ମାଲକାନଗିରି,୦୩/୧୧(ପିପିଟି):ଆଦିବାସୀ ଚାଷୀଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ବାବଲମ୍ବୀ କରିବା ପାଇଁ ମାଲକାନଗିରି ଆଇଟିଡିଏ ସଂସ୍ଥା ତରଫରୁ ଲେମନ ଗ୍ରାସ୍ ଚାଷ ନାମରେ କୋଟି କୋଟି ଟଙ୍କା ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଛି। ଏହି ମହାଦୁର୍ନୀତିକୁ ତଦନ୍ତ କରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ମାନେ ଦାବି କରିଛନ୍ତି। ମାଲାକାନଗିରି ଆଇଟିଡିଏ ସଂସ୍ଥା ଅଧିନରେ ଓଟିଏଲପି ତରଫରୁ ମହାତ୍ମା ଗାନ୍ଧି ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୨୦୨୦-୨୦୨୧ ଆର୍ଥିକ ବର୍ଷରେ ମାଲକାନଗିରି ଜିଲ୍ଲାର ୩ଟି ବ୍ଲକରେ ଲେମନ ଗ୍ରାସ୍ ପ୍ଲାଣ୍ଟେସନ ସାଙ୍ଗକୁ ତେଲ ଉତ୍ପାଦନ କାମ ଆରମ୍ଭ କରାଯାଇଥିଲା। ଏହାର ମୁଖ୍ୟ ଆଭିମୁଖ୍ୟ ହେଲା ଆଦିବାସୀଙ୍କୁ କାମ ଧନ୍ଦା ଯୋଗାଇବା ଓ ସେମାନଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା। ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକର ଉଦୟଗିରି ଗାଁ ମୁଣ୍ଡରେ ୨ଟି ଲେମନ ଗ୍ରାସ ଚାଷ କରାଯାଇ ଥିଲା ବେଳେ ସେଠାରେ ନାମକୁ ମାତ୍ର ନାମଫଳକ ଲଗାଯାଇଛି । ଏହି ନାମଫଳକରେ ୱାର୍କ କୋଡ ନାହଁ କି ତାରିଖ ବି ଲେଖା ଯାଇ ନାହିଁ। ତେବେ ମନରେଗା ୱେବସାଇଟରୁ ମିଳି ଥିବା ତଥ୍ୟ ଅନୁସାରେ, ମାଥିଲି କର୍ତ୍ତନପାଲ୍ଲୀ ଉଦୟଗିରି ଗାଁରେ ୧୮ ଲକ୍ଷ ୧୫ ହଜାର ଟଙ୍କା ଖର୍ଚ୍ଚରେ ୫ ହେକ୍ଟର ଜମିରେ ୩ ଲକ୍ଷ ୧୨ ହଜାର ୫ ଶହ ଲେମନ ଗ୍ରାସ ଚାରା ଲଗାଯାଇ ଥିଲା।
କିନ୍ତୁ ପ୍ରକୃତ କ୍ଷେତ୍ରରେ ଏଠାରେ ନା ଅଛି ୫ହେକ୍ଟର ଜମି, ନା ଲଗା ଯାଇଛି ୩ ଲକ୍ଷରୁ ଉର୍ଦ୍ଧ୍ଵ ଚାରା। ପ୍ରାୟ ଏକ ହେକ୍ଟର ଜମିରେ ପ୍ରାୟ ୧୦ ରୁ ୧୨ ହଜାର ଚାରା ଲଗାଯାଇଛି । ଫଳରେ ଏହି ଲେମନ ଘାସ ଚାଷରେ ମହାଦୁର୍ନୀତି ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଆଉ ଲେମନ ଗ୍ରାସ ତେଲ ପ୍ରକଳ୍ପ ଥରେ ଦୁଇ ଥର ଚାଲି ଅଚଳ ପଡିଛି ବୋଲି ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ଆଦିବାସୀଙ୍କ ଜୀବିକା ନାମରେ ହରିଲୁଟ ହୋଇଥିବା ନେଇ ଅଭିଯୋଗ ହୋଇଥିବା ବେଳେ ଜିଲ୍ଲାର ଅନ୍ୟ ସ୍ଥାନ ମାନଙ୍କରେ ଏହି ଲେମନ ଗ୍ରାସ ଚାଷ ବାବଦକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହା କେବଳ କାଗଜ କଲମରେ ଚାଷ ହୋଇ ବହୁ ଅର୍ଥ ରହିଲୁଟ ହୋଇଛି ।
ଗତ ୨ବର୍ଷରେ କେବଳ କର୍ତ୍ତନପାଲ୍ଲୀ ପଞ୍ଚାୟତରେ ୩୨ଟି ଲେମନ ଗ୍ରାସ ପ୍ରକଳ୍ପ ହାତକୁ ନିଆ ଯାଇଛି ଏବଂ ତାହା ଚାଲୁ ମଧ୍ୟ ରହିଛି। ତେବେ କର୍ତନପାଲ୍ଲୀ ପଞ୍ଚାୟତରେ ପ୍ରାୟ ୬ଟି ଅଧପନ୍ତରିଆ ପ୍ରକଳ୍ପ ପରେ ଆଦୌ ଲେମନଗ୍ରାସ ଚାଷ ହୋଇ ନଥିବା ଜଣାପଡ଼ିଛି। ଗତ ୨ବର୍ଷରେ ମାଥିଲି, ଖଇରପୁଟ ଓ ଚିତ୍ରକୋଣ୍ଡା ବ୍ଲକରେ ୨୬ କୋଟି ୮୯ଲକ୍ଷ ୨୨ ହଜାର ଟଙ୍କା ବିନିମୟରେ ୨୯୮ଟି ପ୍ରକଳ୍ପ କାମ ହାତକୁ ନିଆଯାଇ ଥିବା ବେଳେ ସମସ୍ତ ଛୋଟ ବଡ ପ୍ରକଳ୍ପକୁ ମିଶାଇ, ବର୍ତ୍ତମାନ ଯାଏ ୩୧୧୨ଟି ପ୍ରକଳ୍ପ ବାବଦକୁ ୬୨.୦୯ କୋଟି ଟଙ୍କା ଆଇଟିଡିଏ ଓ ଓଟିଏଲପି ଖର୍ଚ୍ଚ କରିଥିବା ଜଣା ପଡିଛି।ତେବେ ଏହି ଦୁର୍ନୀତି
ସଂପର୍କରେ ଉଚ୍ଚସ୍ତରୀୟ ତଦନ୍ତ କଲେ ବାସ୍ତବ ସତ୍ୟାସତ୍ୟ ଲୋକ ଲୋଚନକୁ ଆସିବ ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)