ସିମୁଳିଆ,୨୬/୦୯:ପିଲାମାନଙ୍କ ମଧ୍ୟରେ ଗଣିତ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାକ ପ୍ରତି ଆଗ୍ରହ ସୃଷ୍ଟି ନିମନ୍ତେ ଆଜି ବିଜୁ ପଟ୍ଟନାୟକ କ୍ରୀଡାଙ୍ଗନ କକ୍ଷ ପରିସରରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନର ବ୍ଳକ ସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ପ୍ରତିନିଧି ଯୁବନେତା ଡ଼.ଅଣୁମାଧବ ପଣ୍ଡା ଯୋଗଦେଇ ଜଗନ୍ନାଥ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । ବ୍ଳକ ଶିକ୍ଷାଧିକାରୀ ପ୍ରକାଶ ଚନ୍ଦ୍ର ମହାଳିକଙ୍କ ସଭାପତିତ୍ୱରେ ସମ୍ମାନିତ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷ ବାବାଜୀ ଚରଣ ମଲ୍ଲିକ, ଅତିରିକ୍ତ ବ୍ଳକ ଶିକ୍ଷାଧିକାରୀ ଅଜୟ କୁମାର ପଣ୍ଡା, ବିଦ୍ୟାଧର ମହାଳିକ, ମାର୍କୋଣା ସି.ଆର.ସି.ସି ରତ୍ନାକର ବାରିକ ପ୍ରମୁଖ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ବ୍ଲକରୁ ୧୬୧ ବିଦ୍ୟାଳୟରୁ ଉପ-କନିଷ୍ଠ ରେ ୧୨୦ଜଣ,କନିଷ୍ଠ ବିଭାଗରୁ ୬୩ଜଣ ଏବଂ ବର୍ଗ ବିଭାଗରୁ ୮୦ଜଣ ସମୁଦାୟ ୨୬୩ଜଣ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ପ୍ରତି ବିଭାଗରୁ ତିନି ଜଣ କରି ୯ଜଣ ପ୍ରତିଯୋଗୀଙ୍କୁ କୁଇଜ ପୁସ୍ତିକା, ମାନପତ୍ର ଓ କପ ପ୍ରଦାନ କରାଯାଇଥିଲା । ବି.ଆର.ଟି ବିଶ୍ବମ୍ବର ପଣ୍ଡା ଓ ଈଶ୍ୱରପୁର ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବନମାଳୀ ନାୟକ ମଞ୍ଚ ପରିଚାଳନା କରିଥିଲେ । ସଭା ପ୍ରାରମ୍ଭରେ ରଘୁନାରାୟଣ ବିଦ୍ୟାଳୟର ଛାତ୍ରୀଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଶିକ୍ଷାଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପୂର୍ଣ୍ଣ ସହଯୋଗ କରିଥିଲେ ।