ଲାଞ୍ଚ ନେଇ ଗିରଫ ହେଲେ ମଙ୍ଗଳ ସମ୍ପ୍ରସାରଣ ବିଭାଗର ଡାଟା ଏଣ୍ଟ୍ରି ଅପରେଟର ।

0 257

ସିମୁଳିଆ,୨୨/୦୯: ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡି ଗିରଫ ହେଲେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ବିଭାଗର ଡ଼ାଟା ଏଣ୍ଟ୍ରି ଅପରେଟର । ସୂଚନାରୁ ପ୍ରକାଶ ଭଦ୍ରକ ଜିଲ୍ଲା ତିହିଡି ଅଞ୍ଚଳର ନରେଶ ମୁଦୁଲି,ସିମୁଳିଆ ଥାନା ଅନ୍ତର୍ଗତ ଅଣ୍ଡରାଇ ପଞ୍ଚାୟୟତର ଅଣ୍ଡରାଇ ଗ୍ରାମର ବିଦ୍ୟାଧର ଜେନାଙ୍କ ଝିଅ ସଂଗୀତା ଜେନାଙ୍କୁ ଚଳିତ ବର୍ଷ ଅଗଷ୍ଟ ୩୦ ତାରିଖରେ ଭିନ୍ନ ଜାତିରେ ବିବାହ କରିଥିଲେ । ସରକାରଙ୍କ ପକ୍ଷରୁ ଭିନ୍ନ ଜାତି ବିବାହ ଲାଗି ଉଦ୍ଧିଷ୍ଟ ପ୍ରୋତ୍ସାହନ ରାଶି ପାଇଁ ସିମୁଳିଆ ବ୍ଲକ କାର୍ଯ୍ୟାଳୟରେ ନରେଶ ଆବେଦନ କରିଥିଲେ । ପ୍ରୋତ୍ସାହନ ରାଶି ବିଲ ପାସ କରାଇବା ନିମନ୍ତେ ନରେଶ ବାରମ୍ବାର କାର୍ଯ୍ୟାଳୟକୁ ଆସି ଫେରିବା ପରେ ମଙ୍ଗଳ ସମ୍ପ୍ରସାରଣ ବିଭାଗର ଡ଼ାଟା ଏଣ୍ଟ୍ରି ଅପରେଟର ବିଶ୍ବରଞ୍ଜନ ପ୍ରଧାନ ଚୁକ୍ତି ମୁତାବକ ୫ହଜାର ଟଙ୍କା ଲାଞ୍ଚ ନ ଦେଲେ ଉଦ୍ଧିଷ୍ଟ ପ୍ରୋତ୍ସାହନ ରାଶି ବିଲ ପାସ କରିବାକୁ ମନା କରି ଦେଇଥିଲେ । ଏ ସଂକ୍ରାନ୍ତରେ ନରେଶ ବାଲେଶ୍ୱର ଭିଜିଲାନ୍ସ ଆରକ୍ଷୀ ଅଧିକ୍ଷକଙ୍କୁ ଅବଗତ କରାଇଥିଲେ । ପୂର୍ବ ଯୋଜନା ମୁତାବକ ବାଲେଶ୍ୱର ଭିଜିଲାନ୍ସ ଅଧିକ୍ଷଙ୍କ ନିର୍ଦ୍ଦେଶକ୍ରମେ ବାଲେଶ୍ୱର ଓ ଭଦ୍ରକ ଭିଜିଲାନ୍ସ ପୃଥକ ପୃଥକ ଛଅ ଜଣିଆ ଟିମ ମିଳିତ ଭାବେ ସିମୁଳିଆ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ବିଶ୍ବରଞ୍ଜନ ନରେଶ ନିକଟରୁ 5ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଅତର୍କିତ ଚଡ଼ାଉ କରିଥିଲେ । ଭିଜିଲାନ୍ସ ଟିମ ଟେବୁଲ ଉପରୁ5ହଜାର ଟଙ୍କା ଜବତ କରିବା ସହିତ ଅଭିଯୁକ୍ତ ବିଶ୍ବରଞ୍ଜନକୁ ଗିରଫ କରି ବାଲେଶ୍ୱର ନେଇ ଯାଇଥିଲେ । ଭିଜିଲାନ୍ସ ଅଧିକାରୀ ମାନେ ସିମୁଳିଆ ଏବିଡ଼ିଓଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଏହି ଚଡାଉରେ ବାଲେଶ୍ୱର ଭିଜିଲାନ୍ସ ଇନ୍ସପେକ୍ଟର ରବୀନ୍ଦ୍ର ସାହୁ, ଜସ୍ମିତା ପୋଇ, ଭଦ୍ରକ ଭିଜିଲାନ୍ସ ଇନ୍ସପେକ୍ଟର ବଙ୍କିମ ଚନ୍ଦ୍ର ବହାଳି, ସବ ଇନ୍ସପେକ୍ଟର ଜ୍ଞ୍ୟାନ ପଲେଇ ସମେତ ୬ଜଣିଆ ଟିମ ସାମିଲ ଥିଲେ । ଉକ୍ତ ଘଟଣା ପାଇଁ ବ୍ଲକ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି ।

Leave A Reply

Your email address will not be published.