ବ୍ରହ୍ମପୁର,୩୧/୧୦(ପିପିଟି):ଗୁରୁବାର ପୂର୍ବାହ୍ନ ଘ.୯.୩୦ମିନିଟ ସମୟରେ ସ୍ଥାନୀୟ ଉତ୍କଳ ଆଶ୍ରମ ସଭାଗୃହ, ବ୍ରହ୍ମପୁରରେ ଆମ ବ୍ୟଙ୍ଗ ପସରା ର ସାରଦିଆ(ସାରଦୀୟ)ସଂଖ୍ୟାର ଶୁଭ ପାଠକାର୍ପଣ ହୋଇ ଯାଉଅଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଡକ୍ଟର ଶ୍ୟାମା ପ୍ରସାଦ ମିଶ୍ର, ସାଧାରଣ ସମ୍ପାଦକ, ବିକ୍ଷିପ୍ତା ସାହିତ୍ୟ ପ୍ରତିଷ୍ଠାନ, ବୁଗୁଡା, ମୁଖ୍ୟ ବକ୍ତା ଭାବେ ଡକ୍ଟର ସୁରେନ୍ଦ୍ର ନାଥ ପାଣିଗ୍ରାହୀ,ସଭାପତି, ତ୍ରିଧାରା ସାହିତ୍ୟ ସଂସଦ, ବ୍ରହ୍ମପୁର ଓ ସଭାପତି ଭାବେ ଡକ୍ଟର ଲକ୍ଷ୍ମୀ ନାରାୟଣ ଦାଶ ସମ୍ବର୍ଦ୍ଧିତ ପ୍ରତିଭା ବିଶିଷ୍ଟ ଗବେଷକ ବେଙ୍କେଟ ବିହାରି ପ୍ରହରାଜ ଆମ ବ୍ୟଙ୍ଗ ପସରା ର ସମ୍ପାଦିକା ବସନ୍ତ ମିଶ୍ର ମଞ୍ଚସୀନ ଥିଲେ। ସମ୍ପାଦିକା ଅତିଥି ମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିବା ସହ ପତ୍ରିକା ସମ୍ପର୍କ ରେ ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିବା ବେଳେ ସୁଧାଞ୍ଜଳୀ ମିଶ୍ର ବେଦ ପାଠ କରି ଥିଲେ। ବିଶିଷ୍ଟ କବି ପ୍ରଫୁଲ୍ଲ କୁମାର ତ୍ରିପାଠୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ। ଅତିଥି ମାନଙ୍କ ସହିତ ପତ୍ରିକା ର ଉପଦେଷ୍ଟା ଗଙ୍ଗାଧର ପତି ପତ୍ରିକା ଉନ୍ମୋଚନ କରିଥିଲେ । ଶ୍ବେତପଦ୍ମା ସାହିତ୍ୟ ସଂସଦର ସଭାପତି ବିଜୟ ଚନ୍ଦ୍ର ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିଲେ । ପତ୍ରିକା ସମ୍ପର୍କରେ ବରିଷ୍ଠ ସାମ୍ବାଦିକ ବିଘ୍ନେଶ୍ୱର ସାହୁ ଗଠନ ମୂଳକ ମନ୍ତବ୍ୟ ପ୍ରଦାନକରିଥିଲେ । ଧରାକୋଟ ସରକାରୀ ସ୍ନାତ୍ତକ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସୁଜିତ କୁମାର ପଣ୍ଡା ବେଦ ଠାରୁ ରୀତି ଯୁଗ ପର୍ଯ୍ୟନ୍ତ ବ୍ୟଙ୍ଗ ସାହିତ୍ୟ ସମ୍ପର୍କରେ ସୂଚନା ପ୍ରଦାନ କରିବା ବେଳେ ଶ୍ରୀଭରତପତି ମହାବିଦ୍ୟାଳୟ ସାମନ୍ତଟିଆପଲ୍ଲୀର ଓଡ଼ିଆ ବିଭାଗୀୟ ମୁଖ୍ୟ ଡକ୍ଟର ଅଶୋକ କୁମାର ପଣ୍ଡା ଫକୀରମୋହନ ସେନାପତିଙ୍କ ଠାରୁ ଫତୁରାନନ୍ଦଙ୍କ ପର୍ଯ୍ୟନ୍ତେ ବ୍ୟଙ୍ଗ ଓ ହାସ୍ୟର ଉପସ୍ଥାପନ କରିଥିଲେ। ମୁଖ୍ୟବକ୍ତା ଡକ୍ଟର ପାଣିଗ୍ରାହୀ ବ୍ୟଙ୍ଗ ସାହିତ୍ୟ ଓ ପତ୍ରିକା ସମ୍ବନ୍ଧରେ ଅନେକ ଗୁରୁତ୍ତ୍ୱପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଡକ୍ଟର ମିଶ୍ର ପତ୍ରିକା ଓ ସଙ୍ଗଠନର ଭୂମିକା ଉପରେ ନିଜସ୍ୱ ବକ୍ତବ୍ୟ ରଖିଥିଲେ । ସଭାପତି ଡକ୍ଟର ଦାଶ ମଞ୍ଚ ପରିଚାଳନା କରିବା ସହ ପତ୍ରିକାର କଳେବର ସମୃଦ୍ଧି ଓ ଗଞ୍ଜାମରେ ବ୍ୟଙ୍ଗ ସାହିତ୍ୟର ସ୍ବତନ୍ତ୍ର ପରିଚୟ ସୃଷ୍ଟି ସର୍ଜନା ପାଇଁ ମତବ୍ୟକ୍ତ କରିଥିଲେ।ପରିଶେଷରେ ଆଇନଜୀବୀ ମନୋଜ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।