ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପାଇଁ ଠିକାଦାରଙ୍କ ନାଁରେ ମାମଲା ।

0 217

ମାଲକାନଗିରି, ୧୭/୦୨(ପିପିଟି):ଗତ ଶନିବାର ୧୪ ଫେବୃଆରିରେ ମାଥିଲି ଠାରୁ ୪ କି. ମି. ଦୂରରେ ଜାତୀୟ ରାଜପଥ ନଂ ୩୨୬ ରେ ଅବସ୍ଥିତ ଉଦୁଲିବେଢା ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଯାଇଛି । ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କେଶବ ଗୌଡ ନାମକ ଜଣେ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି ଏବଂ ତାଙ୍କ ସମ୍ପର୍କୀୟ ରାଜେନ୍ଦ୍ର ମାହାପାଳିଆ ଗୁରୁତର ଭାବରେ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ଏହି ଦୁର୍ଘଟଣା ଜାତୀୟ ରାଜପଥ ନଂ ୩୨୬ ରେ ଥିବା ଖାଲଖମା (Potholes) ଏବଂ ନିମ୍ନମାନର ରାସ୍ତା ଯୋଗୁଁ ହୋଇଅଛି । ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଜାତୀୟ ରାଜପଥର ମରାମତି, ରକ୍ଷଣା ବେକ୍ଷଣ ଏବଂ ସଠିକ୍ ସୂଚନା ଫଳକ ଗୁଡିକୁ ଠିକ୍ ଭାବରେ ପ୍ରଦର୍ଶିତ କରିବା ନିମନ୍ତେ ଜାତୀୟ ରାଜପଥ ଉପଖଣ୍ଡ ମାଲକାନଗିରି ଏବଂ ଜାତୀୟ ରାଜପଥ ଡିଭିଜନ ଜୟପୁର ଙ୍କୁ ବାରମ୍ବାର ନିର୍ଦ୍ଦେଶ ଦେଇଥିଲେ । ତଥାପି ସଂପୃକ୍ତ ବିଭାଗ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ଦିଗରେ କୌଣସି ତତ୍ପରତା ପ୍ରକାଶ କରିନଥିଲେ। ତେଣୁ ଉକ୍ତ କାର୍ଯ୍ୟରେ ନିୟୋଜିତ ଠିକାଦାରଙ୍କ ବିରୁଦ୍ଧରେ ମାଥିଲି ଥାନାରେ ମାମଲା ଦାୟର କରାଯାଇଛି । ତତ୍ ସହିତ ଜାତୀୟ ରାଜପଥ ଉପଖଣ୍ଡ ମାଲକାନଗିରି ଓ ଜାତୀୟ ରାଜପଥ ଜୟପୁର ଡିଭିଜନ ଅଧିକାରୀଙ୍କ ସମେତ ଠିକାଦାରଙ୍କୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା ୨୦୨୩ ର ଧାରା ୧୫୨ (Public Nuisance) ଅନୁଯାୟୀ ଏକ ସପ୍ତାହ ମଧ୍ୟରେ ଗୋବିନ୍ଦପାଲ୍ଲୀ ଠାରୁ ମୋଟୁ ପର୍ଯ୍ୟନ୍ତ ସମସ୍ତ ଖାଲଖମା (Potholes), ଜାତୀୟ ରାଜପଥର ରକ୍ଷଣା ବେକ୍ଷଣ ଏବଂ ସଠିକ ସୂଚନା ଫଳକ ଗୁଡିକୁ ଠିକ୍ ଭାବରେ ପ୍ରଦର୍ଶିତ କରିବା ପାଇଁ ଉପ ଜିଲ୍ଲାପାଳ ତଥା ଉପଖଣ୍ଡ ଦଣ୍ଡାଧିକାରୀ, ମାଲକାନଗିରି ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶକୁ ଖିଲାପ କଲେ ଭାରତୀୟ ନ୍ୟାୟ ସଂହିତା ୨୦୨୩ ର ଧାରା ୨୨୩ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.