ସୁଧାଂଶୁ ଶେଖର ପଣ୍ଡାଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ।

0 318

ବ୍ରହ୍ମପୁର,୨୫/୦୧(ପିପିଟି):ବହୁ ଜନ ଆନ୍ଦୋଳନର ନେତା ସୁଧାଂଶୁ ଶେଖର ପଣ୍ଡାଙ୍କ ଜାନୁୟାରୀ ୧ ତାରିଖ ମଧ୍ଯରାତ୍ରରେ ଦେହାନ୍ତ ହୋଇ ଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଛାତ୍ର ଜୀବନରୁ କମ୍ଯୁନିଜମ୍ ଆଦର୍ଶରେ ଅନୁପ୍ରାଣିତ ହୋଇ ଅଖିଳ ଭାରତ ଛାତ୍ର ସଂଘରେ ଯୋଗଦେଇ ଛାତ୍ର ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଅଖିଳ ଭାରତ ଯୁବ ସଂଘର ମୁଖପତ୍ର ‘ଯୁବ ଶକ୍ତି’ର ସଂପାଦନା କରିବା ସାଙ୍ଗକୁ ପାକ୍ଷିକ ‘ଦକ୍ଷିଣ ବାର୍ତ୍ତା’ ପତ୍ରିକାର ପ୍ରକାଶନ କରିବା ସହିତ ସିପିଆଇର ବ୍ରହ୍ମପୁର ଆଞ୍ଚଳିକ ସମ୍ପାଦକ ଭାବେ ଜନସମସ୍ଯାକୁ ନେଇ ବହୁ ଜନ ଆନ୍ଦୋଳନର ନେତୃତ୍ବ ନେଇଥିଲେ। ଗଞ୍ଜାମ ବାର ଆସୋସିଏସନ ର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ବ୍ରହ୍ମପୁର ଠାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆନ୍ଦୋଳନର ଆନ୍ଦୋଳନର ମୂଳଦୁଆ ପକାଇଥିଲେ। ସିପିଆଇ ପକ୍ଷରୁ ସୁଧାଂଶୁ ଶେଖର ପଣ୍ଡାଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା ପ୍ରକାଶମ ହଲ୍ ଠାରେ ସିପିଆଇ ନେତା ଶ୍ରୀହର୍ଷ ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ସିପିଆଇ ଜାତୀୟ ସମ୍ପାଦକ ରାମକୃଷ୍ଣ ପଣ୍ଡା,ସିପିଆଇ(ଏମ୍) ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ସିପିଆଇ(ଏମଏଲ) ରାଜ୍ଯ ନେତା ଭାଲଚନ୍ଦ୍ର ଷଢଙ୍ଗୀ, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା, ବରିଷ୍ଠ ସାମ୍ବାଦିକ ରବି ରଥ,ଫରୱାର୍ଡ ବ୍ଲକ ନେତା ସମରଜିତ୍ ମହାନ୍ତି, ଏସୟୁସିଆଇ ଜିଲ୍ଲା ସମ୍ପାଦକ ସୋମନାଥ ବେହେରା,ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ,ବରିଷ୍ଠ ଆଇନଜୀବୀ ନଗେନ୍ଦ୍ର ତ୍ରିପାଠୀ,ବରିଷ୍ଠ ନେତା ଜାମୁଲା ଶଙ୍କର,ଏଆଇୱାଇଏଫ୍ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ,ଆପ୍ ଗଞ୍ଜାମ ଜିଲ୍ଲା ଆବାହକ ସୁବାସ ରାଉତ ପ୍ରମୁଖ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତିଚାରଣ କରି ବକ୍ତବ୍ଯ ପ୍ରଦାନ କରିଥିଲେ। ସ୍ବର୍ଗତ ପଣ୍ଡା ଗରୀବର ବନ୍ଧୁ ଥିଲେ,ପ୍ରତିକୂଳ ପରିସ୍ଥିତିରେ ବିଭିନ୍ନ ସମସ୍ୟାକୁ ନେଇ ଲଢେଇ କରୁଥିଲେ,ବ୍ରହ୍ମପୁରର ସ୍ବର ଥିଲେ,ସେ ଜଣେ ଉଚ୍ଚ କୋଟୀର ବକ୍ତା ଥିଲେ। ସେ ଇଂରାଜୀ,ହିନ୍ଦି,ବଙ୍ଗାଳୀ ଓ ତେଲେଗୁ ଭାଷାରେ ମତବ୍ୟକ୍ତ କରିପାରୁଥିଲେ। ଆଇନ ସେବାରେ ମଧ୍ଯ ଲୋକଙ୍କୁ ସହାୟତା ପ୍ରଦାନ କରୁଥିଲେ ବୋଲି ମଞ୍ଚାସୀନ ଅତିଥିବୃନ୍ଦ ବକ୍ତବ୍ଯରେ କହିଥିଲେ। ଏହି କାର୍ଯ୍ୟକ୍ରମରେ ଶ୍ରମିକ ନେତା ପ୍ରବୀଣ ଦାଶ,ବରିଷ୍ଠ ସାମ୍ବାଦିକ ହରିହର ପାତ୍ର,ଯୁବ ନେତା କାମଦେବ ନାହାକ, ସାନଖେମୁଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ଯାମୀ ସ୍ବାଇଁ,କୃଷକ ନେତା ସୀମାଞ୍ଚଳ ସାହୁ,ଆଇନଜୀବୀ ରଘୁନାଥ ଗୌଡ,ଆଇନଜୀବୀ କୈଳାସ ପୋଲେଇ, ସିପିଆଇ ନେତା ଅନନ୍ତ ମହାଙ୍କୁଡ, ସତ୍ଯନାରାୟଣ ମହାପାତ୍ର ସମେତ ବିଭିନ୍ନ ସଂଗଠନର ନେତୃତ୍ବ ଉପସ୍ଥିତ ଥିଲେ।

Leave A Reply

Your email address will not be published.