ଯାଜପୁର,୧୬/୦୭(ପିପିଟି):ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ପି. ଅନ୍ଵେଷା ରେଡିଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସ୍ୱାସ୍ଥ୍ୟ ବିଭାଗ ର ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି । ଲୋକଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ଉପରେ ଜିଲ୍ଲାପାଳ ଗୁରୁତ୍ବ ପ୍ରଦାନ କରିଥିଲେ । ଜାତୀୟ ଯକ୍ଷ୍ମା ନିୟନ୍ତ୍ରଣ କାର୍ଯ୍ୟକ୍ରମ ସଫଳ ରୂପାୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଗତ ୫ ମାସରେ ଜିଲ୍ଲା ରେ ଧାର୍ଯ୍ୟ ଲକ୍ଷ୍ୟର ୯୧ ପ୍ରତିଶତ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ, ଯକ୍ଷ୍ମା ରୋଗୀଙ୍କୁ ପ୍ରଦାନ କରାଯାଉଥିବା ପୁଷ୍ଟିକର ଖଦ୍ୟ ପ୍ରଦାନ ଓ ନିକ୍ଷୟ ପୋଷଣ ଯୋଜନା ଅନ୍ତର୍ଗତ ପ୍ରଦାନ କରାଯାଉଥିବା ଆର୍ଥିକ ସହାୟତାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦେଶ ଦେଇଥିଲେ । ଫାଇଲେରିଆ ରୋଗ ନିରାକରଣ ପାଇଁ ଅଗଷ୍ଟ ୧୦ ତାରିଖରୁ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆରମ୍ଭ ହେବ । ଏହି କାର୍ଯ୍ୟକ୍ରମ ରେ ୨ ବର୍ଷ ରୁ କମ ଶିଶୁ, ଗର୍ଭବତୀ ମହିଳା ଓ ରୋଗରେ ପୀଡିତ ବ୍ୟକ୍ତିଙ୍କୁ ଛାଡି ଅନ୍ୟ ସମସ୍ତ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ ହୋଇ ପୂର୍ଣ୍ଣ ମାତ୍ରାରେ ଔଷଧ ସେବନ କରିବାକୁ ପରାମର୍ଶ ଦିଆଗଲା। ଆସନ୍ତା ଅଗଷ୍ଟ ମାସ ୧୨ ତାରିଖରେ ହେବାକୁ ଥିବା ଜାତୀୟ କୃମି ନାଶକ କାର୍ଯ୍ୟକ୍ରମ ବିଷୟରେ ସବିଶେଷ ଆଲୋଚନା କରାଗଲା। ଜିଲ୍ଲାର ସମସ୍ତ ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ରେ ମାସରେ ୮ ଟି ଯୋଗ ଶିବିର ଓ ୨ ଟି ସ୍ୱାସ୍ଥ୍ୟ ଭିତ୍ତିକ ଦିବସ ପାଳନ କରିବା ପାଈଁ ନିର୍ଦେଶ ପ୍ରଦାନ କରାଗଲା। ଜିଲ୍ଲା ର ମାତ୍ର ୪୭ ପ୍ରତିଶତ ଗର୍ଭବତୀ ମହିଳା ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନ (ମାସର ୯ ତାରିଖ) ରେ ସାମିଲ ହେଉଛନ୍ତି । ଯାହାକୁ ନେଇ ଜିଲ୍ଲାପାଳ ଉଦେବଗ ପ୍ରକାଶ କରିଥିଲେ । ୯ ତାରିଖ ବ୍ୟତୀତ,ମାସର ୨୧ ତାରିଖ ରେ ଅତିରିକ୍ତ ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନ (Extended PMSMA) କରିବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକ୍ଷକ ମାନେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତ୍ୱରିତ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜନନୀ ସୁରକ୍ଷା ଯୋଜନା ରାଶି ଓ ସଂପୂର୍ଣ୍ଣା ଯୋଜନା ଅନ୍ତର୍ଗତ ପ୍ରସବ ପରେ ଘରକୁ ଫେରିବା ପାଇଁ ପ୍ରଦାନ କରାଯାଉଥିବା ରାଶି ପ୍ରଦାନରେ ବିଳମ୍ବ କୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ। ବ୍ଲକ ଆର୍ଥିକ ପରିଚାଳନା ଦାୟିତ୍ୱ ରେ ଥିବା ବ୍ୟକ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବା ସହିତ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ସମସ୍ତ ବକେୟା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ସମସ୍ତ ସରକାରୀ ଡାକ୍ତରଖାନା ରେ ପ୍ରସବ ଉପରେ ଗୁରୁତ୍ବ ପ୍ରଦାନ କରିଥିଲେ.। ପ୍ରଧାନମନ୍ତ୍ରୀ ମାତୃତ୍ୱ ସୁରକ୍ଷିତ ଅଭିଯାନକୁ ଆସୁଥିବା ବିପଦ ସଂକୁଳ ଗର୍ଭବତୀ ମହିଳା ମାନଙ୍କ ପାଇଁ ଥିବା ଯାତାୟାତ ଖର୍ଚ୍ଚ ମଧ୍ୟ ମାତ୍ର ୧୦ ପ୍ରତିଶତ ପ୍ରଦାନ କରାଯାଇଛି । ଗତ ଆର୍ଥିକ ବର୍ଷ ଓ ଚଳିତ ବର୍ଷ ର ସମସ୍ତ ବକେୟା ରାଶିକୁ ୭ ଦିନ ଭିତରେ ପ୍ରଦାନ କରିବା ପାଇଁ ଜିଲ୍ଲାପାଳ ନିର୍ଦେଶ ପ୍ରଦାନ କରିଥିଲେ। ପରବର୍ତ୍ତୀ ସମୟରେ ସଠିକ ସମୟରେ ପ୍ରଦାନରେ ବିଳମ୍ବ ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ତାଗିଦ କରିଥିଲେ। ପ୍ରତି ସପ୍ତାହରେ ସମୀକ୍ଷା କରି ସମ୍ପୂର୍ଣ୍ଣ ଟୀକାକରଣକୁ ତ୍ୱରାନ୍ୱିତ ପାଇଁ ନିର୍ଦେଶ ଦେଇଥିଲେ.। ଏହି ବୈଠକରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ,ସମସ୍ତ ଅଧିକ୍ଷକ,ଜିଲ୍ଲା କାର୍ଯ୍ୟକ୍ରମ ପରିଚାଳକ, ବ୍ଲକ କାର୍ଯ୍ୟକ୍ରମ ପରିଚାଳକ,ଜିଲ୍ଲା ସ୍ତରୀୟ ଅଧିକାରୀ,ଜାତୀୟ ସ୍ୱାସ୍ଥ୍ୟ ମିଶନର ପରିଚାଳକ,ମାନେ ଉପସ୍ଥିତ ଥିଲେ ।