ଭଞ୍ଜନଗର, ୨୮/୧୧(ପିପିଟି ):ସଡ଼କ ଦୁର୍ଘଟଣାରେ ବହୁ ମୂଲ୍ୟହୀନ ଜୀବନ ଅଦିନରେ ଚାଲିଯାଉଛି।ସଚେତନତା ଅଭାବରୁ ବହୁ ପରିବାର ମଧ୍ୟ ଛାରଖାର ହୋଇଯାଉଛି।ଏହାକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନ୍ତର୍ଗତ ଶୂନ ମୃତାହତ ପକ୍ଷ ପାଳନ କରାଯାଉଛି।ଏହି ଅବସରରେ ଦୁର୍ଘଟଣା ପ୍ରବଣ ସ୍ଥାନ ମଧ୍ୟରେ ଭଞ୍ଜନଗର ନିକଟ ନୂଆଗାଁ ବ୍ରିଜ ଉପରେ ଏକ ପଥପ୍ରାନ୍ତ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ ଆଜି ଦିନ ତମାମ ଅନୁଷ୍ଠିତ ହୋଇଯାଇଛି। ରୋଟାରୀ କ୍ଳବ ଭଞ୍ଜନଗର ଏବଂ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ବିପଦର ବନ୍ଧୁ ଓଡିଶା ଅନୁଷ୍ଠାନର ସହଯୋଗ ରେ ଯାନବାହନ ଚାଳକ ମାନଙ୍କୁ ଅଟକାଇ ସଡ଼କ ସୁରକ୍ଷା ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି। ଗାଡ଼ିରେ ସୁରକ୍ଷା କବଚର ଷ୍ଟିକର ଲଗାଇବା ସହ ଚାବି ରିଙ୍ଗ ପ୍ରଦାନ କରାଯାଇଥିଲା।ନିୟମ ମାନି ଯାତ୍ରା କରୁଥିବା ଚାଳକ ମାନଙ୍କୁ ଚକଲେଟ ଦେଇ ଉତ୍ସାହିତ କରାଯାଇଥିଲା। ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥି ନାୟକ, ଏମ୍ଭିଆଇ କିଶୋର କୁମାର ଦେ, ବେଲଗୁଣ୍ଠା ଥାନା ଇନ୍ସ୍ପେକଟର ଅଭୟ ପ୍ରଧାନ, ଭଞ୍ଜନଗର ଥାନା ଏସଆଇ ଲିପିନା ବିଶ୍ୱାଳ, ଏସଆଇ ଶରତ ଚନ୍ଦ୍ର ପଣ୍ଡା, ଆର୍ଟିଓ ଅତିରିକ୍ତ ଇନ୍ସ୍ପେକଟର ସେକ ଉଦିନ,ଭଞ୍ଜନଗର ରୋଟାରୀ କ୍ଳବ ସଭାପତି ରଞ୍ଜିତ କୁମାର ବାରିକ, ବିନୟ କୁମାର ନାଥ ଏବଂ ଅନ୍ୟ ରୋଟାରୀଆନ ଏବଂ ବିପଦର ବନ୍ଧୁ ଅନୁଷ୍ଠାନର ସଦସ୍ୟ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)