କୋଦଳା,୦୮/୧୦(ପିପିଟି):ବିଦ୍ୟାଳୟରେ ଶିକ୍ଷକ ପଦବୀ ପୂରଣ ନ ହେଲେ ତାଲାବନ୍ଦ ର ଚେତାବନୀ ଦେଲେ ହଂସତୂଳୀ ଗ୍ରାମବାସୀ । ସୂଚନା ଅନୁଯାଇ ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ତାଳସର ପଞ୍ଚାୟତ ଅନ୍ତର୍ଗତ ହଂସତୂଳୀ ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ ଏଥିରେ ପ୍ରାୟ ୨୦୦ ରୁ ଉର୍ଦ୍ଧ୍ଵ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି । ଆଠଟା ଶ୍ରେଣୀ କୁ ମାତ୍ର ପାଞ୍ଚଜଣ ଶିକ୍ଷକ,ଫଳରେ ଶିକ୍ଷାଦାନରେ ବହୁ ଅସୁବିଧା ପରିଲକ୍ଷିତ ହେଉଛି । ଯଦି କୌଣସି ଦିନ ଜଣେ ଶିକ୍ଷକ ଅଫିସ କାର୍ଯ୍ୟ ରେ ଯାଆନ୍ତି ମାତ୍ର ୪ଜଣ ଶିକ୍ଷକ ୮ଗୋଟି ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ କିଭଳି ପଢ଼ାଉଥିବେ ତାହାକୁ ନେଇ ଚିନ୍ତାରେ ଅଭିଭାବକ ।ମଙ୍ଗଳବାର ଏହାକୁ ନେଇ ଅଭିଭାବକ,ଗ୍ରାମବାସୀ ଓ ବିଦ୍ୟାଳୟର କମିଟି ସଦସ୍ୟ ମାନେ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ କୁ ଯିବା ସହ ବିଭିନ୍ନ ସମସ୍ୟା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି । ଡେପୁଟେଶନ ରେ ଯାଇଥିବା ଶିକ୍ଷକ ମାନଙ୍କୁ ତୁରନ୍ତ ଫେରେଇ ଆଣିବା , ଆବଶ୍ୟକ ସଂଖ୍ୟକ ଶିକ୍ଷକ ନିଯୁକ୍ତି ଦେବା ଓ ଅନ୍ୟାନ୍ୟ ଦାବି ନେଇ ଦାବିପତ୍ରରେ ଉଲ୍ଲେଖ କରିଥିବା ସୂଚନା ମିଳିଛି । ଶିକ୍ଷକ ନିଯୁକ୍ତି ନେଇ ମଧ୍ଯ ସ୍ଥାନୀୟ କବିସୂର୍ଯ୍ୟନଗର ବିଧାୟକଙ୍କୁ ଗ୍ରାମବାସୀ ମାନେ ଅବଗତ କରାଇଥିବା ଜଣାପଡିଛି । ଆଗରୁ ମଧ୍ଯ ଏହି ନିଯୁକ୍ତି ସମ୍ପର୍କରେ ଶିକ୍ଷା ବିଭାଗର ଅଧିକାରୀ ମାନଙ୍କୁ ଜଣାଇଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି । ଆଗାମୀ ଦିନରେ ଯଦି ତୁରନ୍ତ ଶିକ୍ଷକ ନିଯୁକ୍ତି ନ ଦିଅନ୍ତି ସମୂହ ଗଣଧାରଣା ସହ ବିଦ୍ୟାଳୟରେ ତାଲାବନ୍ଦ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।
(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)