ଭଞ୍ଜନଗର, ୨୪/୦୩(ପିପିଟି):ଭଞ୍ଜନଗର ସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଠାରେ ରବିବାର ଅଧ୍ୟକ୍ଷ ଡ଼.ବିମଳ ଚରଣ ସ୍ୱାଇଁଙ୍କ ସଭାପତିତ୍ୱରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ରୂପେ ଆଇଟିଡ଼ିଏ ବାଲିଗୁଡାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା ଏବଂ ମୁଖ୍ୟ ବକ୍ତା ଭାବେ ପ୍ରାକ୍ତନ କଲେଜ ଅଧ୍ୟକ୍ଷ ଶିବରାମ ପଣ୍ଡା,କଲେଜ ଛାତ୍ର ସଙ୍ଗଠନ ଉପଦେଷ୍ଟା ଡ଼ ସତ୍ୟବାଦୀ ମାର୍ଥା,ଛାତ୍ର ସଂସଦ ସଭାପତି ଶିବୁ ପ୍ରସାଦ ସାହୁ,ସାଧାରଣ ସମ୍ପାଦକ ଲିପୁ ବେହେରା ମଞ୍ଚାସୀନ ଥିଲେ।ଅଧା ପେଟ ଖାଇ ଦୁଇ ଗୁଣ କାର୍ଯ୍ୟ କରି ଏବଂ ତିନିଗୁଣ ହସରେ ସବୁ ପରିସ୍ଥିତିକୁ ସାମନା କରିବାକୁ ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।ସେହିପରି ଶିକ୍ଷକ ମାନଙ୍କୁ ରାଷ୍ଟ୍ର ନିର୍ମାତାର ଆଖ୍ୟା ଦେଇ ଏହି ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ସୁଶିକ୍ଷକ ହେବାକୁ ମୁଖ୍ୟ ଅତିଥି ଶ୍ରୀ ବେହେରା କହିଥିଲେ।କଲେଜ ଅଧ୍ୟକ୍ଷ ଶ୍ରୀ ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ପରିଚୟ ପ୍ରଦାନ କରିଥିଲେ।ଗୋଟିଏ ବର୍ଷରେ ଦୁଇ ଦୁଇଟି ଜାତୀୟ ସେମିନାରର ସଫଳ ଆୟୋଜନ କରିଥିବା କଲେଜ ଅଧ୍ୟକ୍ଷଙ୍କୁ ସମସ୍ତେ ପ୍ରଶଂସା କରିଥିଲେ।ସଭାକାର୍ଯ୍ୟକୁ ସହକାରୀ ପ୍ରଫେସର ଡ଼. ଦିଲୀପ କୁମାର ଖୁଣ୍ଟିଆ ପରିଚାଳନା କରିଥିଲେ।ଉପସଭାପତି ମୋନାଲିସା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଛାତ୍ରଛାତ୍ରୀଙ୍କ ଦ୍ଵାରା ନାଟକ ରଣପୁର ରାଣୀ ରଜନୀ ଗନ୍ଧା ଏବଂ ନୁତ୍ୟ ସଙ୍ଗୀତ ପରିବେଷଣ କରାଯାଇଥିଲା।ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଛି।ଏଥିରେ କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ସହଯୋଗ କରିଥିଲେ।
ରିପୋର୍ଟ- (ଜେ.କେ ପଟ୍ଟନାୟକ)