ଭଞ୍ଜନଗର,୧୯/୦୮(ପିପିଟି):ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ଜଣାଶୁଣା ନେତା ତଥା ସାମାଜସେବୀ ହରିବନ୍ଧୁ ପ୍ରଧାନ (୭୩)ଙ୍କର ସୋମବାର ଦେହାନ୍ତ ଘଟିଛି। ସେ ଜଣେ ବିଶିଷ୍ଠ ରାଜନେତା ସହ ବିଭିନ୍ନ ଧର୍ମ ଅନୁଷ୍ଠାନ ସହ ଜଡ଼ିତ ଥିଲେ। ଏଥିସହ ମୁଜାଗଡ଼ ଗ୍ରାମ ସଭାପତି, ନାଟ୍ୟ ସଂଘ ସଭାପତି, କୁରୁମ କ୍ଷତ୍ରିୟ ସଂସ୍ଥାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ମଧ୍ୟ ରହି ଆସିଥିଲେ।
ସେ ମୁଜାଗଡ ପଞ୍ଚାୟତରେ ସରପଞ୍ଚ ଭାବେ ୩ ଥର ପ୍ରତିଦ୍ବନ୍ଦିତା କରିଥିଲେ। ଆଜି ସନ୍ଧ୍ୟାରେ କଟକରୁ ତାଙ୍କ ଶବ ଆସି ମୁଜାଗଡ଼ ଗ୍ରାମରେ ପହଞ୍ଚିବା ପରେ ଗ୍ରାମ ଶ୍ମଶାନରେ ତାଙ୍କର ଅନ୍ତିମ ସତ୍କାର କରାଯାଇଥିଲା । ଏହି ସମୟରେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଦଳର ସରପଞ୍ଚ, ସମିତିସଭ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ ହରିବନ୍ଧୁ ଦୁଇଦିନ ପୂର୍ବେ ଅସୁସ୍ଥତା ଅନୁଭବ କରିବାରୁ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସେ ପରଲୋକ ଗମନ କରିଛନ୍ତି। ହରିବନ୍ଧୁ ହେଉଛନ୍ତି ମୁଜାଗଡ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶିବ ଶଙ୍କର ପ୍ରଧାନଙ୍କ ପିତା।ତେଣୁ ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ରିପୋର୍ଟ୍-ଜେ କେ ପଟ୍ଟନାୟକ