ସିମୁଳିଆ ପଞ୍ଚାୟତ ସମିତିର ସପ୍ତମ ବୈଠକ;ବିଭିନ୍ନ ବିଭାଗରେ ଅନିୟମିତତା ନେଇ ଅସନ୍ତୋଷ ।

0 204

ସିମୁଳିଆ,୨୦/୦୯: ସିମୁଳିଆ ପଞ୍ଚାୟତ ସମିତି ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଅତିଥି ଭାବେ ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ବ୍ଲକର ସମସ୍ତ ବିଭାଗ ସରକାରୀ ଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ବ୍ଳକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ ଅଧ୍ୟକ୍ଷତାରେ ଅନ୍ୟତମ ଅତିଥି ଭାବେ ସିମୁଳିଆ ବିଡ଼ିଓ ସମ୍ବିତ କୁମାର କର,ତହସିଲଦାର ସୁନିଲ କୁମାର ଟୁଡୁ,ଏଇଇ ଗୌରବ କୁମାର ସାହୁ,ବ୍ଳକ ଉପାଧକ୍ଷା ହିମାଦ୍ରୀ ନନ୍ଦିନୀ ମହାପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ । ଏହି ଅବସରରେ ପୂର୍ବ ବୈଠକରେ ଅନୁଷ୍ଠିତ ଯୋଜନା ସମ୍ପର୍କରେ ବ୍ଳକ ଜି.ପି.ଓ ମୃତୁଞ୍ଜୟ ନାୟକ ବିବରଣୀ ପାଠ କରିଥିଲେ । ଉକ୍ତ ବୈଠକରେ ଶିକ୍ଷା, ମିଶନ ଶକ୍ତି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସ୍ୱାସ୍ଥ୍ୟ, କୃଷି, ଶିଶୁ ବିକାଶ, ଉଦ୍ୟାନ, ପାନୀୟଜଳ ଓ ପରିମଳ, ଗ୍ରାମ୍ୟ ଉନ୍ନୟନ, ପ୍ରଧାନମନ୍ତ୍ରୀ ଆବାସ, ଉନ୍ନୟନ ମୂଳକ କାର୍ଯ୍ୟର ସମସ୍ତ ବ୍ଳକ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟ ସମୀକ୍ଷା କରିଥିଲେ । ମାତ୍ର ରାସ୍ତା ଏବଂ ଗୃହ ନିର୍ମାଣ ବିଭାଗ ଏହି ବୈଠକରେ ଅନୁପସ୍ଥିତ ଥିବା ନେଇ ବିଧାୟକ ଓ ସାଂସଦ ବିରକ୍ତି ପ୍ରକାଶ କରିଥିଲେ । ଅଧିକାରୀ ଅନୁପସ୍ଥିତ ରହିଲେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟ ହେବ କେମିତି ପ୍ରଶ୍ନ କରିଥିଲେ । ଶିକ୍ଷା ଓ ମିଶନ ଶକ୍ତି ବହୁ ଅନିୟମିତତା ନେଇ ଅଧିକାଂଶ ଲୋକପ୍ରତିନିଧି ଅଭିଯୋଗ ଆଣିଥିଲେ । ଶିକ୍ଷା ଓ ସ୍ୱାସ୍ଥ୍ୟ ବିଭାଗରେ ଶିକ୍ଷକ ଓ ଡାକ୍ତର ଅଭାବ ନେଇ ଅଭିଯୋଗ ହୋଇଥିଲା । ବ୍ଲକର ଶିକ୍ଷା ବିଭାଗର ୧୩୨ ଶିକ୍ଷକ ଅଭାବ ଥିବାର ଅତିରିକ୍ତ ବ୍ଳକ ଶିକ୍ଷାଅଧିକାରୀ ଅଜୟ କୁମାର ପଣ୍ଡା ସୂଚନା ଦେଇଥିଲେ । ବିଧାୟକ ଶ୍ରୀ ପଣ୍ଡା ସରକାର ପକ୍ଷରୁ ଖୁବଶୀଘ୍ର ଶିକ୍ଷକ ନିଯୁକ୍ତି ହେବ ଏବଂ ସିମୁଳିଆକୁ ୭୫ଶିକ୍ଷକ ନିଯୁକ୍ତି ପାଇବେ ବୋଲି କହିଥିଲେ । ଏଥି ସହିତ ଖୁବଶୀଘ୍ର ସିମୁଆରେ ଦମକଳ କେନ୍ଦ୍ର ଏବଂ ଟ୍ରେଜେରୀ କାର୍ଯ୍ୟାଳୟ ପ୍ରତିଷ୍ଠା ହେବା ନେଇ ସୂଚନା ଦେଇଥିଲେ । ବ୍ଲକର ୨୨ଗୋଟି ପଞ୍ଚାୟତରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲା ପରିଷଦ ଉପସ୍ଥିତ ଥିଲେ । ବୈଠକ ପ୍ରାୟ ୪ଘଣ୍ଟା ଧରି ବିସ୍ତୃତ ଆଲୋଚନା କରାଯାଇ ସଭାସାଙ୍ଗ ହୋଇଥିଲା ।

Leave A Reply

Your email address will not be published.