ବ୍ରହ୍ମପୁର,୧୧/୦୩(ପିପିଟି) : ଭାରତ ବର୍ଷର ୨୨ଟି ରାଜ୍ୟରେ ସାମ୍ୱାଦିକ ମାନଙ୍କୁ ପେନସନ ବ୍ୟବସ୍ଥା ଲାଗୁ ହୋଇଥିଲେ ମଧ୍ୟ ଓଡ଼ିଶାରେ ଦୀର୍ଘ ଚାରି ଦଶନ୍ଧି ଧରି ଏହି ବ୍ୟବସ୍ଥା ପ୍ରତିଶ୍ରୁତିରେ ହିଁ ରହିଛି ବୋଲି ଉତ୍କଳ ସାମ୍ୱାଦିକ ସଂଘ ଗଞ୍ଜାମ ଶାଖାର ପ୍ରଥମ ବାର୍ଷିକ ଅଧିବେଶନରେ ବକ୍ତାମାନେ ପ୍ରକାଶ କରିବା ସହ ରାଜ୍ୟ ସରକାର ନିଜ ପ୍ରତିଶ୍ରୁତି ରକ୍ଷା କରନ୍ତୁ ବୋଲି ଦାବି କରିଥିଲେ ।
ସ୍ଥାନୀୟ ଇଞ୍ଜିନିୟରିଂ ସ୍କୁଲ ଛକସ୍ଥିତ ରାଜସ୍ଵ ଡ଼ାକ ବଙ୍ଗଳା ପରିସରରେ ଆୟୋଜିତ ବାର୍ଷିକ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଉପସଭାପତି ରାମଚନ୍ଦ୍ର ପଣ୍ଡା, ବରିଷ୍ଠ ସାମ୍ୱାଦିକ ତଥା ଆଡ଼ଭୋକେଟ୍ ଭଗବାନ ସାହୁ, ନବୀନର ସମ୍ପାଦକ ତଥା ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ମହାସଂଘର ଅଧ୍ୟକ୍ଷ ରବି ରଥ, ଉତ୍କଳ ସାମ୍ୱାଦିକ ସଂଘର ସାଧାରଣ ସମ୍ପାଦକ ବେଣୁଧର ପଣ୍ଡା, କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣଚନ୍ଦ୍ର ନାୟକ, ସମାଜସେବୀ ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉଦବୋଧନ ଦେଇ ବିଜେପି ସରକାର କ୍ଷମତା ପାଇଲେ ସାମ୍ୱାଦିକ ପେନସନ ଓ ସୁରକ୍ଷା ପାଇଁ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଅଦ୍ୟାବଧି କୌଣସି ଫଳପ୍ରଦ ହୋଇପାରିନାହିଁ ।
ଆଡ଼ଭୋକେଟ୍ ଶ୍ରୀ ସାହୁ କହିଲେ ବର୍ତ୍ତମାନ ସାମ୍ୱାଦିକତାର ତରିକା ବଦଳିଗଲାଣି । ପୂର୍ବରୁ ଅନୁସନ୍ଧାନମୂଳକ ସାମ୍ୱାଦିକତା ହେଉଥିଲା ତାହା ସମ୍ପୂର୍ଣ୍ଣ ଭାବେ ଉଭେଇ ଯାଇଛି । ସାଧାରଣ ଜନତାଙ୍କ ସମସ୍ୟା ସମ୍ପର୍କିତ ଖବର ସମ୍ୱାଦପତ୍ରରେ ପ୍ରକାଶ ପାଉନଥିବାରୁ ଉଦବେଗ ପ୍ରକାଶ କରିଥିଲେ । ଶ୍ରୀ ରଥ କହିଲେ,ପୂର୍ବରୁ ସାମ୍ୱାଦିକମାନଙ୍କ ପ୍ରତି ଯଥେଷ୍ଟ ସମ୍ମାନ ଓ ସାଧାରଣ ଜନତାଙ୍କ ଭୟ ରହୁଥିଲା । କିନ୍ତୁ ଆଜି ତାହା ସମ୍ପୂର୍ଣ୍ଣ ଭାବେ ଲୋପ ପାଇଯାଇଛି । ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବା ଢ଼ଙ୍ଗ ପରିବର୍ତ୍ତନ ହୋଇଥିବା ଯୋଗୁଁ ଆଜି ସତ୍ୟ ଓ ନିରପେକ୍ଷ ସମ୍ୱାଦ ପ୍ରକାଶିତ ହୋଇପାରୁନାହିଁ ।
ଅଧିବେଶନରେ ସାମ୍ୱାଦିକ ପେନସନ, ସୁରକ୍ଷା, ସାମ୍ୱାଦିକ ଅଧିସ୍ଵୀକୃତି ଗଠନ, ସ୍ଵାସ୍ଥ୍ୟବୀମାରେ ମା ଓ ବାପାଙ୍କୁ ସାମିଲ କରିବା, ଓଡ଼ିଶାରେ ପ୍ରେସ୍ ଏକାଡ଼େମୀ ଗଠନ କରିବା ଇତ୍ୟାଦି ପ୍ରସ୍ତାବ ଗୃହିତ ହୋଇଥିଲା ।
ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ସୂର୍ଯ୍ୟ ନାରାୟଣ ଦାଶ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ସଭାପତି କ୍ଷେତ୍ରବାସୀ ରଥ, କାର୍ଯ୍ୟକାରୀ ସମ୍ପାଦକ ଅଭୟ ପାଢ଼ୀ, ବରିଷ୍ଠ ସାମ୍ୱାଦିକ ତଥା ରାଜ୍ୟ କାର୍ଯ୍ୟକାରୀ କମିଟି ସଦସ୍ୟ ପ୍ରକାଶ ମିଶ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରିଷ୍ଠ ପ୍ରେସ୍ ଫଟୋ ଗ୍ରାଫର ରବି ମହାରଣାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।