ସାଂସଦଙ୍କ ଦ୍ୱାରା ବିଭିନ୍ନ ବିଭାଗର କାର୍ଯ୍ୟ ସମୀକ୍ଷା ।

0 8

ମାଲକାନଗିରି, ୦୨/୦୯(ପିପିଟି):ଲୋକସଭା ସାଂସଦ ଇଂ ବଳଭଦ୍ର ମାଝୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ସମସ୍ତଙ୍କୁ ସ୍ବାଗତ କରି ବିଭିନ୍ନ ବିଭାଗର ଉନ୍ନୟନ କାର୍ଯ୍ୟ ବିଷୟରେ ଉପସ୍ଥାପନ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ସାଂସଦ ଇଂ ମାଝୀ ଆଗାମୀ ୨୦୨୬ ଆର୍ଥିକ ବର୍ଷ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରି କାର୍ଯ୍ୟପନ୍ଥା ପ୍ରସ୍ତୁତ କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାରେ ବିଶେଷ ଭାବେ ଗରିବୀ ଦୂରୀକରଣ ଓ ଦାଦନ ଶ୍ରମିକ ସଂଖ୍ୟା ହ୍ରାସ କରିବା ଉପରେ ପ୍ରାଧାନ୍ୟତା ଦେବା ସହ ପଦକ୍ଷେପ ଗ୍ରହଣ କରିବା ପାଇଁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମତ୍ସ୍ୟ ଚାଷ ଉତ୍ପାଦନ କ୍ଷମତା ବୃଦ୍ଧି କରି ଏଥିରେ ଜିଲ୍ଲା ସ୍ବାବଲମ୍ବୀ ହେବା ପାଇଁ ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ କିଭଳି ଅଧିକରୁ ଅଧିକ ଲୋକ ଅନ୍ତର୍ଭୁକ୍ତ ହେବେ ସେଥିପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ପାଇଁ ଲିଡ୍ ବ୍ୟାଙ୍କ୍ ମ୍ୟାନେଜରଙ୍କୁ କୁହାଯାଇଛି। ଯୋଗ୍ୟ ହିତାଧିକାରୀଙ୍କୁ ବାଧ୍ୟତାମୂଳକ ଭାବେ ବୀମାଭୁକ୍ତ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ଅର୍ଥନୀତି କୃଷି ଭିତ୍ତିକ ଅଟେ। ପୂର୍ବେ ସ୍ବାଭିମାନ ଅଞ୍ଚଳରେ ଯେଉଁଠାରେ ଗଞ୍ଜେଇ ଚାଷ ହେଉଥିଲା ଉକ୍ତ ପରିତ୍ୟକ୍ତ ସ୍ଥାନ ଚାଷ ନିମନ୍ତେ ବହୁତ୍ ଉର୍ବର ଅଟେ । ଉକ୍ତ ଅଞ୍ଚଳରେ ପରିବା ଓ ଫଳ ଚାଷ ନିମନ୍ତେ ଲୋକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଉଦ୍ୟାନ କୃଷି ଓ କୃଷି ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ମାଲକାନଗିରି ଜିଲ୍ଲା ନଦୀନାଳରେ ଭରପୁର। କିଭଳି ଆମ ଜିଲ୍ଲାର ପାଣି ଆମ ଅଞ୍ଚଳରେ ଉପଯୋଗ ହୋଇପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଜଳସେଚନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। କୁକୁଡ଼ା, ଛେଳି ଚାଷ ଓ ଗୋପାଳନ ମାଧ୍ୟମରେ କିଭଳି ଲୋକ ଆର୍ଥିକ ଭାବେ ସ୍ବାବଲମ୍ବୀ ହୋଇ ପାରିବେ ସେଥି ନିମନ୍ତେ ପ୍ରାଣୀ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।କୃଷିଙ୍କ ସାର ସମସ୍ୟା, ଚାଷ ଜମିର ମୃତ୍ତିକା ପରୀକ୍ଷଣ ଓ ଚାଷୀଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ପ୍ରଦାନ ବିଷୟରେ କୃଷି ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ସାଂସଦ। କିଭଳି ଅଧିକରୁ ଅଧିକ ଅଗ୍ରଗତି କରୁଥିବା ସ୍ଵୟଂ ସହାୟକ ଗୋଷ୍ଠୀ ମହିଳା ଲକ୍ଷପତି ଦିଦି ହୋଇପାରିବେ ସେଥିରେ ସହଯୋଗ କରିବା ପାଇଁ ମିଶନ ଶକ୍ତି ବିଭାଗକୁ କୁହାଯାଇଥିଲା। ରାସ୍ତା, ସେତୁ ନିର୍ମାଣ ଓ ରେଳପଥ ଜମି ଅଧିଗ୍ରହଣ କ୍ଷତିପୂରଣ ଦେବା ଇତ୍ୟାଦି ବିଷୟରେ ଆଲୋଚନା କରାଯାଇଥିଲା । ମାଲକାନଗିରି ବିଧାୟକ ନରସିଂହ ମାଡକାମୀ, ଆରକ୍ଷୀ ଅଧିକ୍ଷକ ବିନୋଦ ପାଟିଲ ଏଚ୍, ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନରେଶ ଚନ୍ଦ୍ର ଶବର, ବନଖଣ୍ଡ ଅଧିକାରୀ ସାଇ କିରଣ ଓ ଉପ ଜିଲ୍ଲାପାଳ ଅଶ୍ନି ଏ ଏଲ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.