ହରଭଙ୍ଗା,୦୧/୦୬: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ନିର୍ମାଣ ସମୟରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଆଡେଣିଗଡ ନିକଟରେ ସୁଡଙ୍ଗ ଭୁଶୁଡିବା ଘଟଣା ଲୋକଙ୍କ ମନରୁ ଏଯାଏଁ ଲିଭିନାହିଁ । ଏହାପରେ ବି ରେଲେଓ କତୃପକ୍ଷଙ୍କ ଚରମ ଅବହେଳା ଯୋଗୁଁ ହାଏ ଲେବୁଲ ବ୍ରିଜ ନିର୍ମାଣ ସମୟରେ ଶ୍ରମିକଙ୍କ ସୁରକ୍ଷାକୁ କିଭଳି ଅଣଦେଖା କରାଯାଉଛି ତାର ଆଉ ଏକ ବଡ ବ୍ୟତିକ୍ରମ ନଜରକୁ ଆସିଛି । ୨୦ରୁ୩୦ ମିଟର ଉଚ୍ଚତା ସମ୍ପନ୍ନ ବ୍ରିଜ ନିର୍ମାଣ ଚାଲିଥିବାବେଳେ ଶ୍ରମିକଙ୍କ ସୁରକ୍ଷା ପାଇଁ ସୁରକ୍ଷା ଜାଲି,ଲାଇଫ୍ ଲାଇନ ,ଲାଇଫ ଜ୍ୟାକେଟ, ଗ୍ଳୋବ୍ସ, ସେଫଟି ଷ୍ଟିଲ ବୁଟ ଭଳି ବିନା ସୁରକ୍ଷା ଏବଂ ନିରାପତା ଉପକରଣ ବ୍ୟବହାର କୁ ପଛରେ ପକାଇ ଶ୍ରମିକଙ୍କୁ କାମରେ ନିୟୋଜିତ କରାଯାଉଥିବା ଭଳି ର୍ଦୁଭାଗ୍ୟ ଚିତ୍ର ଦେଖିବାକୁ ମିଳିଛି ।ଯାହାଫଳରେ ଦୁର୍ଭାଗ୍ୟବଶତଃ କୌଣସି କାରଣରୁ ଯଦି ଦୁର୍ଘଟଣା ଘଟେ କାର୍ଯ୍ୟରତ ଶ୍ରମିକଙ୍କ ଜୀବନ ଚାଲିଯିବା ଯଥେଷ୍ଟ ଆଶଙ୍କା ରହିଛି । ଅନ୍ୟପଟେ ନିର୍ମାଣ କାର୍ଯ୍ୟ ତଦାରଖରେଥିବା ମୁଖ୍ୟ ଯନ୍ତ୍ରୀ,ଡେପୁଟି ଚିଫ୍ ଇଂଜିନିୟର ଏବଂ କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଏଥିପ୍ରତି ଆଦୌ ଦୃଷ୍ଟି ନପଡିବା ସେମାନଙ୍କ କାର୍ଯ୍ୟଦକ୍ଷତା ଏବଂ ପାରିବାପଣିଆକୁ ପଦାରେ ପକାଇଛି । ପ୍ରକାଶ ଯେ ପଶ୍ଚିମ ଓଡିଶାର ଲାଇଫ୍ଲାଇନ୍ କୁହାଯାଉଥିବା ଖୋର୍ଦ୍ଧା-ବଲାଙ୍ଗୀର ରେଳପ୍ରକଳ୍ପର ପ୍ୟାକେଜ୍ -୩ ଅର୍ନ୍ତଗତ ହରଭଙ୍ଗା ବ୍ଲକର ବଦଲା ଠାରୁ କଂରଜକଟା ମଧ୍ୟରେ ସମସ୍ତ ମେଜର ବ୍ରିିଜ ନିର୍ମାଣଧିନ ରହିଛି । ଚାରିଛକ- ହରଭଙ୍ଗା ପୂର୍ତବିଭାଗ ରାସ୍ତାକୁ ରେଳପଥ ଅତିକ୍ରମ କରୁଥିବାରୁ କଂରଜକଟା ନିକଟରେ ବର୍ତମାନ ସମୟରେ ସୁଦୀର୍ଘ ରେଲେଓ ହାଏଲେବୁଲ ବ୍ରିଜ ନିର୍ମାଣଧିନ ଚାଲିଛି ।ମାତ୍ର ହାଏଲବୁଲ ବ୍ରିଜ ନିର୍ମାଣ ସମୟରେ ଠିକାସଂସ୍ଥା ଶ୍ରମିକଙ୍କ ସୁରକ୍ଷାକୁ ପଛରେ ପକାଇ ବିନା ସେଫ୍ଟି ନେଟ ,ଲାଇଫ୍ ଲାଇନ୍ ଏବଂ ସେଫଟି ଜ୍ୟାକେଟରେ କାର୍ଯ୍ୟକରୁଥିବା ଭଳି ଅଭାବନୀୟ ଚିତ୍ର ଦେଖିବାକୁ ମିଳିଛି ।ଏଭଳି ଅସୁରକ୍ଷିତ ଭାବେ ଶ୍ରମିକ ଉଚ୍ଚତାସମ୍ପନ୍ନ ବ୍ରିଜ କାର୍ଯ୍ୟ କରୁଥିବାବେଳେ ଦାୟିତ୍ବରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଏବଂ ଡେପୁଟି ଚିଫ୍ ଇଂଜିନିୟରଙ୍କ ଆଦୌ ଦୃଷ୍ଟି ନପଡିବା ଘଟଣା ଠିକାସଂସ୍ଥା ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାକୁ ପଦାରେ ପକାଇଛି ।ତୁରନ୍ତ ଏ ଦିଗରେ ରେଳ ବିଭାଗ ସିଇଓ ଦୃଷ୍ଟି ଦେବା ସହ ଶ୍ରମିକ ସୁରକ୍ଷା ଦିଗରେ ଆବଶ୍ୟକୀୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବୀ ହେଉଛି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି ।
.