ହରଭଙ୍ଗା,୧୦/୦୬:ସରକାର ଅଙ୍ଗନୱାଡି ଶିଶୁଙ୍କ ଠାରୁ ଆରମ୍ଭକରି ଗର୍ଭବତୀ ମହିଳାଙ୍କ ପାଇଁ ମାଗଣାରେ ପୁଷ୍ଟିକର ଖାଦ୍ୟ ବଣ୍ଟନ ଭଳି ମହତ୍ଙ୍କାକ୍ଷୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମାତ୍ର ହରଭଙ୍ଗା ବ୍ଲକରେ ଅଙ୍ଗନୱାଡି କେନ୍ଦ୍ର ଜରୀଆରେ ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ନିମ୍ନମାନର ପୁଷ୍ଟିକର ଖାଦ୍ୟ ବଣ୍ଟନ ହେଉଥିବା ଭଳି ସାଂଘାତିକ ଅଭିଯୋଗ ସୋମବାର ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ କେତେକ ହିତାଧିକାରୀ ଅଭିଯୋଗ କରିଛନ୍ତି । କମ୍ ଓଜନ ସାଙ୍ଗକୁ ନିମ୍ନମାନର ପୁଷ୍ଟିକର ଖାଦ୍ୟ ବଟଂନରେ ଏଭଳି ଅଭିଯୋଗ ଘଟଣା ତଦାରଖ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସ୍ୱଛତା ଏବଂ ପାରିବାପଣିଆ ଉପରେ ପ୍ରଶ୍ନଚିହ୍ନ ଛିଡାକରିଛି । ବ୍ଲକର ସାମ୍ପୋଚ୍ ପଞ୍ଚାୟତ ଅର୍ନ୍ତଗତ ରାମ୍ଭିକଟା ଗ୍ରାମର କ୍ଷୀରୋଦ ବେହେରାଙ୍କ ପନ୍ତ୍ରୀ ଲିନା ବେହେରାଙ୍କୁ ସ୍ଥାନୀୟ ଅଙ୍ଗନୱାଡି କେନ୍ଦ୍ରରୁ ଛତୁଆ,ଲଡୁ,ଚଣା,ମୁଢି,ଖଜରା ଭଳି ପୁଷ୍ଟିକର ଖାଦ୍ୟ ବଟଂନ କରାଯାଇଥିଲା । ମାତ୍ର ପ୍ୟାକେଟ ଗୁଡିକର ଓଜନ କମ୍ ଥିବା ସହିତ ନିମ୍ନମାନର ପୁଷ୍ଟିକର ଖାଦ୍ୟ ହୋଇନଥିବାରୁ ସେଗୁଡିକ ଶିଶୁ ଏବଂ ଗର୍ଭବତୀ ଖାଇବା ଉପଯୋଗୀ ନଥିଲା ବୋଲି ସେ ଅଭିଯୋଗ ଉଠାଇଛନ୍ତି । ସେହିପରି ସମାନ ଅଭିଯୋଗ ଧଳପୁର ପଂଚାୟତ ଦୁର୍ଗାପୁର ଗ୍ରାମର ସୁଜ୍ଞାନ ଭୋକ୍ତା,ବାମଣ୍ଡା ବିରୋଗଡ ଗ୍ରାମର ବିରେନ ବଗର୍ତୀ ଆଣିଛନ୍ତି । ଏଣୁ ଏହି ଘଟଣାର ସେ ତଦନ୍ତ ଦାବୀ କରିବା ସହିତ ମିଳିଥିବା ପୁଷ୍ଟିକର ଖାଦ୍ୟ ପ୍ୟାକେଟଗୁଡିକ ଆଣି ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିବା ଜଣାପଡିଛି । ଶିଶୁଏବଂ ଗର୍ଭବତୀଙ୍କୁ ବଟଂନ କରାଯାଉଥିବା ପୁଷ୍ଟିକର ଖାଦ୍ୟ ନିମ୍ନମାନର ଅଭିଯୋଗ ଘଟଣା ପଦାକୁ ଆସିବାପରେ ଉପଜିଲ୍ଲାପାଳ ପ୍ରବୀଣ ବାଣୁଆ ଘଟଣାର ତଦନ୍ତଭାର ସି.ଡି.ପି.ଓଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ସୂଚନା ଥାଉ କି ସମ୍ମନ୍ୱିତ ଶିଶୁ ବିକାଶ ଯୋଜନା ଅନୁଯାୟୀ ଅଙ୍ଗନଓାର୍ଡୀ କେନ୍ଦ୍ରଗୁଡିକ ଜରୀଆରେ ୬ମାସରୁ ୩ବର୍ଷ ଶିଶୁଙ୍କୁ ମାସିକ ୨କେଜି ୨ଶହ ଓଜନର ଗୋଟିଏ ପ୍ୟାକେଟ ଛତୁଆ,ସୁଜି ୧୩୫୦ ଗ୍ରାମ, ଆଣ୍ଡା ୧୨ଟି ପ୍ରଦାନ କରାଯାଉଛି । ସେହିପରି ଗର୍ଭବତୀ ମହିଳାଙ୍କୁ ମାସିକ ୩ କେଜି ୬ଶହ ଗ୍ରାମ ଓଜନର ଛତୁଆ ପ୍ୟାକେଟ୍, ବାଦାମ ଲଡୁ ୫ଶହ ଗ୍ରାମ,ମୁଢି ୭୫୦ ଗ୍ରାମ, ଚଣା-୧୫ଶହ ଗ୍ରାମ,ଖଜୁରୀ ୫ଶହ ଗ୍ରାମ,ରାଶି ଲଡୁ ୫ଶହ ଗ୍ରାମ ଲେଖାଏଁ ପ୍ରଦାନ କରାଯାଉଛି ।ଏହା ସହିତ ଅତ୍ୟଧିକ କମ୍ ଓଜନ ଶିଶୁଙ୍କ ପାଇଁ ମାସିକ ୫ଶହ ଗ୍ରାମ ପ୍ରିମିକ୍ସ, କଦଳୀ -୧୦ଟା,ଅଣ୍ଡା ୧୬ଟି ପ୍ରଦାନ କରାଯାଉଥିବା ବେଳେ ୩ ରୁ ୬ବର୍ଷ ଶିଶୁଙ୍କ ପାଇଁ ୭୫୦ଗ୍ରାମ ପ୍ରିମିକ୍ସ, କଦଳୀ -୧୦ଟି ଏବଂ ୫ଟି ଲେଖାଏଁ ଅଣ୍ଡା ପ୍ରଦାନ କରାଯାଉଛି । ସେହିପରି ୧୫ ରୁ ୧୯ ବର୍ଷ କିଶୋରୀ ବାଳିକା ପାଇଁ ମୁଡି-୯୭୦ ଗ୍ରାମ, ଚଣା-୧୩୫୦ ଗ୍ରାମ ଏବଂ ଅଣ୍ଡା-୧୬ଟି ପ୍ରଦାନ କରାଯାଉଛି। ମାତ୍ର ପୁଷ୍ଟିକର ଖାଦ୍ୟ ଯୋଗାଣକରୁଥିବା ସଂସ୍ଥା ଏତେ ପରିମାଣର ପୁଷ୍ଟିକର ଖାଦ୍ୟ କେଉଁଠୁ କ୍ରୟ କରୁଛନ୍ତି ଏବଂ କ୍ରୟ ପୂର୍ବରୁ ଏବଂ ଛତୁଆ ପ୍ରସ୍ତୁତ ପରେ ସେଗୁଡିକର ମାନ କିଏ ଯାଞ୍ଚ କରୁଛନ୍ତି । ଯଦି ସଠିକ୍ ଯାଞ୍ଚ କରାଯାଉଛି ତାହାହେଲେ ପ୍ୟାକେଟଗୁଡିକର ଓଜନ କାହିଁକି କମୁଛି ଏବଂ ନିମ୍ବମାନର ପୁଷ୍ଟିକର କିପରି ପ୍ୟାକେଟରେ ଭର୍ତ୍ତି ହେଉଛି ତାକୁ ନେଇ ଅନେକ ପ୍ରଶ୍ନ ଛିଡାକରିଛି । ଏ ଦିଗରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହିତ ଉନ୍ନତମାନର ପୁଷ୍ଟିକର ଖାଦ୍ୟ ଯୋଗାଣ ଦିଗରେ ଏକ ମନିଟରିଂ ଟିମ୍ ଦୃଷ୍ଟି ଦେବାକୁ ସାଧାରଣରେ ଦାବୀ ହେଉଛି ।