ପୋଲସରା, ୨୮/୦୧ (ପିପିଟି);ପୋଲସରା ଥାନା ଅନ୍ତର୍ଗତ ହିରାପଲ୍ଲୀ ଗ୍ରାମ ରେ ପ୍ରାଥମିକ ବିଦ୍ୟାଳୟର ସୀମା ବିବାଦ ଯୋଗୁଁ ଗ୍ରାମବାସୀଙ୍କ ଆକ୍ରମଣ ରେ ଜଣେ ବ୍ୟକ୍ତିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ ହିରାପଲ୍ଲୀ ଗ୍ରାମର ପ୍ରାଥମିକ ବିଦ୍ୟାଳୟକୁ ଲାଗି ସେହି ଗ୍ରାମର ପ୍ରଭାକର ଗୌଡଙ୍କ ଘର। ତେବେ ବିଦ୍ୟାଳୟର ପ୍ରାଚୀର ନିର୍ମାଣ ସମୟରେ ପ୍ରଭାକର ଗୌଡଙ୍କ ଘରଡିହକୁ ଜବରଦଖଲ କରି ଗ୍ରାମବାସୀ ପ୍ରାଚୀର ନିର୍ମାଣ କରୁଥିବା ସମ୍ପର୍କରେ ପ୍ରଭାକର ପୋଲସରା ଥାନାରେ ଅଭିଯୋଗ କରିଥିଲେ। ସେହିପରି ପ୍ରଭାକର ଗୌଡ ବିଦ୍ୟାଳୟର ଘରଡିହର କିଛି ଅଂଶ ଦଖଲ କରିଥିବା ସମ୍ପର୍କରେ ଗ୍ରାମବାସୀ ମଧ୍ୟ ଥାନାରେ ଅଭିଯୋଗ କରିଥିଲେ। ପ୍ରାୟ ଏକ ବର୍ଷ ହେବ ପ୍ରଭାକର ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ରାଜସ୍ବ ବିଭାଗ ଦ୍ୱାରା ସୀମା ନିର୍ଣ୍ଣୟ କରି ନିର୍ମାଣ କାର୍ଯ୍ୟ କରିବା ପାଇଁ ଥାନା ପକ୍ଷରୁ ଉଭୟ ପକ୍ଷକୁ ପରାମର୍ଶ ଦିଆଯାଇଥିଲା। ଏହାସତ୍ତ୍ୱେ ବିବାଦ ଲାଗି ରହିଥିଲା। ବୁଧବାର ଦିନ ଏହି ଘଟଣାକୁ କେନ୍ଦ୍ର କରି ଗ୍ରାମବାସୀ ପ୍ରଭାକରକୁ ଆକ୍ରମଣ କରିଥିବା ଏବଂ ଏଥି ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପ୍ରଭାକରଙ୍କ ପୁଅ ଦେବେନ୍ଦ୍ର ଓ ଝିଅ ପ୍ରତିମା ଗୌଡ କହିଛନ୍ତି। ଅପରପକ୍ଷରେ ପ୍ରଭାକର ଅତ୍ୟଧିକ ମଦ୍ୟପାନ ଯୋଗୁଁ ମୃତ୍ୟୁ ବରଣ କରିଥିବା ଗ୍ରାମବାସୀ କହିଛନ୍ତି। ସ୍ଥାନୀୟ ପୋଲିସ କେସ ନମ୍ବର ୨୩/୨୧ ପ୍ରକାରେ ଅପମୃତ୍ୟୁ ମାମଲା ରୁଜୁ ସହ ଘଟଣାର ଅନୁସନ୍ଧାନ କରୁଥିବା ସୂଚନା ମିଳିଛି।
(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା।)