***ଶୈଶବର ସ୍ମୃତି***

0 7

ତତ୍କାଳୀନ ସମୟରେ ଗାଁ ଗହଳରେ ମନୋରଞ୍ଜନର ମାଧ୍ୟମ କ’ଣ ଥିଲା ? ଯାହା ଥିଲା ହାତ ଗଣତି। ଆମେ ଯେତେବେଳେ ପିଲା ଥିଲୁ ଚାଟଶାଳୀ ଛୁଟି ହେଲା ପରେ କ’ଣ ଦିଟା ପଖାଳ ଗେଫିଦେଇ ଖେଳିବାକୁ ବାହାରି ପଡୁ । ସାଙ୍ଗ ସାଥିଙ୍କୁ ଡକାହକା କରି ଏକାଠି ହେଉ ଦାଣ୍ଡରେ। ଆମ ଗାଁ ର ଦାଣ୍ଡରେ ଧାଡ଼ି ଧାଡି ନଡ଼ିଆ ଗଛ। ଖରା ଦିନ ହେଲେ ନଡିଆ କଷି ଝଡି ତଳେ ପଡେ । ଆମ ଛୋଟ ଛୋଟ କଷି ନଡ଼ିଆକୁ ସଂଗ୍ରହ କରି
ବାଟି ଖେଳୁ। ଭୂଇଁରେ ଗାତ କରି ଏକ ନିର୍ଦ୍ଦିଷ୍ଟ ଦୂରେ ରହି ଗାତକୁ ନଡ଼ିଆ କଷି ବାଟି ଗଡାଉ। ଯାହାର ବାଟି ଗାତରେ ପଶିଲା, ଯିଏ ପାଚିଲା। ଏମିତି ବାଟିକୁ ବାଟି ମରା ମରି ଖେଳ।
ଆମ ଠାରୁ ଟିକେ ବଡ ପିଲାମାନେ କାଚ ବାଟି,ହାଡ ବାଟି ରେ ଖେଳନ୍ତି। ଆମେ ଦେଖି ମଜା ନେଉ । କେତେ ପିଲା ନଡ଼ିଆ କଷିକୁ ନଡିଆ ବାଳୁଙ୍ଗାର ଖଡିକାରେ ଫଶାଇ ରଥ ନିର୍ମାଣ କରନ୍ତି। ଚିକିଟା ମାଟିକୁ ହାତରେ ଦଳି ଚକା ତିଆରି କରି ରଥରେ ଲଗାନ୍ତି। ରଥ ନିର୍ମାଣ ହେଲା ପରେ କଦଳୀ ପଟ ରସି ରେ ବାନ୍ଧି ଟାଣନ୍ତି। ରଥ ପଛେ ପଛେ ପିଲାମାନେ ତାଳି ମାରି ହରି ବୋଲ କରନ୍ତି। ଏହା ବି ପିଲାମାନଙ୍କ ପାଇଁ ମନୋରଞ୍ଜନ ।
କିଛି ପିଲା ପିଲ ଦଣ୍ଡା ଖେଳନ୍ତି। ହାତେକିଆ ବାଡି ବା ଦଣ୍ଡକୁ ଧରି ଛ ଅଙ୍ଗୁଳିଆ ପିଲକୁ ଧରି ଖେଳନ୍ତି। ଏକ ଚାଖଣ୍ଡିକିଆ ଭୂଇଁରେ ଗର୍ତ୍ତ କରି ପିଲ ଦଣ୍ଡା ଖେଳା ଯାଏ । ପରେ ପରେ ଏହି
ଖେଳଟି କ୍ରିକେଟ ରେ ରୂପାନ୍ତରିତ ହୋଇଥିଲା ଭଳି ମନେ ହୁଏ।ଆମ ପିଲା ଦିନେ ଆମେ ଗାଁ ଦାଣ୍ଡରେ ଖେଳୁ । ଖରା ଦିନେ ବିଦ୍ୟାଳୟ ଛୁଟି। ସେତେବେଳକୁ ଆମ ଗାଁ ରେ ବିଦ୍ୟୁତ୍ ନାହିଁ।
ରାତିରେ ଡିବିରି ବତୀ ମାଟି ତେଲ ପକାଇ ଜାନୁ । ଡିବିରି ବତୀ ମିଞ୍ଜି ମିଞ୍ଜି ଜଳେ। ଆମ ପିଲାଦିନେ ସଂଜ ହେଲେ ବୋଉ କହିବ ତୋ ଚାଟଶାଳୀ ବହି ଧରି ପଢ। ଗାଁ ରେ ଗୋଟିଏ ନୂଆଳିଆ ମାଟି ଚାଳ ଘର। ପ୍ରଥମ ରୁ ତୃତୀୟା ଶ୍ରେଣୀ ଯାଏ
ସେଠାରେ ପାଠ ପଢା ଯାଏ। ଗୋଟିଏ ଶିକ୍ଷକ। ଶିକ୍ଷକ ଧଳା ଧୋତି ଆଉ କୁର୍ତ୍ତା ପିନ୍ଧି ହାତରେ ବେତ ଲଗା ବେଣ୍ଟ ଧରି ପାଦରେ କଠଉ ମାଡି ଚାଲି ଚାଲି ଆସନ୍ତି। ଶିକ୍ଷକ ଯାହା ପଢାଇଥିବେ, ସେତିକି। ସମସ୍ତ ଙ୍କ ବାପା ମା’ ମୁର୍ଖ। ଆମକୁ ଅକ୍ଷର ବୁଝୁ କି ନ ବୁଝୁ ଆମେ ଚିତ୍ର ଦେଖି ଚକ,କଳ,ନଖ,ଆଈ, ନଈ ପଢୁ ।ଆମ ବାପା ମା ଭାରି ଆନନ୍ଦିତ। ଆମେ ପାଟି କରି
ପ୍ରଳାପ କରୁ । ସେମାନେ ଭାବନ୍ତି,ଆମ ପିଲାମାନେ ଭାରି ପାଠୁଆ। କିନ୍ତୁ ଆମକୁ କିଛି ବୁଝେ ନାହିଁ। ସଂଧ୍ୟାରେ ଆମର ଏମିତି ପାଠ ପଢା ନାଟକ ଚାଲେ।ସେ ସମୟରେ ମାଷ୍ଟ୍ରମାନେ ଭାରି କଢା। କଥା କଥାରେ ପିଲାମାନଙ୍କୁ ଗୋଗୋଛିଆ ମାଡ। ବେତ ବାଡି ମାଡ଼ରେ ଛୋଟ ଛୋଟ ପିଲାମାନଙ୍କ ପିଠିରେ ରକ୍ତ ନୋଳା ବସି ଯାଏ। ପିଲାମାନଙ୍କ ବାପା ମାନେ ମଧ୍ୟ ରାଷ୍ଟ୍ରମାନଙ୍କ ସାହସକୁ ବଢାନ୍ତି। ସେମାନେ କହନ୍ତି:- ମାଷ୍ଟ୍ରେ ପାଠ ନ ଆସିଲେ, ଭଲ ଭାବରେ କଷିବ। ମାଷ୍ଟ୍ରଗୁଡାକ ଆମ ପଢ଼ିବା ସମୟରେ ଯମ। ଜଙ୍ଘିଆରେ ମୂତିଲା ପର୍ଯ୍ୟନ୍ତ ନିର୍ଘାତ ଛେଚା ଛେଚନ୍ତି। ମାଡ ଭୟରେ ପିଲାମାନେ ଜଙ୍ଘିଆରେ ହସିବାର ଦୃଶ୍ୟ ବିରଳ ନୁହେଁ। ବିଦ୍ୟାଳୟ ସମୟ ହେଲେ କେତେ ପିଲା ମାଷ୍ଟ୍ରଙ୍କ ମାଡ ଭୟରେ କିଏ ପାଳ ଗଦା ଚକିରେ ଲୁଚେ ତ କିଏ କଦଳୀ ଗଛ ଗହଳେ ଲୁଚି ରହେ । କାହର ପେଟ ବଥା, କାହାର ମୁଣ୍ଡ ବଥା, କାହାର ଝାଡା ମଧ୍ୟ ହେବାର ବାହାନ ବାଜି ବାହାରେ । ଏମିତି
ମାନସିକ ଶାରୀରିକ ଚାପ ଗ୍ରସ୍ଥ ହୋଇ ପାଠ ପଢୁ ଥିଲୁ। ବିଦ୍ୟାଳୟ କୁ ଗଲେ ମାଷ୍ଟ୍ରେ କୁହନ୍ତି,ଆଉ ନ ଗଲେ ବାପାଙ୍କ କୁଟନ୍ତି। କି ହନ୍ତସନ୍ତ ପାଠ ପଢା। ମାଡ ଭୟରେ ବହୁତ ପିଲା ପାଠ ଛାଡି ଦେଉଥିଲେ । ଆମେ ପଢିଲା ବେଳକୁ ପ୍ରଥମରୁ ପଚାଶେ ପିଲା ଥିଲୁ ଏକାଦଶ ଶ୍ରେଣୀ ବେଳକୁ ଆମେ ଦୁଇଜଣ ପଢୁଥିଲୁ । ଆମେ ଖରା ଛୁଟି ହେଲେ କି ଶୀତ ଛୁଟି ହେଲ ବହୁତ ଖେଳ କୁଦ କରୁ । ନତୁବା ଅନ୍ୟ ଦିନେ ପାଠ ପଢା ଏକ ବୋଝ ଥିଲା। ଗାଁ ରେ ଶତ ପ୍ରତିଶତ ଲୋକମାନେ ଅପାଠୁଆ ଥିବାରୁ କୌଣସି ବିଷୟରେ ସନ୍ଦେହ ହେଲେ ପଚାରି ବୁଝିବା କଷ୍ଟ ସାଧ୍ଯ ଥିଲା।ସେହି ଛୁଟି ସମୟରେ ଆମେ ବିଭିନ୍ନ ଖେଳ ଖେଳୁ । କିଏ ଡାହିକି ମାଙ୍କଡ ଖେଳେ ତ କିଏ କବାଡି (ଡୁଡୁ) ଖେଳ, ବୋହୂ ଚୋରି ଖେଳ ଖେଳୁ । କିଏ ପୋଖରୀ ପାଣିରେ ଖପର କାତି ଖେଳେ। ଖରା ଦିନେ ହିଡ଼ ଉପରୁ ଡେଇଁ ମାଙ୍କଡ ଚିତ ଖେଳୁ ।
ପାଣି ଭିତରେ ବୁଡା ପହଁରା ଖେଳୁ। ବେଳେ ସାଇକେଲ ରିମକୁ
ଏକ ବାଡି ଖଣ୍ଡକୁ ଧରି ରାସ୍ତାରେ ଗଡାଉ। ଗୁଡି ଉଡାଇବା ଆଉ ଗୋଟିଏ ମଜାଦାର ଖେଳ। ସୂତାକୁ ହାତରେ ଧରି ଧାଉଁ। ପାବନ ବହିଲେ ଗୁଡ଼ି ଉଡେ ନନ ହେଲେ ଗୁଡି ତଳେ ଚକ୍କର ଖାଇ ଚିଟ୍ ପଟାଙ୍ଗ।ବର୍ଷା ଦିନ ହେଲେ ଖାତାକୁ ଚିରି କାଗଜ ଡଙ୍ଗା ତିଆରି କରି ଭସାଇବା ପରେ କି ଆନନ୍ଦ। ବର୍ଷା ପାଣିରେ ଭିଜି ମାଛ କଙ୍କଡ଼ା ଧରିବାରେ ଯେଉଁ ଆନନ୍ଦ ମିଳେ ନ କହିଲେ ଭଲ। ପ୍ରଜାପତି ଧରିବା, କଙ୍କି (ଫିରିଙ୍ଗି) ଧରିବା, ବାଉଁଶ ବସ୍ତାରେ କାଣ୍ଡ ତିଆରି କରି ଗଛରେ ବସିଥିବା ଚଢ଼େଇକୁ ଲାଖ ବିନ୍ଧିବା । ହନୁମାଙ୍କଡକୁ ଘଉଡାଇବା ପାଇଁ ବାଟୁଳି ମାରିବା ପିଲା ଦିନର
ଗୋଟିଏ ଗୋଟିଏ ଅବିସ୍ମରଣୀୟ ସ୍ମୃତି କହିଲେ ଅତ୍ୟୁକ୍ତି ହେବ ନାହିଁ।ଗାଁ ରେ ସାପୁଆକେଳା ଆସି ସାପ ଖେଳାଏ। ସାପର ଗୁଣ ଗାନ କରେ । ପଦ୍ମ ତୋଳା ଗାଏ। ଡମ୍ବରୁ ଓ ବିଣା ବଜାଏ। ନାଗ ସାପ ଫଣା ଟେକି ଏପଟ ସେପଟ ଚାହେଁ। ଇଛା ହେଲେ ଅମଡ଼ା ଚାଲେ। ସାପୁଆ ସାଉଁଟି ଧରି ସାପକୁ ପେଟିରେ ପୁରାଏ।
ଏହା ମଧ୍ୟ ସେ ସମୟରେ ଗାଁ ରେ ମନୋରଞ୍ଜନ ର ଖୋରାକ ଯୋଗାଉ ଥିଲା।କେନ୍ଦରା ବଜାଇ ଦ୍ବାର ଦ୍ବାର ବୁଲି ଯୋଗୀମାନେ ଭିକ ମାଗନ୍ତି। ଚକୁଳି ପଣ୍ଡାମାନେ ଧର୍ମ ବାଣୀ ଶୁଣାଇ ଦାନ ଦକ୍ଷିଣା ମାଗନ୍ତି।ଜାନୁଘଣ୍ଟି ବାନ୍ଧି ରାମ ପର୍ଶୁରାମ ଯୁଦ୍ଧର ଅଭିନୟ ସଂଯୋଗୀ କରି ଦାଣ୍ଡେ ଦାଣ୍ଡେ ଭିକ୍ଷା ବୃତ୍ତି କରନ୍ତି। ଏହା ମଧ୍ୟ ତତ୍କାଳୀନ ସମୟରେ ଏକ ମନୋରଞ୍ଜନ ର ମାଧ୍ଯମ ଥିଲା ।
ଆମ ପିଲାଦିନେ ଗାଁ ଗାଁ ରେ ଦାସକାଠିଆ ନାଚ ହୁଏ।ଆଖ ପାଖ ଗାଁକୁ ଆମେ ସଂଜ ବୁଡୁ ବୁଡୁ କ’ଣ ଦିଟା ଖାଇ ଦାସକାଠିଆ ନାଚ ଦେଖବାକୁ ଯାଉ। ଗାୟକ ଓ ପାଳିଆ ମଧ୍ୟରେ ଯେଉଁ ଟାହି ଟାପରା ଚାଲେ, ତାକୁ ଆମେ ଶୁଣି ହସି ହସି ଗଡୁ । ଏବେ ଆଉ ଦାସକାଠିଆ ଦେଖିବାକୁ ମିଳୁ ନାହିଁ।ଅନ୍ଯ ଏକ ବିଦଗ୍ଧ କଳା ହେଲା ପାଲା। ପୁରାଣ ସହିତ କାବ୍ୟ, କବିତା, ଛାନ୍ଦ, ଅଳଙ୍କାର ସାହିତ୍ୟର ଚର୍ଚ୍ଚା ଖୁବ୍ ଆନନ୍ଦ ଦାୟକ ଥିଲା। ଆମ ପିଲା ବେଳେ ଏହି ସାଂସ୍କୃତିକ କଳାର ଭରପୂର ଆନନ୍ଦ ଉପଲବ୍ଧି କରୁ । ଏହା ଛଡା ମଙ୍ଗଳା ନାଚ ମଧ୍ୟ ହୁଏ। ଏହାକୁ ଘଣ୍ଟ କଳସୀ ବୋଲି କହନ୍ତି। ଚାଙ୍ଗୁ ବାଜା ବାଜେ, ଗୀତ ବୋଲା ଯାଇ ମଙ୍ଗଳା ମା’ ବେଶଧାରୀ ଦାଣ୍ଡେ ଦାଣ୍ଡେ ନାଚେ। ଆମେ ମଙ୍ଗଳା ନାଚ ପଛେ ପଛେ ଦେଖିବା ପାଇଁ ଗୋଡାଉ। ଏ ମୁଣ୍ଡ ରୁ ସେ ମୁଣ୍ଡ ଯାଏ ନାଚ ଗୀତ ସରିଲା ପରେ ଆମେ ଦଳେ ପିଲା ଯେ ଯାହା ଘରକୁ ଲେଉଟି ଯାଉ । ରାଜା ନାଟ, ଦୁଆରୀ ନାଟ,ଘୁଡୁକି,ଗହାଣ,ଢଣ କୋଇଲା,ସଖୀ ନାଚ,ବାଘ ନାଚ , ଦଣ୍ଡ ନାଚ ସେ ସମୟରେ ଗାଁ ଗହଳିରେ ଏକ ମନୋରଞ୍ଜନ ଲାଗି ଉଦ୍ଦିଷ୍ଟ ଥିଲା। ତନ୍ମଧ୍ୟରୁ ଆଜି ସେହି ଲୋକ ନୃତ୍ୟ କିଛି ଜୀବିତ ରହିଥିବା ବେଳେ ଆଉ କିଛି ଲୋକ କଳା ବିଲୁପ୍ତ ହୋଇଯାଇଛି ।ମୁଁ ସପ୍ତମ ପଢିଲା ବେଳକୁ ବାଞ୍ଛାନିଧି ପଣ୍ଡା ଘରେ ଗୋଟିଏ ରେଡ଼ିଓ ଥିଲା । ମୁଁ ସେତେବେଳକୁ କିଛି କିଛି ଛାନ୍ଦ, ଚଉପଦୀ,ଚମ୍ପୁ , ଭଜନ,ଜଣାଣ ବହି ଆଣି ଗୀତ ବୋଲେ । ମୋର ପୁରାଣ ପଢିବାର ଅଭ୍ୟାସ ପିଲାଟି ଦିନରୁ ଅଛି। ବିନା ଗୁରୁରେ ବିଦ୍ଯା ପରି ଗୀତ ବୋଲେ ।ସୁର ବେସୁରା କଥା କିଏ ପଚାରେ ? ଏଣିକି ସୁର ସାଧନ ପାଇଁ ସଂଧ୍ୟା ସମୟରେ ବାଞ୍ଛାନିଧି ପଣ୍ଡା ଘର ବାରଣ୍ଡାରେ ବସି ଚଳଚ୍ଚିତ୍ର ଗୀତ ଶୁଣେ। କିଛି ମନେ ରଖି ଗୁଣୁ ଗୁଣାଏ। ମୋର ଗୀତ ଗାଇବାକୁ ପିଲା ବେଳେ ବଡ ଆଗ୍ରହ ଥିଲା। ହେଲେ ଶିଖିବାର ମାଧ୍ୟମ ନଥିଲା।ମୁଁ କାଳକ୍ରମେ ଗୋଟିଏ ରେଡ଼ିଓ କିଣିଲି ଗୀତ ଶୁଣିବା ପାଇଁ।ଏଣି କାହା ଦାଣ୍ଡରେ ଠିଆ ହୋଇ ଗୀତ ଶୁଣିବା ଆଉ ଗଲି ନାହିଁ। ମୁଁ ଯେତେବେଳ ମାଟ୍ରିକ ପାଶ କଲି, ସେତେବେଳେ ଗୀତିକାର ହେବାକୁ ଭାରି ଇଛା ହେଲା । ଗୁଡାଏ ଗୀତ ଲେଖିଲି। ନିଜେ ଲେଖି ନିଜେ ଗାଇଲି। ମନେ ହେଲା ମୁଁ ଗଳ୍ପ,ନାଟକ ଓ ଉପନ୍ୟାସ ଲେଖିଲି ।ମୋର ବି ଇଚ୍ଛା ହେଲା କଳାକାରଟିଏ ହେବା ପାଇଁ। ଆମ ସାହିର କିଛି ଯୁବକଙ୍କୁ ଏକାଠି କରି ଡ୍ରାମା କରିବାକୁ ମତାମତ ଦେଲି। ପିଲାମାନେ ରାଜି ହେଲେ। ମୁଁ ଗୋଟିଏ ଡ୍ରାମା ଲେଖଲି । ନାଟକର ନାଁ ଦେଲି – “ମଧ୍ୟାହ୍ନରେ ସକାଳ”। ଦୁଇ ଦିନ ମୁହଁରେ ରଙ୍ଗ ବୋଳି ଖେଳିଲୁ । ଖରା ଦିନେ ଆମ ଗାଁ ଆଖ ପାଖ ଗାଁ ର ଯୁବକମାନେ ମିଳିମିଶି ଡ୍ରାମା କରନ୍ତି। ମାତ୍ର ଆମ ଗାଁରେ ଡ୍ରାମା କେବେ ହୋଇ ନଥିଲା, ଯାହା ହେଉ ମୋ ପ୍ରଚେଷ୍ଟା ରେ ତାହା ସମ୍ଭବ ହେଲା । ଆମେ ନାଟକଟିକୁ ମାଗଣାରେ ଦେଖାଇଥିଲୁ, ଏଣୁ ବହୁ ଦର୍ଶକ ଏହାକୁ ଉପଭୋଗ କରିଥିଲେ। ଏ ସବୁ ସ୍ମୃତି ଆଜି ମନେ ପଡ଼ିଲେ ଭାବେ ସେ ଅତୀତର ଆନନ୍ଦ ଆଜି ଯେମିତି କାଳର କରାଳ ଗର୍ଭରେ ନିଷ୍ପ୍ରଭ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସାହିତ୍ୟ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭

Leave A Reply

Your email address will not be published.