ଭଞ୍ଜନଗର, ୦୪/୦୪(ପିପିଟି):ସେଦିନ ଥିଲା ୨୦୧୦ମସିହା ଏପ୍ରିଲ ୪ତାରିଖ, କୋରାପୁଟ ଜିଲ୍ଲାର ବୈପାରି ଗୁଡ଼ା ନିକଟ ଜଙ୍ଗଲରେ ପୋଲିସ ଓ ନକ୍ସଲ ମାନଙ୍କ ମଧ୍ୟରେ ହୋଇଥିଲା ଘମାଘୋଟ ଲଢ଼େଇ।ଉଭୟ ପଟୁ ଚାଲିଥିଲା ଗୁଳି ବିନିମୟ।ହେଲେ ହଠାତ୍ ଆସି ଗୋଟେ ଗୁଳି ବାଜିଲା ଯବାନ ସଞ୍ଜୟ କୁମାର ପ୍ରଧାନଙ୍କ ଦେହରେ।ସେହିଠାରେ ହିଁ ଟଳି ପଡିଲେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଜିଲୁଣ୍ଡି ଗ୍ରାମର ସାହେବ ପ୍ରଧାନଙ୍କ ପୁଅ ସଞ୍ଜୟ, ଆଉ ଦେଶ ଜାତିର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇ ଶହୀଦ ହୋଇଗଲେ।ଆଜିକୁ ଠିକ ୧୬ବର୍ଷ ତଳର ଘଟଣା।ତଥାପି ତାଙ୍କୁ ଝୁରୁଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ।ତେଣୁ ତାଙ୍କରି ସ୍ମୃତି ଉଦ୍ଦେଶ୍ୟରେ ଜିଲୁଣ୍ଡି ଉଚ୍ଚ ବିଦ୍ୟାଳୟ ପରିସରରେ ସଞ୍ଜୟଙ୍କ ଏକ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
ପୋଲିସ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ଭଞ୍ଜନଗର ପୋଲିସ ପକ୍ଷରୁ ଆଜି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ରଞ୍ଜନ କୁମାର ଦେ, ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା,ଏସଆଇ ଲଷ୍ମୀଧର ମହାନ୍ତି ଉପସ୍ଥିତ ହୋଇ ଶହୀଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ତାଙ୍କ ବାସଭବନରେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା, ଗୀତା ପାଠ ପରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହାପରେ ପରିବାର ଲୋକଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିବା ସହ ଆବଶ୍ୟକତାକୁ ପୂରଣ କରିବା ପାଇଁ ଅତିରିକ୍ତ ଏସପି ପ୍ରତିଶ୍ରୁତି ଦେଇଥିଲେ।
ରିପୋର୍ଟ -(ଜେ.କେ ପଟ୍ଟନାୟକ)