ସିଙ୍ଗିପୁର ଗାଁରେ ଦୁଇ ଦଳିତଙ୍କ ଉପରେ ହୋଇଥିବା ଅମାନୁଷିକ ଅତ୍ଯାଚାରକୁ ନେଇ ଅନୁସନ୍ଧାନକାରୀ ଦଳ ପୋଲିସ ଡିଜି ଓ ମାନବିକ ଅଧିକାର କମିଶନଙ୍କୁ ଦାବୀ ପତ୍ର ପ୍ରଦାନ ।
ଭୁବନେଶ୍ୱର,୦୧/୦୭(ପିପିଟି) :ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଳକ୍ ଅନ୍ତର୍ଗତ ସିଙ୍ଗିପୁର ଗାଁ କୁ ଗ୍ରସ୍ତ କରି, ପୀଡିତ ଓ ତାଙ୍କ ପରିବାରକୁ ଭେଟିବା ସହ ଘଟଣା ସଂକ୍ରାନ୍ତରେ ତଥ୍ୟ ଅନୁସନ୍ଧାନ କରି ଫେରିଥିଲେ । ଆଜି ସେଠାରୁ ସଂଗୃହିତ ତଥ୍ୟର ଆଧାରରେ ପୋଲିସ ମହାନିର୍ଦେଶକ ଓ ମାନବାଧିକାର କମିଶନଙ୍କୁ ଭେଟି ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ ଓ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ । କେବଳ ଧରାକୋଟ ଘଟଣା ନୁହେଁ ବରଂ ରାଜ୍ୟର ଅନ୍ୟ ଜିଲ୍ଲା ମାଲକାନଗିରି, ମୟୁରଭଞ୍ଜ, ନବରଙ୍ଗପୁର ଆଦିରେ ଦଳିତ, ଆଦିବାସୀ ଓ ସଂଖ୍ୟାଲଘୁମାନଙ୍କ ଉପରେ ଆର.ଏସ.ଏସ, ବଜରଙ୍ଗ ଦଳ ତଥା ଗୋରକ୍ଷା ବାହିନୀ ଦ୍ବାରା ସାରା ରାଜ୍ୟରେ ହିଂସାର ଘଟଣା ବଢ଼ିବାରେ ଲାଗିଛି । ଧରାକୋଟ ବ୍ଲକରେ ଗତ ୨୨ ଜୁନ୍ ରେ ବର୍ବର ଆକ୍ରମଣ ଶିକାର ହୋଇଥିବା ଗ୍ରାମର ବାବୁଲା ନାୟକ ଏବଂ ବୁଲୁ ନାୟକଙ୍କ ଉପରେ ହୋଇଥିବା ସମସ୍ତ ଅମାନବୀୟ ଘଟଣା ସଂପର୍କରେ ସେମାନଙ୍କୁ ସାକ୍ଷାତ କରି ଗଟୁଥିବା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି। ସେମାନେ କହିଛନ୍ତି ଯେ,ଗାଁ ର ବିଭିନ୍ନ ବ୍ୟକ୍ତି ଙ୍କ ଠାରୁ ମଧ୍ୟ ଏ ହୃଦୟ ବିଦାରକ ଘଟଣା ଶୁଣି ସ୍ତବ୍ଧ ହୋଇଛନ୍ତି। ଧରାକୋଟ ଥାନା ଅଧିକାରୀଙ୍କୁ ମଧ୍ୟ ଏହି ଟିମ୍ ସାକ୍ଷାତ କରିଥିଲେ। ହରିପୁର ଗାଁର ଜଣେ ଚାଷୀଙ୍କ ଠାରୁ ଗୋଟିଏ ଗାଈ ଓ ଦୁଇଟି ବାଛୁରୀ କ୍ରୟ କରି ଘରକୁ ଆଣୁଥିବା ବେଳେ ଜାହାଡା ଗ୍ରାମର ରାଜା ସାମଲ ଏବଂ ବିଭିନ୍ନ ଥାନା ଅଞ୍ଚଳର ତଥାକଥିତ ଗୋ ରକ୍ଷକ ତଥା ବଜରଙ୍ଗ ଦଳର କର୍ମୀ ରାସ୍ତାରେ ଅଟକାଇ ୩୦ ହଜାର ଟଙ୍କା ଚାନ୍ଦା ମାଗିଥିଲେ । ଏତେ ଟଙ୍କା ଦେବାକୁ ସେ ନିଜର ଅସମର୍ଥତା ପ୍ରକାଶ କରିବାରୁ ସେମାନେ ସଂଘବଦ୍ଧ ହୋଇ ମାଡ ମାରିବା ସହ ତାଙ୍କ ମୁଣ୍ଡର ଗୋଟିଏ ପାର୍ଶ୍ୱକୁ ଲଣ୍ଡା କରି ରାସ୍ତାରେ ବୁଲାଇଲେ । ଏପରିକି ବାବୁଲା ନାୟକଙ୍କ ଉପରେ ଆକ୍ରମଣ ଖବର ପାଇ ସେହି ପାଖରେ ଏକ ପଥର କ୍ରସରରେ କାମ କରୁଥିବା ତାଙ୍କ ଗାଁର ବୁଲୁ ନାୟକ ଛଡେଇବାକୁ ଆସିବାରୁ ତାଙ୍କୁ ମଧ୍ୟ ସେମାନେ ଅଧା ଲଣ୍ଡା କରି ନିର୍ଦ୍ଧୁମ ମାଡ ମାରି ଗୁରୁଣ୍ଡେଇ ଗ୍ରାମରେ ବୁଲାଇଥିଲେ । ସେମାନଙ୍କ ପାଖରେ ଥିବା ଟଙ୍କା ଓ ମୋବାଇଲକୁ ଛଡେଇ ନେଇଥିଲେ ଏବଂ ଥାନାରେ ଅଭିଯୋଗ କଲେ ପ୍ରାଣରେ ମାରିଦେବାକୁ ଧମକ ଦେଇଥିଲେ । ମାଡ ଖାଇବା ପରେ ପିଇବା ପାଇଁ ପାଣି ମାଗିବାରୁ ନର୍ଦ୍ଦମାର ମଇଳା ପାଣି ଏବଂ ଘାସ ଖୁଆଇଥିଲେ। ତଥ୍ୟ ଅନୁସନ୍ଧାନକାରୀ ଦଳରେ ସାମିଲ ହୋଇଥିବା ସମସ୍ତ ସାମାଜିକ ଓ ରାଜନୈତିକ କର୍ମୀ ଭୁବନେଶ୍ଵରରେ ଆଜି ଏହି ଅମାନବୀୟ ଘଟଣା ସଂପର୍କରେ ସବିଶେଷ ତଥ୍ୟ କମିସନକୁ ଜଣାଇଥିଲେ। ପୀଡିତମାନଙ୍କୁ ଆବଶ୍ୟକୀୟ ଚିକିତ୍ସା ସୁବିଧା ଅଦ୍ୟାବଧି ଯୋଗାଯାଇ ନାହିଁ । ସମାନଙ୍କୁ ଭୟଭିତ କରାଯାଉଛି ବୋଲି ପ୍ରତିନିଧିମଣ୍ଡଳୀ କମିଶନଙ୍କୁ ଅବଗତ କରିଥିଲେ । ଏହି ଟିମରେ ଅଲ ଇଣ୍ଡିଆ ଫରୱାର୍ଡ ବ୍ଲକର ସାଧାରଣ ସମ୍ପାଦକ ଜ୍ୟୋତି ରଞ୍ଜନ ମହାପାତ୍ର, ସି.ପି.ଆଇ(ଏମ-ଏଲ) ଲିବରେସନ ର ମହେନ୍ଦ୍ର ପରିଡା,ସି.ପି.ଆଇ(ଏମ-ଏଲ) ରେଡଷ୍ଟାର ର ପ୍ରମିଳା, ଲେଖକ ତଥା ସାମାଜିକ କର୍ମୀ ମାନସ ଜେନା, ସାମାଜିକ ନ୍ୟାୟ ଆନ୍ଦୋଳନର ଅକ୍ଷୟ ମଲ୍ଲିକ, ଅଗ୍ରଗାମୀ ମହିଳା ସମିତିର ସାଧାରଣ ସଂପାଦକ ଲକ୍ଷ୍ମୀ ଡୋରା, ଆଜାଦ ହିନ୍ଦ ବାହିନୀର ରାଜ୍ୟ ସମ୍ପାଦିକା ସୁବତୀ ଆଜାଦ, ସାମାଜିକ କର୍ମୀ ଅମୀୟ ଭୂଷଣ ସେଠି ପ୍ରମୁଖ ସାମିଲ୍ ହୋଇଥିଲେ। ଘଟଣା ସଂକ୍ରାନ୍ତରେ ଅବଗତ ହେବା ପରେ ରାଜ୍ୟ ମାନବାଧିକାର କମିଶନ ଖୁବ ଶୀଘ୍ର ଏହାର ଶୁଣାଣି କରି ପୀଡ଼ିତଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ପ୍ରତିଶୃତି
ଦେଇଥଲେ ।