ବ୍ରହ୍ମପୁର,୧୦/୦୪(ପିପିଟି):ରେଶମ ସହର ମହୋତ୍ସବ ତା ସହିତ ସୁଭଦ୍ରା ଶକ୍ତି ଓ ଆତ୍ମନିର୍ଭର ଭାରତ ସ୍ବଦେଶୀ ମେଳାର ପଞ୍ଚମ ସନ୍ଧ୍ୟାରେ ଅତିଥି ଭାବେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ,ଜିଲ୍ଲାପାଳ ଗଞ୍ଜାମ ଭି କୀର୍ତ୍ତି ଶାସନ ,ବ୍ରହ୍ମପୁର ମହାନଗର ନିଗମର ଆୟୁକ୍ତ ଆକବରମ ସସ୍ଯ ରେଡ୍ଡୀ,ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଗଞ୍ଜାମ ସ୍ବଦେଶୀ ଜାଗରଣ ମଞ୍ଚର ଉପଦେଷ୍ଟା ଇଂ ସିମାଞ୍ଚଳ ଦାସ, ବିଡିଏ ସମ୍ପାଦକ ରମେଶ ହାଁସଦା, ବିଇଏମସି ଉପ ଆୟୁକ୍ତ କଲ୍ୟାଣୀ ସଂଘମିତ୍ରା ଏବଂ ବ୍ରହ୍ମପୁର ମହାନଗର ନିଗମର କର୍ପୋରେଟରମାନେ ଯୋଗ ଦେଇଥିଲେ ।
କଳା,ସଂସ୍କୃତିରେ ଗଞ୍ଜାମ ଜିଲ୍ଲା ପରିପୂର୍ଣ୍ଣ । ଏହାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ରେଶମ ମହୋତ୍ସବ ଏକ ପ୍ରକୃଷ୍ଟ ମଞ୍ଚ ସାବ୍ୟସ୍ତ ହୋଇଛି ବୋଲି ବିଧାୟକ ଶ୍ରୀ ସାମନ୍ତରା ପ୍ରକାଶ କରିଥିଲେ।
ସରକାରଙ୍କ ବିକଶିତ ଓଡିଶା ଓ ବିକଶିତ ଭାରତ ଲକ୍ଷ୍ୟ ପୂରଣରେ ଗଞ୍ଜାମ ଜିଲ୍ଲା ଏକ ନିର୍ଣ୍ଣାୟକ ଭୂମିକା ନିର୍ବାହ କରିବ। ସୁନାପୁର ପାଖରେ ଏକ ପୋର୍ଟ ନିର୍ମାଣ ପାଇଁ ସରକାର ପରିକଳ୍ପନା କରିଛନ୍ତି ଏହା ଦ୍ୱାରା ସ୍ଥାନୀୟ ଅଞ୍ଚଳ ଓ ଗଞ୍ଜାମ ଜିଲ୍ଲା ଆଶାତୀତ ଉନ୍ନତି ହେବ ବୋଲି ସେ ମଧ୍ୟ ପ୍ରକାଶ କରିଥିଲେ।
ବ୍ରହ୍ମପୁର ପାଟ ସ୍ୱତନ୍ତ୍ର। ପରବର୍ତ୍ତୀ ପିଢ଼ିଙ୍କୁ ବ୍ରହ୍ମପୁର ପାଟ ପ୍ରତି ଆକର୍ଷିତ କରିବାକୁ ହେଲେ ଏଥିରେ ଆଉ ନୂତନତ୍ୱ ଆଣିବା ସହିତ ଏହାର ଆହୁରି ଅଧିକ ପ୍ରଚାର ପ୍ରସାରର ଆବଶ୍ୟକତା ରହିଛି। ତା ସହିତ ସହରରେ ଏକ ପ୍ରଶିକ୍ଷଣ କେନ୍ଦ୍ରର ଆବଶ୍ୟକତା ରହିଛି ବୋଲି ମେୟର ଶ୍ରୀମତୀ ଦଳେଇ ଉଲ୍ଲେଖ କରିଥିଲେ।
ବ୍ରହ୍ମପୁର ସହରର ସାମଗ୍ରିକ ବିକାଶରେ ଉଲ୍ଲେଖନୀୟ ଅବଦାନ କରିଥିବା ବ୍ରହ୍ମପୁର ମହାନଗର ନିଗମର ସମସ୍ତ କର୍ପୋରେଟରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାସହିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ରଛାତ୍ରୀମାନଙ୍କୁ ଡେପୁଟି ମେୟର ଇଂ ବିବେକ ରେଡ୍ଡୀ ଓ ଅନ୍ୟ ଅତିଥିମାନେ ପୁରସ୍କୃତ କରିଥିଲେ ।
ସତ୍ଯଜିତ୍ ପ୍ରଧାନ ଏବଂ ସହଯୋଗୀଙ୍କ ସୁମଧୁର ସଂଗୀତରେ ଦର୍ଶକମାନେ ବିମୋହିତ ହୋଇଥିଲେ । ଶ୍ରୀ ନୃତ୍ଯ କଳାକେନ୍ଦ୍ର ଜଗନ୍ନାଥ ପ୍ରସାଦ ଦ୍ବାରା ଓଡିଶୀ ନୃତ୍ଯ,ଉତ୍କଳିକା କଳା ନିକେତନ ବ୍ରହ୍ମପୁର ଦ୍ବାରା ବନ୍ଦେ ଉତ୍କଳ ଜନନୀ,ଅୟାନୀ ଡ୍ଯାନ୍ସ ଏକାଡେମୀ ବ୍ରହ୍ମପୁର,ନିଷ୍ଟ ଡ୍ଯାନ୍ସ କ୍ଲବ୍, ଲଳିତ କଲଚରାଲ ଏକାଡେମୀ,ଶ୍ରୁତି ଡ୍ଯାନ୍ସ ଏକାଡେମୀ ଦ୍ବାରା ବିଭିନ୍ନ ନୃତ୍ଯ ପ୍ରଦର୍ଶନ,ସୋମାୟା ଡ୍ଯାନ୍ସ ଏକାଡେମୀ,ଛତ୍ରପୁର ଦ୍ବାରା ଆଧୁନିକ ନୃତ୍ଯ,ମା ଆଦିଶକ୍ତି ଢେମସା ଗୃପ୍ କୋରାପୁଟ ଦ୍ବାରା ଢେମସା ନୃତ୍ଯ ପରିବେଷଣ କରାଯାଇଥିଲା । ଦର୍ଶକମାନେ ଷ୍ଟଲ୍ ବୁଲିବା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ଆନନ୍ଦ ନେଇଥିଲେ ।
ନିକୁଞ୍ଜ ହୋତା ନିର୍ଦ୍ଦେଶିତ, ରାକେଶ କୁମାର ପାଢ଼ୀ ପ୍ରାୟୋଜିତ, ଅର୍ଲିନ ଅଙ୍କିତା, ଶୁଭ୍ରାଂଶୁ, ସୁଶାନ୍ତ ଅଭିନୀତ ଓଡ଼ିଆ ଚଳଚିତ୍ର “ମେହେରମୁଣ୍ଡା” ପ୍ରଦର୍ଶିତ ହୋଇଥିଲା।
ବିଡିଏ ସମ୍ପାଦକ ଶ୍ରୀ ହାଁସଦା ସ୍ୱାଗତ ଭାଷଣ ଦେଇଥିଲା ବେଳେ ଉପ ଆୟୁକ୍ତ ଶ୍ରୀମତୀ ସଂଘମିତ୍ରା ଧନ୍ୟବାଦ ଅର୍ପଣ କରିଥିଲେ।