ରୂପର ପସରା ଧରିଛି ବୋଲି ମୁଁ
ରୂପସୀକୁ ଡାକେ ସୁନ୍ଦରୀ….
ଆପଣା ଛାଏଁ ମୋ ମନ ହରି ନେଇ
ସପନରେ ଆସେ ଥିରି ଥିରି…..!!
ନାଲି ନାଲି ତା’ର ଗୋଲାପି ଅଧରୁ
ଝରି ପଡେ ହସ ଖିଲି ଖିଲି….
ପୂନେଇ ଗଗନେ ମେଘ ଓଢ଼ଣୀରେ
ଚାନ୍ଦ ମୁହଁ ଦିଶେ ଝିଲି ମିଲି….!!
ଗୋରା ଗୋରା ଦେହ ସୁବର୍ଣ୍ଣ ବରଣ
କିଏ ଗଢିଅଛି କେଉଁ କାଳୁ….
ଢଳ ଢଳ ପାଦ ପଦ୍ମ ପାଖୁଡ଼ା
କମଳ ବିକଶେ ଚଳୁ ଚଳୁ….!!
ପ୍ରଲମ୍ବିତ ଘନ କୃଷ୍ଣ କବରୀ
ସୁଗନ୍ଧ ପୁଷ୍ପରେ ବିମଣ୍ଡିତ….
ଝିନ ବସନରେ ଆବୃତ୍ତ ତନୁଶ୍ରୀ
ଅଙ୍ଗେ ଅନଙ୍ଗ କି ଲାଞ୍ଛିତ….!!
ନୟନ ଯୁଗଳ ଶ୍ଯାମଳ ରଞ୍ଜିତ
ଚଞ୍ଚଳ ଚାହାଣି ପୂରିତ….
କୋଟି କନ୍ଦରପ ଦର୍ପ ଦଳନ
ବିରହ ବିଦଗ୍ଧ ସଂଯୁକ୍ତ…!!
ପୀରତି ପରସ ପାଇବାକୁ ଚିତ୍ତ
ଅହର୍ନିଶ ସ୍ମରେ ସୁନ୍ଦରୀ….
ଅପରୂପ ଏହି ମନର ମାନସୀ
ତୃପ୍ତି ହେବ କିଏ ପ୍ରୀତି କରି …!!
ସୁନ୍ଦରୀକୁ ପ୍ରାପ୍ତ ପାଇଁ ଏକୁ ଏକ
ମଧୁପଙ୍କ ଭିଡ ହ୍ରାସ ନାହିଁ….
ଭାଗ୍ଯ ବଳେ ସିନା ମିଳେ ରୂପବତୀ
ଅଭାଗା ବିଷାଦେ ମରୁ ଥାଇ….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ଫୋନ:୯୪୩୭୭୭୯୪୪୭