ଭଞ୍ଜନଗର ୦୭/୦୯(ପିପିଟି):ଗଞ୍ଜାମ ପୋଲିସ ଜିଲା ପକ୍ଷରୁ ରବିବାର ଖାଲିଥିବା ୧୩୫ ଟି ଗୃହରକ୍ଷୀ (ହୋମଗାର୍ଡ) ପଦବୀ ପୂରଣ ପାଇଁ ବିଭିନ୍ନ କେନ୍ଦ୍ରରେ ଲିଖିତ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ୧୦ ଟା ରୁ ୧୨ ଟା ମଧ୍ୟରେ ପରୀକ୍ଷା ହେଉଛି। ଏହା ପୁର୍ବରୁ ଆବେଦନକାରୀମାନଙ୍କୁ କଡ଼ାକଡି ଭାବେ ଯାଞ୍ଚ କରାଯାଇ ପରୀକ୍ଷା କେନ୍ଦ୍ରକୁ ଛଡାଯାଉଛି। ଗଞ୍ଜାମ ପୋଲିସ ଜିଲାର ସମସ୍ତ ଥାନା ଅଞ୍ଚଳରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର ହୋଇଛି। ପରୀକ୍ଷା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏମବିଏ, ବି ଟେକ ଆବେଦନକାରୀ ମଧ୍ୟ ପରୀକ୍ଷା ଦେଉଛନ୍ତି।ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ନିର୍ଦ୍ଦେଶ ପ୍ରକାରେ ପରୀକ୍ଷା କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି। ଗଞ୍ଜାମ ପୋଲିସ ଜିଲାରେ ୧୩୫ ଟି ପଦବୀ ପାଇଁ ୭୫୦୦ ରୁ ଉର୍ଦ୍ଧ୍ବ ଆବେଦନ କରିଛନ୍ତି। ଆସନ୍ତା ୯ ତାରିଖରେ ଏହି ପରୀକ୍ଷା ଫଳ ପ୍ରକାଶିତ ହେବ। ଚଳିତ ମାସ ଶେଷ ସୁଦ୍ଧା ଅନ୍ୟାନ୍ୟ ପ୍ରକ୍ରିୟା ଶେଷ କରି ଯୋଗ୍ୟ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ। ଏହିଭଳି ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ୨୯୧ଜଣ ପରୀକ୍ଷାର୍ଥୀ ଥାନା ଅଧିକାରୀ ଜୀବନାନନ୍ଦ ଜେନାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରୀକ୍ଷା ଦେଇଥିଲେ। ସେହିପରି ତାର ସିଂ ଥାନା ଅଧୀନରେ ମୋଟ ୧୭୬ଜଣ ପରୀକ୍ଷାର୍ଥୀ କୋକଳବା ଜ୍ଞାନ ପଟ୍ଟନାୟକ ହାଇସ୍କୁଲ୍ ରେ ଆଇଆଇସି ଶୁଭଲଷ୍ମୀ ପୂଜାରୀଙ୍କ ତତ୍ତ୍ୱାବଧାନରେ ପରୀକ୍ଷା ଦେଇଛନ୍ତି।ବେଲଗୁଣ୍ଠା ଥାନା ପକ୍ଷରୁ ୧୯୦ଜଣ ପରୀକ୍ଷାର୍ଥୀ ସ୍ଥାନୀୟ ସାଇନ୍ସ କଲେଜରେ ପରୀକ୍ଷା ଦେଇଛନ୍ତି।ଗାଙ୍ଗପୁର ଥାନା ଅଧୀନରେ ୨୧୭ଜଣ ପରୀକ୍ଷାର୍ଥୀ କ୍ଷତ୍ରିୟ ବରପୁର ଆଞ୍ଚଳିକ ବିଜ୍ଞାନ ମହାବିଦ୍ୟାଳୟ ରେ ପରୀକ୍ଷା ଦେଇଛନ୍ତି।ସେହିଭଳି ସୋରଡ଼ା ଥାନା ଅଧୀନରେ ୧୬୦ଜଣ ପରୀକ୍ଷାର୍ଥୀ ଋଷିକୂଲ୍ୟା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପରୀକ୍ଷା ଦେଇଛନ୍ତି।ଏଥିରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଏସପି ରଞ୍ଜନ କୁମାର ଦେ, ଭଞ୍ଜନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଡ ଦୀପକ ମିଶ୍ର, ମଧ୍ୟ ନିଜ ଅଞ୍ଚଳରେ ଥିବା ପରୀକ୍ଷା କେନ୍ଦ୍ର ବୁଲି ସୁରକ୍ଷା ବ୍ୟବସ୍ଥା ବୁଲି ଦେଖିଥିଲେ। ୧୩୫ ଟି ପଦବୀ ମଧ୍ୟରୁ ୧୦୧ ପୁରୁଷ ଏବଂ ୩୪ ଜଣ ମହିଳା ଗୃହରକ୍ଷୀ ଚୟନ ହେବେ। ସେଥିମଧ୍ୟରୁ ସାମୁଦ୍ରିକ ଥାନା ପାଇଁ ୧୫ ଜଣ, ସାଧାରଣ ଡ୍ୟୁଟି ୫୫ ଜଣ, କମ୍ପ୍ୟୁଟର ୪୦, ଡ୍ରାଇଭର ୧୦, ରୋଷେୟା ୬, ବୈଦ୍ୟୁତିକ ମିସ୍ତ୍ରୀ ୨, ମେସ ସହାୟକ ୨ ଓ ଧୋବୀ, ବାରିକ, ଦରଜୀ, ପାଣି ପାଇପ ମିସ୍ତ୍ରୀ, ମୋଚି ପଦବୀ ପାଇଁ ଜଣେ ଲେଖାଁଏ ନିଯୁକ୍ତି ହେବେ ବୋଲି ଜଣାପଡ଼ିଛି।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)