ବେଲଗୁଣ୍ଠା,୨୫/୦୧(ପିପିଟି):ଆଜି ବେଲଗୁଣ୍ଠା ବ୍ଳକ୍ କାର୍ଯ୍ୟାଳୟ ନିକଟରେ ଥିବା ସରସ୍ଵତୀ ଶିଶୁ ବିଦ୍ୟାଭବନର ୨୮ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଯୋଗ ଦେଇ ମାଆ ମାନେ ଉଚ୍ଚ ଶିକ୍ଷିତ ହେଲେ ଦେଶ ଆଗେଇ ପାରିବ ବୋଲି ପ୍ରକାଶ କରିବା ସହ ମାଆ ମାନଙ୍କ ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀ ଗୋଟିଏ ଗୋଟିଏ ଗଛ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ଡ଼.ବନ ବିହାରୀ ପାଣିଗ୍ରାହୀ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଆଇସିଡିଏସ୍ ସୁପରଭାଇଜର ବିଜୟଲକ୍ଷ୍ମୀ ଗୌଡ଼,ଯୁବ ସମାଜସେବୀ ସିଏଚ୍ ଯତୀନ୍ ପାତ୍ର, ସାଂସଦ ପ୍ରତିନିଧି ରଞ୍ଜନ କୁମାର ରାଊତ ଅନୁଷ୍ଠାନ ସମ୍ପାଦକ ସୂର୍ଯ୍ୟ ନାରାୟଣ ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟତମ ଅତିଥି ରୂପେ ବିଶିଷ୍ଟ ସମାଜସେବୀ ଶୂଳପାଣି ଶତପଥି ଯୋଗ ଦେଇ ସମସ୍ତ ଅତିଥି ଏବଂ ଛାତ୍ରଛାତ୍ରୀଙ୍କୁ ବୃକ୍ଷ ଉପହାର ଦେଇ ପରିବେଶ ସଚେତନତା ସମ୍ପର୍କରେ ବାର୍ତ୍ତା ପ୍ରଦାନ କରିଥିଲେ । ଅନୁଷ୍ଠାନର ପ୍ରଧାନ ଶିକ୍ଷକ ଶିବରାମ ପ୍ରଧାନ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିବା ସହିତ ବାର୍ଷକ ବିବରଣୀ ପାଠ କରିଥିଲେ ।ଏହି ଅବସରରେ ବିଭିନ୍ନ ଉଲ୍ଲେଖନୀୟ ଅବଦାନ ପାଇଁ ଶିକ୍ଷକ ଅଜିତ୍ କୁମାର ପଣ୍ଡାଙ୍କୁ ଶିକ୍ଷା ପୁରସ୍କାର ପ୍ରଦାନ କରାଯାଇଥିଲା । ରକ୍ତଦାନ ଏବଂ ବୃକ୍ଷରୋପଣ ପାଇଁ ବେଲଗୁଣ୍ଠା ପ୍ରେସକ୍ଲବ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଙ୍କୁ ଉପଢ଼ୌକନ ଏବଂ ମାନପତ୍ର ଦେଇ ବିଦ୍ୟାଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବିଦ୍ୟାଳୟ ତରଫରୁ ବିଧାୟକ ଶ୍ରୀ ବିଷୋୟୀଙ୍କୁ ଉପଢ଼ୌକନ ଓ ପୁଷ୍ପାଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥି ମାନେ ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀଙ୍କୁ ନେବା ଆଣିବା କରିବାରେ ଡ୍ରାଇଭର ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ସେମାନଙ୍କୁ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ବେଲଗୁଣ୍ଠା ପ୍ରେସକ୍ଲବ ସଦସ୍ୟ ତୋଫାନ ସାହୁ, ସୂର୍ଯ୍ୟନାରାୟଣ ତ୍ରୀପାଠୀ, ଶିବରାମ ଚୌଧୂରୀ, ନାରାୟଣ ପଣ୍ଡା ଓ କାର୍ତିକ ପ୍ରଧାନ ଙ୍କୁ ସମ୍ମାନିତ କରାଯାଇଥିଲା । କୁନି କୁନି ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଅଭିଭାବକ ମାନଙ୍କୁ ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା ।ଏହି କାର୍ଯ୍ୟକ୍ରମରେ ଗୁରୁମା ମାମାଜିନ୍,ଆଶା, ସୁମିତ୍ରା,ଅମ୍ବିକା, ଅଲିଭା, ଶୋଭା, ମିନି, ମିଲି,ଗୁରୁଜୀ ପ୍ରମୋଦ, କୁମାରେଶ୍ୱର, ଗଣେଶ, ମନୋଜ, ପୂର୍ଣ୍ଣଚନ୍ଦ୍ର ଏବଂ ପଣ୍ଡା ବାବୁ ସହଯୋଗ କରିଥିଲେ । ଗୁରୁଜୀ ବନମାଳୀ ଗୌଡ଼ ଧନ୍ୟବାଦ ଜ୍ଞାପନ କରିଥିଲେ ।
ରିପୋର୍ଟ- ସୁଶାନ୍ତ କୁମାର ବେହେରା