ସତୀଗୁଡା ଡ଼୍ୟାମର ଜଳସ୍ତର ହ୍ରାସ, ଆଗାମୀ ଦିନରେ ଉତ୍କଟ ପାନୀୟ ଜଳସଙ୍କଟ ସମ୍ଭାବନା ।

0 243

ମାଲକାନଗିରି,୨୦/୦୫(ପିପିଟି) :ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ସତୀ ଗୁଡା ଡ୍ୟାମ ଜଳ ପତ୍ତନ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ଫଳରେ ଆଗାମୀ ଦିନଗୁଡ଼ିକରେ ପାନୀୟ ଜଳ ଯୋଗାଣ ଧୀରେ ଧୀରେ ବାଧାପ୍ରାପ୍ତ ହେବା ର ସମ୍ଭାବନା କୁ ଏଡାଇ ହେବ ନାହିଁ। ଜନସ୍ବାସ୍ଥ୍ୟ ଦ୍ବାରା ମାଲକାନଗିରି ପୌରାଞ୍ଚଳକୁ ଦୈନିକ ପାନୀୟ ଜଳ ୬.୫ଏମଏଲଡି ବା (୬୫ଲକ୍ଷ ଲିଟର) ଯୋଗାଇ ଦିଆ ଯାଉଥିବା ବେଳେ ଏହି ଜଳ ସତୀଗୁ୍ଡା ଡ୍ୟାମରୁ ସଂଗ୍ରହ କରାଯାଇଥାଏ ।
ପ୍ରକାଶ ଥାଉ କି ଦଣ୍ଡକାରଣ୍ୟ ପ୍ରକଳ୍ପ ଦ୍ବାରା ମାଲକାନଗିରି ସଦର ମହକୁମା ଠାରୁ ୫ କିମି ଦୂରରେ ସତୀ ଗୁଡା ଡ୍ୟାମଟି ୧୯୬୫ ମସିହାରେ ନିର୍ମାଣ କରାଯାଇଥିଲା । ଆଜକୁ ଦୀର୍ଘ ୬୦ ବର୍ଷ ହେଲା ସତୀ ଗୁଡା ବନ୍ଧର ନିର୍ମାଣ ପୂର୍ଣ୍ଣ ହୋଇଥିଲା ବେଳେ କେବେ ମଧ୍ୟ ପଙ୍କୋଦ୍ଧାର କାର୍ଯ୍ୟ କରା ଯାଇ ନାହିଁ। ବର୍ଷା ଦିନେ ମାଟି ଧୋଇ ହୋଇ ବନ୍ଧର ବାମ ଓ ପୂର୍ବ ପାର୍ଶ୍ଵଟି
ପୋତି ହୋଇ ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କେବେ ହେଲେ ମାଟି ଖନନ କରାଯାଇ ନାହିଁ। ୨୫ ବର୍ଷ ବିଜେଡ଼ି ସରକାର ଶାସନ ରେ ଥିଲେ ମଧ୍ୟ ସତୀଗୁଡା ଜଳ ଭଣ୍ଡାର ପାଶ୍ବରୁ ପୋତି ହୋଇ ଯାଇଥିବା ମାଟିକୁ ପୁନରୁଦ୍ଧାର କରାଯାଇ ନାହିଁ । ଫଳରେ ଏହାର ଚତୁଃପାର୍ଶ୍ଵ ଧୀରେ ଧୀରେ ପୋତି ହୋଇ ଜଳ ଧାରଣର କ୍ଷମତା ହ୍ରାସ ପାଇଛି।ଏହା ବ୍ୟତିତ ସତୀଗୁଡା ଡ଼୍ୟାମର କ୍ଷେତ୍ରଫଳ ପ୍ରତି ବର୍ଷ ସଂକୁଚିତ ହେବାରେ ଲାଗିଛି। ଏହାର ଶଯ୍ୟାରୁ ମାଟି ଏବଂ ପଙ୍କୋଦ୍ଧାର ନହେବା ଯୋଗୁଁ ଜଳ ଧାରଣ କ୍ଷମତା ପୂର୍ବାପେକ୍ଷା ଦ୍ରୁତ ଗତିରେ ହ୍ରାସ ପାଇଛି । ମାଲକାନଗିରି ପୌରାଞ୍ଚଳକୁ ପାନୀୟ ଜଳ ଯୋଗାଣ ବ୍ୟତୀତ ଏହି ଡ୍ଯାମରୁ ଖରିଫ ଋତୁରେ ୯୦୬୫ ହେକ୍ଟର ଜମିକୁ ଜଳ ଏବଂ ରବି ଋତୁରେ ୪୫୩୫ ହେକ୍ଟର ଜଳ କୃଷି କ୍ଷେତ୍ରକୁ ଯୋଗାଇ ଦିଆଯାଉଛି । ବର୍ତ୍ତମାନ ସତୀଗୁଡା ଡ଼୍ୟାମ ରେ ଜଳ ସଙ୍କଟ ଦେଖା ଦେଇଥିଲେ ବେଳେ କୃଷି କ୍ଷେତ୍ରକୁ ଜଳ ଯୋଗାଣ କରାଯାଉଥିବା ଦେଖିବାକୁ ମିଳିଛି । ଫଳରେ ପ୍ରତିବର୍ଷ ଗ୍ରୀଷ୍ମ ଋତୁର ମଇ ଏବଂ ଜୁନ ମାସ ପାଇଁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖା ଦେଇଥାଏ। ବର୍ତ୍ତମାନ ମାଲକାନଗିରି ପୌରାଞ୍ଚଳରେ ପ୍ରାୟ ୫୦ ହଜାର ଲୋକସଂଖ୍ୟା ରହିଥିବା ବେଳେ ପ୍ରତି ଦିନ ୬୫ ଲକ୍ଷ ଲିଟର ପାନୀୟ ଜଳ ଜନସ୍ବାସ୍ଥ୍ୟ ବିଭାଗ ଦ୍ବାରା ଯୋଗାଇ ଦିଆଯାଉଛି । ଆଗକୁ ଉତ୍କଟ ପାନୀୟ ଜଳ ସଙ୍କଟ ଦେଖା ଦେବାର ଯଥେଷ୍ଟ ସମ୍ଭାବନା ଥିବାରୁ କିପରି ଏହି ସମସ୍ୟାର ସମାଧାନ ହେବ ସାଧାରଣରେ ଉଦବେଗ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ମାଲକାନଗିରି ପୌରପରିଷଦ ରେ ୧୯ ଗୋଟି ୱାର୍ଡ ରହିଥିବା ବେଳେ ସବୁ ୱାର୍ଡରେ ପାଇପ୍ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କରିବାକୁ ପଡ଼ିଥାଏ। ବିଗତ ନବୀନବାବୁଙ୍କ ୨୫ ବର୍ଷ ର ଶାସନ କାଳରେ ସତୀଗଡା ଡ଼୍ୟାମର ମରାମତି ଏବଂ ମାଟି ଓ ପଙ୍କୋଦ୍ଧାର ପାଇଁ ବାରମ୍ବାର ଦାବି ହୋଇ ଆସୁଥିଲେ ମଧ୍ୟ ସତୀଗୁଡା ଡ଼୍ୟାମର ପୁନରୁଦ୍ଧାର ହୋଇ ପାରି ନଥିଲା । ଗତ ନିର୍ବାଚନରେ ଓଡ଼ିଶାରେ ବିଜେଡ଼ି ଶାସନର ପତ୍ତନ ଘଟିଲା ପରେ ବିଜେପି ଶାସନ କ୍ଷମତାକୁ ଆସିଛି । ପ୍ରତି ବର୍ଷ ଗ୍ରୀଷ୍ମ ଋତୁରେ ମାଲକାନଗିରି ପୌରାଞ୍ଚଳରେ ଥିବା ୫୦,୦୦୦ ଲୋକମାନେ ଉତ୍କଟ ପାନୀୟ ଜଳ ସଙ୍କଟର ସମ୍ମୁଖୀନ ହୋଇଥାନ୍ତି। ମାଲକାନଗିରି ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ରାମ ଚନ୍ଦ୍ର ପ୍ରଧାନ ଉତ୍କଟ ପାନୀୟ ଜଳ ସଙ୍କଟ ସଂପର୍କରେ କହିଛନ୍ତି ଯେ ଯଦି ଗ୍ରୀଷ୍ମ ଋତୁରେ ସତୀଗୁଡା ଜଳସେଚନ ବିଭାଗ କୃଷି କ୍ଷେତ୍ରକୁ ଜଳ ସେଚନ କରିବାକୁ କୌଣସି ପ୍ରକାରେ ସ୍ଥଗିତ କରନ୍ତି ,ତେବେ ମଇ ଏବଂ ଜୁନ ମାସ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଉତ୍କଟ ସମସ୍ଯା ସୃଷ୍ଟି ହେବ ନାହିଁ। କିନ୍ତୁ ସତୀଗୁଡା ଡ଼୍ୟାମର କନିଷ୍ଠ ଯନ୍ତ୍ରୀ ଭଗବାନ ନାୟକ କହିବା ଅନୁସାରେ ଏହି ଜଳଭଣ୍ଡାରଟି କୃଷି କ୍ଷେତ୍ରକୁ ଜଳ ଯୋଗାଣ ପାଇଁ ଉଦ୍ଧିଷ୍ଟ। ପାନୀୟ ଜଳ କଥା ପରେ ଚିନ୍ତା କରା ଯିବ। ପାନୀୟ ଜଳ ଯୋଗାଣ ପାଇଁ ସତୀଗୁଡା ଜଳଭଣ୍ଡାର ମୁଖ୍ୟ ଆଭିମୁଖ୍ୟ ନୁହେଁ ବୋଲି ପ୍ରକାଶ କରିଥିଲେ। ତେବେ ଏସବୁ ବିଭାଗୀୟ ସମସ୍ଯା ହୋଇ ପାରେ।କୃଷି ପାଇଁ ଜଳ ସେଚନର ଗୁରୁତ୍ୱପୂର୍ଣ୍ଣ ଯେତିକି, ପାନୀୟ ଜଳ ଯୋଗାଣ ପାଇଁ ଜଳ ମୂଲ୍ୟ କିଛି କମ୍ ନୁହେଁ। ଏଥି ପ୍ରତି ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନେବା ଉଚିତ ବୋଲି ସାଧାରଣରେ ଦାବି ହୋଇଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.