଜେପି ଜିଲ୍ଲା ସଭାପତି ଶ୍ରୀ ସାବତ ସୁନାପୁର ବେଳାଭୂମିକୁ ଏ ମହୋତ୍ସବ ଜରିଆରେ ଭାରତବର୍ଷର ଏକ ଶ୍ରେଷ୍ଠ ପର୍ଯ୍ୟଟନ ସ୍ଥଳୀରେ ପରିଣତ କରିବାର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ ।

ଚିକିଟି ବିଧାୟକ ଦ୍ୟାନ ସାମନ୍ତରା ଧନ୍ୟବାଦ ଜ୍ଞାପନ ଅବସରରେ ବ୍ଲୁ ଫ୍ଲାଗ ମାନ୍ୟତା ପ୍ରାପ୍ତ ସୁନାପୁରର ସୌନ୍ଦର୍ଯ୍ୟ ଓ ଅରୁଣିମାକୁ ଦେଶରେ ସର୍ବଜନବିଦିତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିବା ସହିତ ସ୍ଥାନୀୟ ଅଞ୍ଚଳର ପାନୀୟ ଜଳ ସମସ୍ୟା ସମ୍ପର୍କରେ ବିଭାଗୀୟ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ଆଜିର ସନ୍ଧ୍ୟାରେ ସୁପ୍ରସିଦ୍ଧ ଗାୟିକା ସୁଜ୍ଞାନୀ ମହାପାତ୍ର, ଓଲିଉଡ୍ ଡ୍ଯାନ୍ସର ଶୈଳେନ୍ଦ୍ର-ସୋହାନୀ ଓ ଟଲିଉଡ୍ ର ହାସ୍ଯ ଅଭିନେତା ମହମ୍ମଦ ଅଲ୍ଲିଙ୍କ ନୃତ୍ୟ,ସଂଗୀତ ଓ ଅଭିନୟ ଦେଖଣାହାରୀଙ୍କୁ ମନ୍ତ୍ରମୁଗ୍ଧ କରିଥିଲା ।

ଏହି ଅବସରରେ ସାମାଜିକ, ସାଂସ୍କୃତିକ ଓ ଗଣମାଧ୍ୟମ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଭିନ୍ନ ବ୍ୟକ୍ତି ବିଶେଷକୁ ସମ୍ମାନିତ କରାଯାଇଥିଲା।

ପାତ୍ରପୁରର ପାଲା ଗ୍ରୁପ୍, ଶ୍ରୀ ଶ୍ରୀ ମା ବୁଢ଼ୀ ଠାକୁରାଣୀ ନାଟ୍ୟ ସଂଘ, ସୁନାପୁରର ଠାକୁରାଣୀ ନୃତ୍ୟାନୁଷ୍ଠାନ, ନୂଆପଡ଼ାର ନିୟୁ ଷ୍ଟାର୍ ଡ୍ୟାନ୍ସ ଗ୍ରୁପ୍, ଚିକିଟିର ମଧୁ ଗ୍ରୁପ୍, ଛତ୍ରପୁରର ସଲମାନ ଡ୍ୟାନ୍ସ ଗ୍ରୁପ୍, ବ୍ରହ୍ମପୁରର ଅନ୍ୱେଷା କଳା କେନ୍ଦ୍ର, ଛତ୍ରପୁରର ଡ଼ିଏସଆର ସାଂସ୍କୃତିକ ଏବଂ ଚାରିଟେବୁଲ୍ ଟ୍ରଷ୍ଟ, ବ୍ରହ୍ମପୁରର ଶ୍ରୁତି ଡ୍ୟାନ୍ସ ଏକାଡେମୀ, ସ୍ୱାଗୀ ସ୍କ୍ୱାଡ୍ ଡ୍ୟାନ୍ସ ଏବଂ ଫ୍ୟାଶନ ଏକାଡେମୀ ଆଦି ଅଂଶ ଗ୍ରହଣ କରି ନିଜ କଳା ମାଧ୍ୟମରେ ଦର୍ଶକଙ୍କ ମନ କିଣି ନେଇଥିଲେ ।

ଏହି ଅବସରରେ ବିଭିନ୍ନ ବେଳାଭୂମି କ୍ରୀଡାର ଆୟୋଜନ ଏବଂ ଉପାନ୍ତ ସାହିତ୍ୟ ସଂସଦ ଦ୍ୱାରା କବିତା ଆସର ଓ ସାହିତ୍ୟ ଆଲୋଚନା କରାଯାଇଥିଲା।

ଚିକିଟି ଵି.ଡି.ଓ ବିବେକାନନ୍ଦ ମିଶ୍ର, ଚିକିଟି ତହସିଲଦାର ବିଶ୍ୱରଂଜନ ଓ ଅନ୍ୟାନ୍ୟ ଅଧିକାରୀଙ୍କ ସହଯୋଗରେ ଆଜିର ସମସ୍ତ କାର୍ଯ୍ୟକ୍ରମ ସଫଳ ହୋଇଥିଲା ।

Leave A Reply

Your email address will not be published.