ବେଲଗୁଣ୍ଠା,୨୬/୦୨,ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ତନରଡା ଗ୍ରାମରେ ମାଆ ଶ୍ୟାମାକାଳୀଙ୍କ ମନ୍ଦିର ପ୍ରତିଷ୍ଠା ଅବସରରେ ଗତ ୨୦ ତାରିଖରୁ ୪୮ ପ୍ରହର ଅଖଣ୍ଡ ନାମ ଯଜ୍ଞ,ଅନ୍ନ ଯଜ୍ଞ,ଗୋ ଯଜ୍ଞ, ଘୃତ ଯଜ୍ଞ,ପଞ୍ଚ କୁଣ୍ଡିୟ ମହା ଯଜ୍ଞ ଅନୁଷ୍ଠିତ ହେଉଛି । ଏହି ଅବସରରେ ଗ୍ରାମରେ ମୀନା ବଜାର, ରାମ ଦୋଳି, ଟୋରାଟୋରା,ଡିସ୍କୋ ଏବଂ ଯାତ୍ରା ଭଳି ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି । ମୀନା ବଜାରରେ ଲୋକମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ନିମପଦରରୁ ଆସିଥିବା ରୋଶନ୍ କଳାକୁଞ୍ଜ ସମସ୍ତଙ୍କୁ ମନ୍ତ୍ର ମୁଗ୍ଧ କରୁଛି । ବିଶେଷ କରି ହେଲିକେପ୍ଟର, ୱାଟର୍ କିଙ୍ଗଡମ୍,ଡ୍ରାଗନ୍ ନିକଟରେ ଛୋଟ ଛୁଆଙ୍କ ମନ କିଣି ନେଉଛି । ସେହିପରି ମନ୍ଦିରର ସାଜସଜ୍ଜା, ଆକର୍ଷଣୀୟ ଶବ୍ଦ, ଆଲୋକ ମାଳାରେ ଗ୍ରାମ ଝଲସି ଉଠୁଛି । ଏହି ଅବସରରେ ଆଜି ମାଆ ଶ୍ୟାମା କାଳୀଙ୍କୁ ରତ୍ନ ସିଂହାସନରେ ବିଜେ କରାଯାଇଛି । ଆଜି ମାଆଙ୍କୁ ପାରମ୍ପରିକ ବାଜା ଏବଂ ବିରାଟ ବାଣ ପଟୁଆରରେ ଗ୍ରାମ ପରିକ୍ରମା କରାଯିବା ପରେ ହୋମ ଯଜ୍ଞ ଅନୁଷ୍ଠିତ କରାଯାଇ ମାଆଙ୍କୁ ସିଂହାସନରେ ବିଜେ କରାଯାଇଥିଲା । ପୂର୍ବରୁ ମନ୍ଦିରର ରତ୍ନ ମୁଦ ସ୍ଥାପନ କରାଯାଇଥିବା ବେଳେ ଆଜି ମନ୍ଦିରର ଦଧିନଉତି ସ୍ଥାପନ କରାଯାଇ ନେତ ବନ୍ଧା କାର୍ଯ୍ୟ ସମ୍ପନ୍ନ ହୋଇଥିଲା ଏବଂ ଯନ୍ତ୍ର ସ୍ଥାପନ କରାଯାଇଥିଲା । ଆଜି ମାଆଙ୍କ ସିଂହାସନ ବିଜେ ଅବସରରେ ଗ୍ରାମର ଶହ ଶହ ମହିଳା ଏବଂ ପୁରୁଷ ଉପବାସ କରିଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ମାଆଙ୍କ ଦର୍ଶନ କରିଥିଲେ ।
ରିପୋର୍ଟ୍ -ସୁଶାନ୍ତ କୁମାର ବେହେରା