ସୁବର୍ଣ୍ଣପୁର ,୧୦/୦୪(ପିପିଟି): ସୁବର୍ଣ୍ଣପୁର ଜିଲ୍ଲାରେ ଚୈତ୍ର ମାସରେ ଶକ୍ତି ଆରାଧନା କାହିଁ କେତେ ପୁରୁଣା।ପ୍ରାୟ ସପ୍ତମ ଅଷ୍ଟମ ଶତାବ୍ଦୀରୁ ଆରମ୍ଭ କରି ଆଜିଯାଏଁ ଆଶ୍ୱିନ ଓ ଚୈତ୍ର ମାସରେ ଶକ୍ତି ଆରାଧନା କରାଯାଏ।ତେବେ ଜିଲ୍ଲାର ଚାରିଆଡେ ବିଛାଇ ହୋଇ ରହିଥିବା ଶକ୍ତି ପୀଠ ଭିତରେ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଲେହେଁଡ଼ି ଗାଁର ଦେବୀ ମା ମାହେଶ୍ୱରୀଙ୍କ ପୀଠରେ ବି ଚାଲିଛି ଦେବୀଙ୍କ ପୂଜା ଆରାଧନା ।ଚଳିତ ବର୍ଷ ଦେବୀ ମା ମାହେଶ୍ୱରୀଙ୍କ ପୀଠରେ ଚୈତ୍ର ଆରାଧନା ସାଙ୍ଗକୁ ଆୟୋଜିତ ହୋଇ ଯାଇଛି ଦେବୀ ମା ନାରାୟଣୀଙ୍କ ନବକଳେବର ଉତ୍ସବ ।ପ୍ରାୟ ପାଞ୍ଚ ଦଶକ ପୂର୍ବରୁ ପ୍ରାଚୀନ ମନ୍ଦିରରେ ଦେବୀ ମା ନାରାୟଣୀଙ୍କ କାଷ୍ଠ ନିର୍ମିତ ଖମ୍ବ ପ୍ରତିମା ଘରପୋଡିରେ ନଷ୍ଟ ହୋଇ ଯିବା ପରେ ଦେବୀ ପ୍ରତୀମାଙ୍କ ପରିବର୍ତ୍ତନ କରାଯାଇଥିଲା।ତେବେ ପୁଣି ଚଳିତ ଚୈତ୍ର ପର୍ବରେ ଦେବୀ ମା ନାରାୟଣୀଙ୍କ କାଷ୍ଠ ପ୍ରତୀମାର ନବକଳେବର ଉତ୍ସବ ପାଳନ କରାଯାଇ ପ୍ରତିଷ୍ଠା କରାଯାଇଛି।ତେବେ ଏହି ଅବସରରେ ଚୈତ୍ର ଶୁକ୍ଳ ଦଶମୀ ତିଥିରୁ ଚଣ୍ଡୀ ଯଜ୍ଞର ଆୟୋଜନ କରାଯାଇଥିଲା। ତିନି ଦିନ ପର୍ଯ୍ୟନ୍ତ ଶକ୍ତି ଆରାଧନା ସାଙ୍ଗକୁ ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା କରାଯାଇଥିଲା।ଏହି ପ୍ରତିଷ୍ଠା ଉତ୍ସବରେ ସଂକୀର୍ତ୍ତନ ,ଆଧ୍ୟାତ୍ମିକ ପ୍ରବଚନ ,ଭଜନ କାର୍ଯ୍ୟକ୍ରମ ଆଦିର ବି ଆୟୋଜନ କରାଯାଇଥିଲା।ହଜ଼ାର ହଜ଼ାର ଶ୍ରଦ୍ଧାଳୁ ଚଣ୍ଡୀ ଯଜ୍ଞରେ ସାମିଲ ହୋଇ ଦେବୀ ଦର୍ଶନ ପୂର୍ବକ ଶ୍ରୀଅନ୍ନ ଯଜ୍ଞରେ ସାମିଲ ହୋଇ ପୂଣ୍ୟ ଅର୍ଜନ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଦେବୀ ମା ମାହେଶ୍ୱରୀ ଡୁମ୍ବାଲ ସମ୍ପ୍ରଦାୟର ଇଷ୍ଟ ଦେବୀ ଭାବେ ପ୍ରସିଦ୍ଧି ଲାଭ କରିଥିବାରୁ ଡୁମ୍ବାଲ ସମ୍ପ୍ରଦାୟର ରାଜ୍ୟସ୍ତରୀୟ କାର୍ଯ୍ୟକର୍ତା ଏହି ଉତ୍ସବରେ ସାମିଲ ହୋଇ ଦେବୀଙ୍କ ଦର୍ଶନର ସୁଯୋଗ ନେଇଛନ୍ତି।ଦେବୀ ମା ମହେଶ୍ୱରୀଙ୍କ ଏହି ଶକ୍ତି ପୀଠ ସୋନପୁର ଗଡଜାତ ଶାସନ ସମୟରୁ ଜିଲ୍ଲାର ଅନ୍ୟତମ ତାନ୍ତ୍ରିକ ଶକ୍ତି ପୀଠ ଭାବେ ପରିଚୟ ପାଇଥିବା ବେଳେ ଏହି ପ୍ରତିଷ୍ଠା ପର୍ବରେ ଦେବୀ ମାହେଶ୍ୱରୀଙ୍କ ସେବାୟତ ଓ ପୁରୋହିତ କାୟ ମନୋବାକ୍ୟରେ ନିଷ୍ଠାର ସହିତ ସାମିଲ ହୋଇ ଦେବୀ ମା ନାରାୟଣୀଙ୍କ ଖମ୍ବ ପ୍ରତିମାଙ୍କ ପୁନଃ ପ୍ରତିଷ୍ଠା କରିଛନ୍ତି।ଏହି ଦିବ୍ୟ ଓ ଭବ୍ୟ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଖପାଖ 50 କୋଶ ଅଂଚଳର ଜନସାଧାରଣ ସାମିଲ ହୋଇ ଦେବୀଙ୍କ କୃପା ଲାଭ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି।ଆଜି ଚୈତ୍ର ଶୁକ୍ଳ ଦ୍ଵାଦଶୀ ତିଥିରେ ଦେବୀ ମାଙ୍କ ଚୈତ୍ର ଆରାଧନା ସହ ନାରାୟଣୀଙ୍କ ପ୍ରତିଷ୍ଠା ପର୍ବ ମହାସମାରୋହରେ ସମ୍ପନ୍ନ ହୋଇଛି।
ରିପୋର୍ଟ -ଶାନ୍ତନୁ କୁମାର କର୍ଣ୍ଣ