ସର୍ବନିମ୍ନ ମଜୁରୀ ଲାଗୁ କରିବା ତଥା ଛଟେଇ ଶ୍ରମିକଙ୍କ ପୁନଃ ନିଯୁକ୍ତି ଦାବିରେ ଶ୍ରମିକମାନଙ୍କ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ଆଗରେ ଧାରଣା ।

0 309

ରାୟଗଡା,୦୬/୦୯(ପିପିଟି): ସର୍ବଭାରତୀୟ ଶ୍ରମିକ ସଂଗଠନ ଆଇଏଫଟିୟୁ ଦ୍ୱାରା ଅନୁବନ୍ଧିତ ପ୍ରଗତିଶୀଳ ଶ୍ରମିକ ସଙ୍ଘର ଡାକରାରେ ଉତ୍କଳ ଆଲୁମିନା କମ୍ପାନୀ ଓ ତା’ର ବକ୍ସାଇଟ ଖଣିରେ କାର୍ଯ୍ୟରତ ଶହ ଶହ ଶ୍ରମିକ ନିଜର ଦଶଦଫା ଦାବିକୁ ନେଇ ଆଜି ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଉତ୍କଳ ଅଲିମିନା ଦୋରାଗୁଡା ଓ ବାଫିଲିମାଳି ଖଣି ଓ ବିଭିନ୍ନ ସିଏସଆର ପାଣ୍ଠି ବିନିଯୋଗ ପ୍ରକଳ୍ପ ଆଦିରେ ଶତାଧିକ ଶ୍ରମିକ ଦୀର୍ଘଦିନ ହେବ କାର୍ଯ୍ୟ କରୁଥିବା ବେଳେ,ଏହି ଶ୍ରମିକମାନଙ୍କୁ ରାଜ୍ୟ ଓ କେନ୍ଦ୍ରୀୟ ହାରରେ ସର୍ବନିମ୍ନ ମଜୁରୀ ମଧ୍ୟ ପ୍ରଦାନ ନକରିବା,ଦାବୀ ଉଠାଇଲେ ବିନା କାରଣରେ ଛଟେଇ କରିବା, ଆଧାର କାର୍ଡରେ ଭୂଲ ବୟସର ଉଲ୍ଲେଖକୁ ନେଇ ୧୫ ଜଣ ମହିଳା ଶ୍ରମିକଙ୍କୁ ବିଭିନ୍ନ ଠିକା ସଂସ୍ଥା ଦ୍ୱାରା ଛଟେଇ କରାଯାଇଛି । କମ୍ପାନୀ କତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପାଖରେ ବାରମ୍ବାର ୧୦ ଦଫା ଦାବୀ ଦିଆଯାଇଥିଲେ ମଧ୍ୟ ତାହା ପୂରଣ କରିବା ବଦଳରେ କୌଣସି ଆଲୋଚନା ମଧ୍ୟ କରାଯାଇ ନାହିଁ । ଏହାକୁ ନେଇ ଗତ ଦୁଇମାସ ତଳେ ଖଣି ଅଞ୍ଚଳରେ କାର୍ଯ୍ୟାବନ୍ଦ ଆନ୍ଦୋଳନ ହୋଇଥିବା ବେଳେ କମ୍ପାନୀ ଓ ପ୍ରଶାସନର ମିଳିତ ହସ୍ତକ୍ଷେପରେ ଦାବିପୂରଣ ପାଇଁ ଦୁଇମାସର ମହଲତ ଦିଆଯାଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଠିକା ସଂସ୍ଥା ମାନଙ୍କ ଦ୍ୱାରା ଆକ୍ରୋଶ ମୂଳକ ଭାବେ ଶ୍ରମିକ ସଙ୍ଘର ନେତୃତ୍ୱ ନେଉଥିବା ସାତ ଜଣ ଶ୍ରମିକଙ୍କୁ କାର୍ଯ୍ୟରୁ ବାହାରେ ରଖିଛନ୍ତି ।

କମ୍ପାନୀ ଓ ଖଣି ପାଇଁ ଆଞ୍ଚଳର ଲୋକମାନେ ନିଜ ଭିଟାମାଟି ଛାଡ଼ିଥିବା ବେଳେ ସ୍ଥାନୀୟ ଲୋକଙ୍କୁ ସ୍ଥାୟୀ ନିଯୁକ୍ତି ବଦଳରେ କମ୍ପାନୀ ବିଭିନ୍ନ ଠିକା ସଂସ୍ଥା ଜରିଆରେ ଅସ୍ଥାୟୀ ଭାବେ କମ୍ ମଜୁରୀରେ ବର୍ଷ ବର୍ଷ ଧରି ଖଟାଉଛି । ବର୍ଷ ବର୍ଷ ଧରି କାମ କରୁଥିବା ସତ୍ତ୍ୱେ ଶ୍ରମିକମାନଙ୍କ ଦରମା ବଢୁନି କି ଅନେକ ଶ୍ରମିକଙ୍କୁ ସରକାରଙ୍କ ଦ୍ଵାରା ଘୋଷିତ ସର୍ବନିମ୍ନ ମଜୁରୀ ବି ମିଳୁନାହିଁ । ଅନେକ ଶ୍ରମିକ ଇପିଏଫ୍ ଇଏସଆଇ ଓ ଅନ୍ୟାନ୍ୟ ଶ୍ରମ ଅଧିକାରରୁ ବଞ୍ଚିତ ରହିଛନ୍ତି । କମ୍ପାନୀର ସିଏସଆର ପାଣ୍ଠିର ସଠିକ ବିନିଯୋଗ ହେଉ ନଥିବା ବେଳେ, ଖଣି ଓ କମ୍ପାନୀରେ କାମ କରୁଥିବା କିଛି ହାତ ଗଣତି ଶିକ୍ଷିତ ଯୁବକଙ୍କୁ କେବଳ ଠିକା ସଂସ୍ଥା ଅଧୀନରେ ଦୀର୍ଘଦିନ ହେବ ଅସ୍ଥାୟୀ ଭାବେ କାର୍ଯ୍ୟ କରାଇ ଆସୁଛନ୍ତି । ସେମାନଙ୍କୁ ଅଭିଜ୍ଞତା ଓ ଦକ୍ଷତା ଭିତ୍ତିରେ ପଦୋନ୍ନତି ମିଳୁନାହିଁ କିମ୍ଭା କମ୍ପାନୀର କୌଣସି ସୁବିଧା ପାଇପାରୁ ନାଁହାନ୍ତି । ଏପରିକି ଶ୍ରମ ଆଇନ ଅନୁସାରେ କର୍ମଚାରୀମାନଙ୍କୁ ମାସିକ ସବେତୈନିକ ଛୁଟି ଓ ମହିଳା କର୍ମଚାରୀଙ୍କୁ ମାତୃତ୍ୱ କାଳୀନ ଛୁଟି ମଧ୍ୟ ପ୍ରଦାନ କରାଯାଉନାହିଁ । ପୂର୍ବରୁ ଅନେକଙ୍କ ନାମ ରେ କମ୍ପାନୀ ତରଫରୁ ମିଥ୍ୟା ମାମଲା ଲଗାଇ କାର୍ଯ୍ୟରୁ ବାହାରେ ରଖିଛନ୍ତି ଯାହା ଅଞ୍ଚଳରେ କମ୍ପାନୀର ମନୋମୁଖୀ କାର୍ଯ୍ୟକୁ ପଦାରେ ପକାଉଛି । ଏହାକୁ ନେଇ ଜିଲ୍ଲା ଶ୍ରମ ବିଭାଗ ନୀରବଦ୍ରଷ୍ଟା ସାଜିଥିବା ବେଳେ କମ୍ପାନୀ ସପକ୍ଷରେ ବିଭିନ୍ନ ବାହାନା ଦେଖାଇ ମାମଲାକୁ ଗଡ଼ାଇ ଚାଲିଛି ।
ଆଜିର ଏହି ଗଣଧାରଣା ପରେ ଜିଲ୍ଲାପାଳ ପାରୁଲ ପଟୱାରୀଙ୍କ ଦ୍ୱାରା ସଙ୍ଘର ପ୍ରତିନିଧିମାନଙ୍କ ସହ ଆଲୋଚନା ପ୍ରକାରେ ସମସ୍ତ ଦାବୀକୁ ପୂରଣ କରିବାକୁ ପ୍ରତିଶୃତି ଦେଇଛନ୍ତି । ଏଥିସହିତ ଆଲୋଚନା ପାଇଁ କମ୍ପାନୀ ତରଫରୁ କୌଣସି ସହଯୋଗ ମିଳୁନଥିବାରୁ ସଙ୍ଘକୁ ଛଟେଇ ଓ ନିଯୁକ୍ତ କର୍ମଚାରୀମାନଙ୍କର ସବିଶେଷ ତଥ୍ୟ ମାଗିବା ସହିତ ତ୍ୱରିତ ଉପାୟରେ ଏହାକୁ ହସ୍ତକ୍ଷେପ କରି ସମସ୍ତ ଦାବୀକୁ ପର୍ଯ୍ୟାୟକ୍ରମେ ପୂରଣ କରାଯିବ ବୋଲି କହିଛନ୍ତି । ଫଳରେ ସଙ୍ଘ ତରଫରୁ ଆସନ୍ତା ସପ୍ତାହ ଭିତରେ ଆଲୋଚନା ମାଧ୍ୟମରେ କିଛି ନିର୍ଯାସ ନ ବାହାରିଲେ ପୁଣି କାର୍ଯ୍ୟାବନ୍ଦ ଆନ୍ଦୋଳନ କରାଯିବ ବୋଲି ସଙ୍ଘର ଉପଦେଷ୍ଟା ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ ମତ ରଖିଛନ୍ତି । ଆଇଏଫଟିୟୁର ରାଜ୍ୟ ସମ୍ପାଦକ ଅଗେନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ କମ୍ପାନୀର କର୍ମଚାରୀ ମାରଣ ନୀତି ଓ ଜିଲ୍ଲା ପ୍ରଶାସନର ଆନ୍ଦୋଳନ ଦମନ ନୀତିକୁ ବିରୋଧ କରିଥିଲେ । ଅନ୍ୟମାନଙ୍କ ସଙ୍ଘର ସଭାପତି ଧନେଶ୍ୱର ନାୟକ, ମଧ୍ୟରେ ସଙ୍ଘର ସମ୍ପାଦକ କାମଦେବ ନାୟକ,ଦିଗାମ୍ବର ବାଘ, ରମେଶ ନାୟକ,ଲକ୍ଷ୍ମଣ ନାୟକ, ବଳରାମ ନାୟକ,ଲିଆବତୀ ନାୟକ, ନବୀନ ବାଗ,କତାମଣି ନାୟକ, ପ୍ରଭୁଦାନ ନାୟକ,ରଙ୍ଗିଲା ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.