ପ୍ରକୃତି କୋଳରେ ପ୍ରତ୍ୟେକ ଋତୁର ନିଜର ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ ରହିଛି । ବର୍ଷାର ସମାପ୍ତି ପରେ ଯେବେ ଆକାଶ ନର୍ମଳ ହୁଏ ,ମେଘମାଳା ଲୁଚିଯାଏ, ସୂର୍ଯ୍ୟର ସ୍ନିଗ୍ଧକୀରଣ ଧରାପୃଷ୍ଠରେ ପ୍ରତିଫଳିତ ହୁଏ । ଠିକ ସେହି ସମୟରେ ପ୍ରକୃତି ଶରତ ଋତୁକୁ ସ୍ୱାଗତ କରେ । ଏହି ସମୟରେ ନଦୀପଠା,ପଡିଆ,ବିଲ ହୁଡାରେ ଧଳା ଧଳା କାଶତଣ୍ଡି ଫୁଲ ହସୁଥାଏ । ହାଲୁକା ପବନରେ ଦୋଳିଖେଳୁଥିବା ଏହି ଧବଳ ଫୁଲଗୁଡିକୁ ଦେଖିଲେ ପ୍ରକୃତି ହସୁଥିବା ଭଳି ମନେହୁଏ । କାଶତଣ୍ଡି କେବଳ ଘାସ ନୁହେଁ ଏହା ପ୍ରକୃତିର ଏକ ଅଭିନ୍ନ ଅଂଶ । ଶରତର ପ୍ରବିତ୍ରତା ଓ ସୁନ୍ଦରତାକୁ ଏହା ଅଧିକ ସୁଶୋଭିତ କରିଥାଏ ।ଦୂରରୁ ଦେଖିଲେ ଲାଗେ ଧଳା ଚାଦରର ଆବୃତ ଯେପରି ପୃଥିବୀ ଉପରେ ଘୋଡାଇହୋଇଛି । ନଦୀପଠାରେ ଲହଡି ମାରୁଥିବା କାଶତଣ୍ଡି ଫୁଲର ପ୍ରତିଛବି ପାଣିରେ ପଡିଥିବା ଦୃଶ୍ୟ ଅତ୍ୟନ୍ତ ମନୋରମ ।ଏହି ଦୃଶ୍ୟ ପ୍ରକୃତିର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରେ । ଗ୍ରାମ୍ୟ ଜୀବନରେ କାଶତଣ୍ଡି ଫୁଲର ଏକ ସ୍ୱତନ୍ତ୍ରତା ରହିଛିି ।ଶିଶୁମାନେ କାଶବନରେ ଖେଳନ୍ତି ।ପବନରେ ହଲୁଥିବା ଫୁଲକୁ ଧରିବାକୁ ଚେଷ୍ଟାକରନ୍ତି । ସେମାନଙ୍କ ପାଇଁ କାଶତଣ୍ଡି ହେଉଛି ଧଳା ସମୃଦ୍ଧିର ପ୍ରତୀକ ଓ ପବିତ୍ରତାର ସୂଚକ । ଲୋକେ କହନ୍ତି କାଶତଣ୍ଡି ଫୁଲ ଫୁଟିଲେ ମା ଦୂର୍ଗା ଓ ପାର୍ବଣ ଆଗମନର ସମୟ ଆସିଲା ବୋଲି ଜଣାଯାଏ । ଯଦିଓ ଏହା ଧାର୍ମୀକ ଆସ୍ଥା ସହିତ ଜଡିତ ତଥାପି କାଶତଣ୍ଡିକୁ ଦେଖିଲେ ଯେକେହି ପ୍ରକୃତିର ସନ୍ତୁଷ୍ଟିକୁ ଅନୁଭବ କରେ ।ଧଳାରଙ୍ଗର ଫୁଲ ପବିତ୍ରତାର ପ୍ରତୀକ ।ଯେପରି ଆକାଶରେରେ ଧଳା ମେଘ ସେପରି ଧରାପୃଷ୍ଠରେ କାଶତଣ୍ଡି ଫୁଲକୁ ଦେଖିଲେ ମନକୁ ଶାନ୍ତି,ସୁନ୍ଦରତା ମିଳିଥାଏ । କାଶତଣ୍ଡି ଫୁଲ ପ୍ରକୃତିର ଏକ ଅମୂଲ୍ୟ ଉପହାର । ଶରତ ଆସିଲେ ପୃଥିବୀକୁ ଧଳା ଚାଦରରେ ସଜେଇଦେଇଥାଏ କାଶତଣ୍ଡି ।କାଶତଣ୍ଡିର ଧବଳ ହସ ହସ ମୁହଁ ମନୁଷ୍ୟକୁ ଶାନ୍ତି,ଆନନ୍ଦ ଓ ଆଶାର ସନ୍ଦେଶ ପଂହଚାଇଦେଇଥାଏ ।କବିମାନେ ଏହାକୁ ପ୍ରେମ,ପବିତ୍ରତା ଓ ପ୍ରକୃତିର ସୌନ୍ଦର୍ଯ୍ୟର ପ୍ରତୀକ ବୋଲି କହିଥାନ୍ତି । ଧଳା ରଙ୍ଗ ପବିତ୍ରତାର ପ୍ରତୀକ । ସେପରି କାଶତଣ୍ଡି ଫୁଲ ଶାନ୍ତି ଓ ଆଶାର ପ୍ରାକୃତିକ ସନ୍ଦେଶ ବୋଲି କୁହାଯାଏ । ବର୍ଷା ପରେ ଯେପରି ଚାରିଆଡେ ନୂଆ ସବୁଜିଆ ପତ୍ର ଫୁଟିଉଠେ । ସେତେବେଳେ କାଶତଣ୍ଡି ଧଳା ସୂନ୍ଦରୀର ଚାଦର ଘୋଡାଇ ହୋଇ ହସୁଥିବା ମନେହୁଏ । କାଶତଣ୍ଡି ଫୁଲ ପ୍ରକୃତିର ଏକ ସାଧାରଣ ଉପହାର ହୋଇଥିଲେ ମଧ୍ୟ ଏହା ମାଧ୍ୟମରେ ଶରତ,ପର୍ବ ଓ ଆସ୍ଥା ଓ ଗାଁ ଜୀବନ ଏକାତ୍ମତାରେ ଯୋଡିହୋଇଥାଏ ।
ଜୟପ୍ରକାଶ ନାୟକ