ମାଲକାନଗିରି ,୧୪/୦୨(ପିପିଟି):ଶ୍ରୀ ଅରବିନ୍ଦ ଉଚ୍ଚ ବିଦ୍ୟାଳୟ ଏମ.ଭି – ୫୫ ରେ ମଧ୍ୟାହ୍ନ ଭୋଜନ ଚାଉଳ ଓ ଅର୍ଥ ଅନିୟମିତତାର ଅଭିଯୋଗ ହୋଇଛି । ଅଭିଯୋଗ ପରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଏହାର ତଦନ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ତତ୍ତ୍ୱାବଧାନରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ କରି ମଧ୍ୟାହ୍ନ ଭଜନ ଚାଉଳର ଷ୍ଟକ୍ ରେଜିଷ୍ଟର ତଦନ୍ତ କରିଥିଲେ । ଷ୍ଟକ୍ ରେଜିଷ୍ଟର ତଥା ଅନ୍ୟାନ୍ୟ କାଗଜ ପତ୍ର ଯାଞ୍ଚ ପରେ ଜଣା ପଡ଼ିଛି ଯେ ପ୍ରାୟ ୪୨ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ ପୁନଃ ପ୍ରକ୍ରିୟାକରଣ ପାଇଁ କୌଣସି ମିଲ୍ କୁ ପଠା ଯାଇଅଛି । କିନ୍ତୁ ମଧ୍ୟାହ୍ନ ଭୋଜନ ଚାଉଳ ଯାହା ଜିଲ୍ଲା ଯୋଗାଣ ଅଧିକାରୀଙ୍କ ଦ୍ଵାରା ସ୍ଵତନ୍ତ୍ର ପୋଷଣ ଯୁକ୍ତ ପୁନଃ ପ୍ରକ୍ରିୟାକରଣର କୌଣସି ଆବଶ୍ୟକତା ନାହିଁ । ମଧ୍ୟାହ୍ନ ଭୋଜନ ଚାଉଳ ଅନିୟମିତତାରେ ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଭୂମିକା ରହିଅଛି ଓ ଉକ୍ତ ଅନିୟମିତତା ପାଇଁ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରା ଯାଇଅଛି । ନୋଟିସ୍ ର ପ୍ରତିଉତ୍ତର ଅନୁଯାୟୀ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ କରାଯିବ ଜିଲ୍ଲା ଶିକ୍ଷା ଅଧିକାରୀ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।
(ରିପୋର୍ଟ : ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)