ସାନଖେମୁଣ୍ଡିରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ସାଂସଦ ଓ ବିଧାୟକ ।

0 339

ସାନଖେମୁଣ୍ଡି,୧୫/୦୭(ପିପିଟି): ସାନଖେମୁଣ୍ଡି ଅଞ୍ଚଳବାସୀଙ୍କ ଦୀର୍ଘବର୍ଷର ପ୍ରତୀକ୍ଷାର ଅବସାନ ଘଟିଛି। ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ବ୍ଲକ୍ ଅଞ୍ଚଳରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ବର୍ଷ ବର୍ଷ ଧରି ସବ୍ ରେଜିଷ୍ଟ୍ରାର ବା ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ସାନଖେମୁଣ୍ଡିରେ ଖୋଲିବା ନେଇ ଅନିଶ୍ଚିତତା ଦେଖାଦେଇଥିଲା।ସାନଖେମୁଣ୍ଡି ବ୍ଲକ୍ ର ଜନସାଧାରଣ ଜମି ଘରବାଡ଼ି କ୍ରୟ ବିକ୍ରୟ ପଞ୍ଜିକରଣ କରିବା ପାଇଁ ଦିଗପହଣ୍ଡି ସବ୍ ରେଜିଷ୍ଟ୍ରାର ଅଫିସ ଉପରେ ନିର୍ଭର କରୁଥିଲେ।ସାନଖେମୁଣ୍ଡିରେ ସବ୍ ରେଜିଷ୍ଟ୍ରାର ଅଫିସ୍ ତୁରନ୍ତ ଖୋଲିବା ପାଇଁ ଅଞ୍ଚଳବାସୀ ଦାବୀ ମଧ୍ୟ କରିଆସୁଥିଲେ। ତେବେ ରାଜ୍ୟ ସରକାରଙ୍କ ପୂର୍ବ ନିର୍ଦ୍ଧେଶ କ୍ରମେ ଆଜି ସାନଖେମୁଣ୍ଡିରେ ଉପ ନିବନ୍ଧକଙ୍କ କାର୍ଯ୍ୟାଳୟ ନୂତନ ଭାବେ ଉଦଘାଟିତ ହୋଇଛି। ଏଣିକି ସାନଖେମୁଣ୍ଡିର ସମସ୍ତ ଜମି ଘର କ୍ରୟ ବିକ୍ରୟ ଦଲିଲ ପଞ୍ଜିକରଣ ସାନଖେମୁଣ୍ଡି ଉପ ନିବନ୍ଧକଙ୍କ କାର୍ଯ୍ଯାଳୟରେ କାର୍ଯ୍ୟକାରୀ ହେବ। ସାନଖେମୁଣ୍ଡି ତହସିଲ କାର୍ଯ୍ୟାଳୟ ପରିସରରେ ନୂତନ ଉପ ନିବନ୍ଧକ ଓ ବିବାହ ପଞ୍ଜିକରଣ ଅଧିକାରୀଙ୍କ କାର୍ଯ୍ୟାଳୟକୁ ସମ୍ମାନିତ ଅତିଥି ଭାବେ ଆସିକା ସାଂସଦ ଅନୀତା ଶୁଭଦର୍ଶିନୀ ଓ ବିଧାୟକ ରମେଶଚନ୍ଦ୍ର ଜେନା ଉଦଘାଟନ କରିଛନ୍ତି। ଅତିରିକ୍ତ ତହସିଲଦାର ପ୍ରଦିପକୁମାର ଜେନାଙ୍କ ସଂଯୋଜନା ଆୟୋଜିତ ଉଦଘାଟନୀ ଉତ୍ସବରେ ଜିଲ୍ଲା ନିବନ୍ଧକ ଜ୍ୟୋତିକାନ୍ତ ଭୁଜବଳ ବ୍ଲକ୍ ଅଧ୍ୟକ୍ଷ ସିମାଞ୍ଚଳ ପାତ୍ର ବିଜେପି ଘୁମୁସର ଜିଲ୍ଲା ସଭାପତି ବିଜୟକୁମାର ସ୍ଵାଇଁ ବିଜେପି ବିଧାୟକ ପ୍ରାର୍ଥୀ ଇ ଉତ୍ତମକୁମାର ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ସ୍ଥାୟୀ କାର୍ଯ୍ୟାଳୟ ନିର୍ମାଣ ପର୍ଯ୍ୟନ୍ତ ସବ୍ ରେଜିଷ୍ଟ୍ରାର ଅଫିସ୍ ଅସ୍ଥାୟୀ ଭାବେ ତହସିଲ୍ କାର୍ଯ୍ୟାଳୟରେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।

(ରିପୋର୍ଟ- ବିନାୟକ ଦାଶ ।)

Leave A Reply

Your email address will not be published.