ଛତ୍ରପୁର,୨୮/୦୩: ନୂତନ ଜାତୀୟ ଶିକ୍ଷାନୀତି ୨୦୨୦ ଅନୁଯାୟୀ ସମସ୍ତ ପ୍ରାଥମିକ ବିଦ୍ୟାଳୟରେ ଶିଶୁଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାର ଚଳିତ ବର୍ଷ ନୂତନ ଶିକ୍ଷାନୀତି ଆରମ୍ଭ କରିଛନ୍ତି । ଶିଶୁ ଵାଟିକା ରେ କୁନି କୁନି ପିଲାମାନେ ସରକାରୀ ବିଦ୍ୟାଳୟ ନାମ ଲେଖେଇ ବାକୁ ସ୍ୱତନ୍ତ୍ର ନିମନ୍ତ୍ରଣ କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ଆସିଛି । ଏହି ଅବସରରେ ଶିଶୁ ବାଟିକା ରେ ନାମ ଲେଖେଇବାକୁ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଆଜି ଛତ୍ରପୁର ଏନଏସି ଅଧୀନ ପୁତିଗୋପାଳପୁର ସ୍ଥିତ ବଡ଼ସାହିର କୁନି କୁନି ପିଲାଙ୍କ ଘରକୁ ଯାଇ ବିଦ୍ୟାଳୟ ରେ ଶିଶୁ ବାଟିକାରେ ନାମ ଲେଖାଇବାକୁ ନିମନ୍ତ୍ରଣ ପତ୍ର ପରିବାର ବର୍ଗଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଆସିଥିବା ନିମନ୍ତ୍ରଣ ପତ୍ର ପ୍ରଦାନ କରିବା ସହ ପରିବାର ସହ ଆଲୋଚନା କରିଥିଲେ ଜିଲ୍ଲାପାଳ । ଆସନ୍ତା ୨ ରେ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ସେଠାରେ ନାମ ଲେଖେଇଵାକୁ ଜିଲ୍ଲାପାଳ ପରିବାର ବର୍ଗଙ୍କୁ ଅନୁରୋଧ କରିଥିଲେ । ପିଲାମାନେ ମଧ୍ୟ୍ୟ ନିଜ ଘରକୁ ଜିଲ୍ଲାପାଳ ଆସିଥିବାରୁ ଗୋଲାପ ଫୁଲ ଦେଇ ସ୍ୱାଗତ କରିଥିଲେ । ଶିଶୁ ବାଟିକା ପିଲାମାନଙ୍କୁ ପାଠ ପଢାଇବା ପାଇଁ ବିଦ୍ୟାଳୟ ସ୍ତରରେ ସମସ୍ତ ବ୍ୟବସ୍ଥା କରାଯାଇଛି । ପ୍ରାଥମିକ ସ୍କୁଲରେ ଭିତ୍ତିଭୂମି ସଜଡା ଯାଉଛି । ପିଲାମାନଙ୍କ ପାଇଁ ଯେଉଁସବୁ ମୌଳିକ ବ୍ୟବସ୍ଥା ରହିବା କଥା ତାହାକୁ ପୂରଣ କରିବା ପାଇଁ ବ୍ୟବସ୍ଥା କରୁଛି ଶିକ୍ଷା ବିଭାଗ । ଏହା ସହିତ ଶିକ୍ଷକମାନଙ୍କୁ ଏନେଇ ତାଲିମ ମଧ୍ୟ ଦିଆଯାଇଛି । ଶିଶୁ ବାଟିକାରେ ପିଲାଙ୍କୁ କିଭଳି ଭାବରେ ଗୁଣାତ୍ମକ ପାଠ ପଢାଯିବ ସେନେଇ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଜିଲ୍ଲାପାଳ । ଯେଉଁ ମାନଙ୍କ ବୟସ ସେପ୍ଟେମ୍ବର ୧ ସୁଦ୍ଧା ୫ ବର୍ଷରୁ ଉର୍ଦ୍ଧ ସେମାନେ ଶିଶୁ ଵାଟିକା ଓ ୬ ବର୍ଷରୁ ଉର୍ଦ୍ଧ ପ୍ରଥମ ଶ୍ରେଣୀରେ ନାମ ଲେଖାଇବେ । ଆସନ୍ତା ୨ ରୁ ୫ ତାରିଖ ପ୍ରଯ୍ୟନ୍ତ ତିନି ଦିନ ସରକାରୀ ବିଦ୍ୟାଳୟ ରେ ପ୍ରବେଶ ଉତ୍ସଵ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହି ନିମନ୍ତ୍ରଣ ପତ୍ର ପ୍ରଦାନ ବେଳେ ସମଗ୍ର ଶିକ୍ଷା ଅଭିଯାନର ଏସସି /ଏସଟି ସଂଯୋଜକ ଡ଼. ସରୋଜ ମୋହନ ପାଳ, ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ,ଏବିଇଓ ସଞ୍ଜୁକ୍ତା ରଥ, ସିଆରସିସି ଆଲୋକ କୁମାର ସେଠୀ, ସୁଶାନ୍ତ କୁମାର ସେଠୀ, ପ୍ରଧାନ ଶିକ୍ଷକ ଅରୁଣ କୁମାର ବେହେରା, ପୁତିଗୋପାଳପୁର ସ୍କୁଲ ପରିଚାଳନା କମିଟି ସଭାପତି ଏସ. ତ୍ରିବେଣୀ ରେଡ୍ଡୀ ଓ ଅଙ୍ଗନୱାଡ଼ି କର୍ମୀ ପ୍ରମୁଖ ଉପସ୍ଥିତଥିଲେ ।