ମାଲକାନଗିରି,୦୧/୦୯(ପିପିଟି):ମାଲକାନଗିରି ପୋଲିସ ପାଟ୍ରୋଲିଂ ବେଳେ ଏକ କାର୍ ରୁ ୧୦୦ କେଜି ଗଞ୍ଜେଇ ଜବତ କରିଛି । ଏହା ବ୍ୟତିତ ଗଞ୍ଜେଇ ଚୋରା ଚାଲାଣ କରୁଥିବା ୩ ଜଣ ବ୍ୟକ୍ତିଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ମାଲକାନଗିରି ଥାନା ସବଇନ୍ସପ୍ଟେର ସର୍ବେଶ୍ୱର ଭୋଇଙ୍କ ନେତୃତ୍ୱରେ ମାଲକାନଗିରି ଜୟପୁର ୩୨୬ ନମ୍ବର ଜାତୀୟ ରାଜପଥ ଚମ୍ପାଖାରୀ ପୋଲିସ ତନଖି ଫାଟକରେ ଯାନବାହାନ ଚେଙ୍କି କରୁଥିବା ସମୟରେ ସେହି ରାସ୍ତା ଦେଇ ଏକ କାର୍ ଦ୍ରୁତଗତିରେ ଯାଉଥିବାର ଦେଖି ଅଟକାଇ ଯାଞ୍ଚ କରା ଯାଇଥିଲା। ତେବେ କାର୍ ମଧ୍ୟରୁ ୪ଟି ଜରି ବସ୍ତାରେ ଗଞ୍ଜେଇ ଥିବାର ଦେଖିବାକୁ ମିଳିଥିଲା। ପୋଲିସ କାର୍ ଓ ଗଞ୍ଜେଇ ବସ୍ତାଗୁଡିକୁ ଜବତ କରିଥିଲା । ଏହା ଛଡା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ସେମାନେ ହେଲେ ଦୁର୍ଗ ଅଞ୍ଚଳର ଲାଲା ଯାଦବ (୧୯), ସୁକୁମା ଅଞ୍ଚଳର ଗୋଲକ ବିଶ୍ୱାସ (୩୩) ଓ ବିହାର ଅଞ୍ଚଳର ଲାଲାଜି ରାଜଭର (୨୬) । ଏହି ୩ ଜଣ ଯୁବକ ମାଲକାନଗିରିରୁ ଗଞ୍ଜେଇ ଧରି ଛତିଶଗଡ଼ ଦୁର୍ଗ ଅଞ୍ଚଳର ଜଣେ ପଣ୍ଡିତଙ୍କୁ ଗଞ୍ଜେଇ ବିକ୍ରି କରିବା ନିମନ୍ତେ ନେଉଥିଲେ। ପୋଲିସ ସେମାନଙ୍କ ନିକଟରୁ ଏକ କ୍ୱିଣ୍ଟାଲ ଗଞ୍ଜେଇ, କାର୍,୩ଟି ମୋବାଇଲ ଫୋନ ଏବଂ ନଗଦ ୭ହଜାର ଟଙ୍କା ଜବତ କରିଛି। ମାଜିଷ୍ଟ୍ରେଟ ଭାବେ ଡେପୁଟି କଲେକ୍ଟର ଅଜୟ ମାଣ୍ଡାଙ୍ଗୀଙ୍କ ଉପସ୍ଥିତିରେ ଜବତ ଗଞ୍ଜେଇକୁ ଓଜନ କରାଯାଇଥିଲା। ଗଞ୍ଜେଇ ବିକ୍ରି ଓ ଚାଲାଣରେ ସହଯୋଗ କରିଥିବା ଅନ୍ୟ ତିନିଜଣଙ୍କୁ ପୋଲିସ ଅନୁସନ୍ଧାନ କରୁଛି । ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ପ୍ରକାଶ କରିଛନ୍ତି।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)