ଶାର୍ଦ୍ଦୁଳ ଗ୍ରାମରେ ଚୋର କୁ ହତ୍ୟା; ବନ୍ଧା ହେଲେ ୨୦ ଗ୍ରାମବାସୀ ।

0 17

ଭଞ୍ଜନଗର, ୧୪/୦୨(ପିପିଟି):ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାର୍ଦ୍ଦୁଳ ଗ୍ରାମରେ ଜଣେ ଚୋର କୁ ଗ୍ରାମବାସୀମାନେ ପିଟିପିଟି ହତ୍ୟା କରିଛନ୍ତି।ଏହି ଘଟଣାରେ ଭଞ୍ଜନଗର ପୋଲିସ ଆଜି ସନ୍ଧ୍ୟାରେ ମୋଟ ୨୦ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଆଉ କିଛି ନାବାଳକ ମଧ୍ୟ ଏଥିରେ ଜଡିତ ଥିବା ଜଣାପଡ଼ିଛି।ଗତ ରାତିରେ ଶାର୍ଦ୍ଦୁଳ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଚୋର ପଶିଥିବା ବେଳେ ଅନ୍ୟ କିଛି ଚୋର ବାହାରେ ତାକୁ ଅପେକ୍ଷା କରିଥିଲେ।ଏସମ୍ପର୍କରେ ଗ୍ରାମର କିଛି ଲୋକ ଚୋର ପଶିଥିବା ଜାଣି ପାରି ଅନ୍ୟମାନଙ୍କୁ ଉଠାଇଥିଲେ।ଏହାପରେ ଗାଁ ଲୋକେ ଜଣେ ଚୋରକୁ କାବୁ କରିଥିବା ବେଳେ ଅନ୍ୟ ଚୋରମାନେ ସେଠାରୁ ଖସି ପଳାଇଥିଲେ।ଲୋକଙ୍କ ହାବୁଡ଼ରେ ଧରା ପଡ଼ିଥିବା ଚୋରକୁ ଲୋକମାନେ ଏକ ବିଦ୍ୟୁତ ଖୁଣ୍ଟରେ ଦଉଡିରେ ବାନ୍ଧି ଅତି ନିର୍ମମ ଭାବେ ମାଡ଼ ମାରିଥିଲେ।ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଉକ୍ତ ଚୋରକୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲା।ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ।
ମୃତକ ଜଣଙ୍କ ହେଲେ କନ୍ଧମାଳ ଜିଲ୍ଲା କୁରୁମୁଙ୍ଗିଆ ଗ୍ରାମର ବେଣୁଧର ପ୍ରଧାନ। ପୋଲିସ ତଦନ୍ତ ବେଳେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ୨୦ଜଣଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ମୋବାଇଲ,ଲୁହା ପାଇପ,ଲାଠି ଓ ଦଉଡ଼ି ଜବତ କରାଯାଇଛି।ଏହି ଘଟଣାରେ ସମୃକ୍ତ ଥିବା ଆହୁରି କିଛି ବ୍ୟକ୍ତିଙ୍କ ଉପରେ ପୋଲିସ ନଜର ରଖିଥିବା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ରିପୋର୍ଟ୍ -ଜେ.କେ ପଟ୍ଟନାୟକ

Leave A Reply

Your email address will not be published.