ମାଲକାନଗିରି, ୨୮୵୦୯(ପିପିଟି): ସରକାର ସାମ୍ବାଦିକମାନଙ୍କ ପ୍ରତି ଚରମ ଅବହେଳା ଓ ବୈମାତୃକ ଭାବ ପୋଷଣ କରିଆସୁଛନ୍ତି। ସେମାନ ଅର୍ଥ ନୈତିକ ଦିଗ ପ୍ରତି କେବେ ଚିନ୍ତା କରନ୍ତି ନାହିଁ। ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଭାବେ ପରିଚିତ ଗଣ ମାଧ୍ୟମ ତିନି ସ୍ତମ୍ଭ ଠାରୁ ଦୁର୍ବଳ। ସମସ୍ତ ସୁଖ ସୁବିଧା ଅକ୍ତିୟାର କରିବାରେ ଏହି ତିନି ସ୍ତମ୍ଭ ସିଦ୍ଧ ହସ୍ତ। ତେବେ ଦିନ ରାତି ସମାଜ ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ ରତ ସାମ୍ବାଦିକମାନଙ୍କ ପ୍ରତି ବିଶେଷ କରି ଓଡ଼ିଶା ରାଜ୍ୟ ସରକାର ଅଣଦେଖା। ଯେମିତି ମିଡିଆ ହାଉସର ମାଲିକମାନେ ସାମ୍ବାଦିକ ମାନଙ୍କ ଠାରୁ କାର୍ଯ୍ୟ ହାସଲ କରି ଶୋଷଣ କରନ୍ତି, ସେହି ପରି ଦିନରାତି ସେବା ଯୋଗାଉଥିବା ସାମ୍ବାଦିକଙ୍କ ପ୍ରତି କୌଣସି ଯୋଜନା ନାହିଁ। ସମାଜ ଅନ୍ଯାୟ ଅନୀତି, ଦୁର୍ନୀତି ବିରୋଧରେ ସ୍ବରୋତ୍ତନ କରୁଥିବା ସାମ୍ବାଦିକ
ବେଳେ ବେଳେ ଅସାମାଜିକ ଲୋକଙ୍କ ଦ୍ୱାରା ପ୍ରାଣବଳି ଦେଇଥିବା ପଡ଼ିଥାଏ। କର୍ମ କ୍ଷେତ୍ରରେ ପ୍ରାଣବଳି ଦେଇଥିବା ସାମ୍ବାଦିକଙ୍କ ପରିବାରର ଭରଣପୋଷଣ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସାଧାରଣ ଜନତାଙ୍କ ଠାରୁ କିରାଣୀ, ଜିଲ୍ଲା ପାଳ, ପୋଲିସ,ସଚିବ, ବିଧାୟକ, ମୁଖ୍ୟ ମନ୍ତ୍ରୀ, ପ୍ରଧାନ ମନ୍ତ୍ରୀ, ରାଷ୍ଟ୍ରପତିଙ୍କୁ ସାମ୍ବାଦିକ ଆବଶ୍ୟକ। ମାତ୍ର ସାମ୍ବାଦିକଙ୍କ ଅସୁବିଧା ରେ କାହାର ଆବଶ୍ୟକ ନାହିଁ। ଜଣେ ସାମ୍ବାଦିକ ବନ୍ୟା,ବାତ୍ୟା, ମହାବାତ୍ୟା,ଭୂମିକମ୍ପ ଆଦି ପ୍ରକୃତି ବିପର୍ଯ୍ୟୟ ବେଳେ ଜୀବନକୁ ବାଜି ସମ୍ବାଦ ପରିବେଷଣ କରାଥାଏ । ଯୁଦ୍ଧ ସମୟରେ ହେଉ କି ଦଙ୍ଗା ସମୟରେ ହେଉ କି ମହାମାରୀ ସମୟରେ ହେଉ ଘଟଣା ସ୍ଥଳରେ ପହଞ୍ଚି ଟିକିନିଖି ଖବର ସଂଗ୍ରହ କରି ଥାଏ, କିନ୍ତୁ ତା ପ୍ରତି ବଦଳରେ ପାଏ କ’ଣ? ସାମ୍ବାଦିକ ଜଣେ ସମସ୍ତଙ୍କ ସମସ୍ୟାକୁ ଲୋକ ଲୋଚନକୁ ଆଣେ,ହେଲେ ନିଜର ଲୁକ୍କାୟିତ ସମସ୍ୟା ଲୋକଲୋଚନକୁ ଆଢ଼ୁଆଳରେ ରହିଯାଏ ।ସେ ନିଜ ଦୁଃଖ କଷ୍ଟ କାହାରିକୁ କେବେ କହି ପାରେନା।ସେ ଅନ୍ୟର ସମସ୍ୟା ଗୁଡ଼ିକ ଦେଖି ଦେଖି ଆପଣା ସମସ୍ୟା ଭୁଲି ଯାଏ । ଯେତେବେଳେ ସାମ୍ବାଦିକ ଜଣକ ଖଟି ଖଟି ବାର୍ଦ୍ଧକ୍ୟ ରେ ଉପନୀତ ହୁଏ, ସେତେବେଳେ ସେ ସ୍ଥାଣୁ ପାଲଟି ଯାଏ।
ଉପାୟ ଶୂନ ହୋଇ କାହାର ସାହାରା ପାଲଟିବା ପାଇଁ ଆଶ୍ରୟ ଖୋଜେ । ତାଙ୍କୁ ସହାୟତାର ହାତ ବଢେ଼ଇବା ପାଇଁ ନା ସରକାର ଆସେ ନା ଜନତା ? ସମସ୍ତେ ନିଜ ନିଜ ବାଟରେ ବାଟ ଭାଙ୍ଗି ଫେରିଯାଆନ୍ତି ନିଜ ସ୍ବାର୍ଥରେ। ଦିନେ ଯେ ଏ ସମାଜର ହିତସାଧନରେ ବ୍ରତି ଥିଲା,ଲୁହଲହୁ ଏକ କରିଥିଲା, ସେହି ଚିୟପରିଚ ସାମ୍ବାଦିକଟି ସମସ୍ତଙ୍କ ପାଇଁ ଅପରିଚୟ ହୋଇ ପଡେ ଲୋକ ଲୋଚନରେ।
ଆସାମ, ତ୍ରିପୁରା, ହରିୟାଣା, ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ,ପଞ୍ଜାବ, ହିମାଚଳ ପ୍ରଦେଶ ରାଜ୍ୟଗୁଡ଼ିକରେ ସାମ୍ବାଦିକମାନଙ୍କୁ ୬୦ ବର୍ଷ ପୂରିଲେ ପେନସନ ଲାଗୁହୋଇଥାଏ ।ଏହି ରାଜ୍ୟ ସରକାରମାନେ ସାମ୍ବାଦିକମାନଙ୍କୁ ମାସିକ ୧୦ରୁ ୧୧ ହଜାର ପେନସନ ପ୍ରଦାନ କରିଥାନ୍ତି।ଏହା ବ୍ୟତୀତ ଅନ୍ୟାନ୍ୟ ସୁବିଧା ସୁଯୋଗ ଦେଇଥାନ୍ତି।ମାତ୍ର ଓଡ଼ିଶା ସରକାର ଗୋପବନ୍ଧୁ ସ୍ବାସ୍ଥ୍ୟ ଯୋଜନା ବ୍ୟତୀତ ଅନ୍ୟ କୌଣସି ସୁବିଧା ପ୍ରଦାନ କରନ୍ତି ନାହିଁ। ଓଡ଼ିଶାରେ ସାମ୍ବାଦିକମାନ ପ୍ରତି ରାଜ୍ୟ ସରକାରଙ୍କ ଚରମ ଅବହେଳା। ବିଧାୟକମାନେ ନିଜ ଦରମା, ଭତ୍ତା ଆଉ ବିଧାୟକ ପାଣ୍ଠି ପାଇଁ ଯେତିକି ତତ୍ତ୍ଵର।ସାରା ଜୀବନ ସମାଜର ବିଭିନ୍ନ ସମସ୍ୟା ପାଇଁ ସ୍ବର ଶାଣିତ କରିବା ସାମ୍ବାଦିକମାନଙ୍କ ପ୍ରତି ସରକାର ଏତେ ବୈମାତୃକ ଭାବ କାହିଁକି…? ଯେଉଁ ସାମ୍ବାଦିକମାନେ ସମଗ୍ର ଜୀବନ ସାମ୍ବାଦିକତା କରି ୬୦ ବର୍ଷ ବୟସରେ ପଦାର୍ପଣ କଲେଣି ସେମାନଙ୍କୁ ସରକାର ଅନ୍ୟାନ୍ୟ ରାଜ୍ୟ ସରକାରଙ୍କ ପରି ପେନସନ ଦେବା ଆବଶ୍ୟକ। କେତେ ଦିନ ଆଉ ସାମ୍ବାଦିକମାନ ବାର୍ଦ୍ଧକ୍ୟର ପରିଣତ ବୟସରେ କପର୍ଦକ ଶୂନ୍ୟ ହୋଇ ଅନାହାର ଅର୍ଦ୍ଧ ଆହାରେ ଜୀବନ ଜୀଇଁବେ। ଓଡ଼ିଆ ସରକାର ଏଥି ପ୍ରତି ଗୁରୁତ୍ବ ସହ ଚିନ୍ତା କରିବାର ସମୟ ଆସିଛି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)