ଧରାକୋଟ,୧୦/୦୧(ପିପିଟି):ଅଦିନିଆ ବର୍ଷାରେ ଫସଲ ନଷ୍ଟ ଲାଗି ମୃତ୍ୟୁ ବରଣ କରିଥିବା କୃଷକ ପରିବାରକୁ ୨୦ ଲକ୍ଷ ଟଙ୍କା କ୍ଷତି ପୂରଣ, ଫସଲ କ୍ଷତି ପାଇଁ ଚାଷୀ/ଭାଗଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଦେବା, ଆବଶ୍ୟକ ଅନୁଯାୟୀ ମଣ୍ଡି ଖୋଲିବା, କ୍ଵିଣ୍ଟାଲ ପ୍ରତି ୩୧୦୦/ ଟଙ୍କାରେ ଚାଷୀର ସବୁ ଧାନ କ୍ରୟ କରିବା ଏବଂ କୃଷକମାନଙ୍କ ଋଣଛାଡ଼ ଇତ୍ୟାଦି ଦାବି ନେଇ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ ଧରାକୋଟ ତହସିଲଦାରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଷୀମାନଙ୍କ ବିକ୍ଷୋଭ ପ୍ରଦର୍ଶନ ହୋଇଯାଇଛି । ଗତ ଅଦିନିଆ ବର୍ଷା ଜନିତ ଫସଲ କ୍ଷତି କାରଣରୁ ଓଡିଶାରେ ପ୍ରତିଦିନ କୃଷକ ଆତ୍ମହତ୍ୟା କରୁଥିବା ବେଳେ ରାଜ୍ୟ ସରକାର ପ୍ରବାସୀ ଭାରତୀୟ ସମ୍ମିଳନୀ ଅୟୋଜନ କରି ଲୋକଙ୍କ ଟିକସ ଅର୍ଥରୁ ୧୨୫ କୋଟି ଟଙ୍କା ଖର୍ଚ୍ଚ କରିବା ଚାଷୀଙ୍କ ଦୁର୍ଦ୍ଦଶା ପ୍ରତି ନିଷ୍ଠୁର ଉପହାସ ଏବଂ କଟା ଘା’ରେ ଚୂନ ଦେବା’ ସଦୃଶ୍ୟ ହୋଇଛି ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା କହିଛି । ସରକାର ଅବିଳମ୍ବେ କୃଷକମାନଙ୍କ ଜ୍ୱଳନ୍ତ ଦାବି ପ୍ରତି ସମ୍ବେଦନଶୀଳ ହୋଇ ପୂରଣ କରିବା ପାଇଁ ପଦକ୍ଷେପ ଗ୍ରହଣ ନକଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ସଂଯୁକ୍ତ କୃଷକ ମୋର୍ଚ୍ଚା ତରଫରୁ କୁହାଯାଇଛି । ଏହି ଅବସରରେ ଧରାକୋଟ ତହସିଲଦାରଙ୍କ ଜରିଆରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଆଜିର କାର୍ଯ୍ୟକ୍ରମରେ ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ କୁମାର ନାୟକଙ୍କ ସମେତ ବ୍ଳକ୍ ସଭାପତି ନରସିଂହ ଦଳବେହେରା,ମାନସ ଭୂୟାଁ, ଯକ୍ଷ୍ୟ ଗମାଙ୍ଗ,କବିରାଜ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।