ସାବିତ୍ରୀ ଗୋ ଦେଖ ବଜାରର ଦର
ହୁ ହୁ ହୋଇ ବଢୁଅଛି…
ସତ୍ୟବାନ ଯେତେ ଫଳମୂଳ କିଣି
ରକ୍ତଚାପେ ମୁଣ୍ଡ ପିଟୁଛି….।।
ନଡ଼ିଆ ଗୋଟାକ ହେଲାଣି ପଚାଶ
ଆପଲର ଭାଉ ତିନିଶ…
କମଳା ଗୋଟାକ ତିରିଶି କହୁଛି
ଅଙ୍ଗୁର କହୁଛି ଦୁଇଶ…!!
ଖଜୁରୀ କୁସୁମ କୋଳି କି କହିବ
କଞ୍ଚା କଞ୍ଚା ସବୁ ହୋଇଛି…
ସାବିତ୍ରୀ ଡରରେ ଗେରସ୍ତ ବିଚାରେ
ନେବ କି ନନେବ ଭାବୁଛି….!!
ଜାମୁକୋଳି କଥା କାହିଲେ ନ ସରେ
ମିଳିବା ଦୁର୍ଲଭ ହେଲାଣି….
ହାଟ ସାରା ବୁଲି ପଚାରି ପଚାରି
ପାଦରେ ଫଟୋକା ହେଲାଣି…!!
ପଣସ ଯେତଟା ଆସିଛି ଏଠାକୁ
ପାଚି ନାହିଁ ଜମା ଭିତର….
କଞ୍ଚା କାଟି ବିକା କିଣା ଚାଲି ଅଛି
ନେବା ପାଇଁ ଭିଡ ଜୋରଦାର….!!
କଦଳୀ ଆସିଛି ବଜାରକୁ ଏବେ
ଡଜନ କହୁଛି ପଚାଶ….
ବଡଟା ଷାଠିଏ ବୋଲଇ ଦୋକାନୀ
ନବ ଯଦି ଆସ ଭିଡ଼େ ପଶ….!!
ଲୁଗା ଦୋକାନୀଙ୍କ ଭାଉ ଏବେ ଦେଖ
କଥା ବଡ ବଡ ମୁହଁ ଟାଣ….
ପୁରୁଣା ଶାଢ଼ୀକୁ ବିକିବାରେ ବ୍ଯସ୍ତ
କଥା କହେ ଯେତେ ଧୂଆଁବାଣ…!!
ନା ନା ରଙ୍ଗ ଶାଢୀ କିଣିବା ପାଇଁ ଟି
ସାବିତ୍ରୀକୁ ଧରି ଛଟପଟ….
ଦାମିକା ଶାଢ଼ୀରେ ଭାରି ଲୋଭ ତା’ର
ସ୍ବାମୀ ଭୋଗୁ ଅଛି ବଡ କଷ୍ଟ….!!
ଚୁଡି ଯେ ସିନ୍ଦୂର,ପାନିଆ, କଜ୍ଜଳ
ବ୍ରତ ସହକାରେ ପୂଜା ଦ୍ରବ୍ୟ…
ଗୋଟି ଗୋଟି କରି କିଣା ସରିଲାଣି
ତାଳ ସଜ କାଲି କ୍ରୟ ହେବ….!!
ସାବିତ୍ରୀ ବ୍ରତ ଯେ ପାଳିବେ ଘରଣୀ
ନିଜକୁ ସାବିତ୍ରୀ ରୂପ ହୋଇ….
ପତି ପ୍ରାଣ ଏବେ ଛଟ ଛଟ ହୁଏ
ଯିବ କି ଜୀବନ ଦର ପାଇଁ….!!
ଯେତେକ ସଂସାରେ ରହିଛନ୍ତି ପତି
ହୋଇବେ ସେ ଦିନ ସତ୍ୟବାନ…
ପୂଜିବେ ଶ୍ରଦ୍ଧାରେ ସ୍ବାମୀଙ୍କ ଚରଣ
ବାକି ଚଣ୍ଡୀ ରୂପ ସବୁ ଦିନ….!!
ପତିଙ୍କୁ ଭାବନ୍ତି ବଳଦ ଗୋଟାକ
ମଲା ଗଲା ଯାଏ ଥିବ ଖଟି….
ହୁକୁମ ହାକିମ ଚଲାନ୍ତି ଗର୍ଜନ
ସବୁ ଶୁଣି ଖୋଲେ ନାହିଁ ପାଟି….!!
ଆଧୁନିକ ଯୁଗ ହେଲା ଘୋର କଳି
କଳିଗୋଳ ଏବେ ଘରେ ଘରେ….
ନାମକୁ ମାତର ଓଷା ବାର ବ୍ରତ
ଭକ୍ତି ଭାବ ଆଉ ନାହିଁ କା’ରେ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି )