ପୋଲସରା,୧୨୵୦୯(ପିପିଟି): ସ୍ଥାନୀୟ ଜଗନ୍ନାଥ ସାହି ସଭାଗୃହରେ ଦିବଂଗତ ମନ୍ତ୍ରୀ ଶ୍ରୀ ରାମକୃଷ୍ଣ ପଟ୍ଟନାୟକଙ୍କ ଅନୁଗାମୀ ମାନଙ୍କ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନେତା ତଥା ପୂର୍ବତନ ସରପଞ୍ଚ କାମଦେବ ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସ୍ଥାନୀୟ ବିଜେପି ନେତା କିଛି କର୍ମୀଙ୍କୁ ଅଣଦେଖା କରୁଥିବାରୁ କ୍ଷୋଭ ପ୍ରକାଶ ପାଇଥିଲା । ନେତାଙ୍କ ଏ ପ୍ରକାର ମାନସିକତାରେ ପରିବର୍ତନ ନହେଲେ ଆଗାମୀ ଦିନରେ ତାଙ୍କୁ ଦୃଢ ବିରୋଧ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ନେତାମାନଙ୍କ ଅଣଦେଖାକୁ ଖାତିର ନକରି ପ୍ରତ୍ୟେକ କର୍ମୀ ନିଜନିଜ ଅଞ୍ଚଳରେ ସଂଗଠନକୁ ସୁଦୃଢ କରି ନିଜ ଆୟତରେ ରଖିବାକୁ ମତପ୍ରକାଶ ପାଇଥିଲା ।ସୂଚନାଯୋଗ୍ୟ ଯେ ଦୀର୍ଘ ଦିନରୁ ସ୍ଥାନୀୟ ବିଜେପି ର ଶୀର୍ଷ ନେତାମାନେ ଉଦ୍ଦେଶ୍ୟମୂଳକ ଭାବରେ କିଛି ସାମର୍ଥ୍ୟବାନ କର୍ମୀଙ୍କୁ ଅଣଦେଖା କରୁଥିବାର ଅଭିଯୋଗ ହୋଇଆସୁଛି । ଦଳୀୟ ବିଚାରଧାରାକୁ ଆଧାର ନକରି ବ୍ୟକ୍ତିଗତ ବିଚାରଧାରା ଆଧାରରେ ସଂଗଠନକୁ ତିଆରିକରାଯାଉଥିବା ଅଭିଯୋଗ ହେଉଛି । ଏହିସବୁ କାରଣ ଯୋଗୁଁ ପୋଲସରାରେ ଦଳର ଗ୍ରହଣୀୟତା ଥିବାସତ୍ତ୍ୱେ ଦଳ ପଞ୍ଚାୟତ ଏବଂ ପୌର ନିର୍ବାଚନରେ ବିଫଳ ହୋଇଛି ।ତେଣୁ ଏଠାରେ ବିଜେପିକୁ ନେତା କୈନ୍ଦ୍ରିକ ନକରି ସଂଗଠନ କୈନ୍ଦ୍ରିକ କରିବାପାଇଁ ନିଷ୍ପତ୍ତି ହୋଇଥିଲା ।
ଆଲୋଚନାରେ ପୂର୍ବତନ ସରପଞ୍ଚ ରୋହିତ ପ୍ରଧାନ, ଗୋରାଚାନ୍ଦ ସାହୁ, କାଳୁଚରଣ ପ୍ରଧାନ, କାଶୀନାଥ ସାହୁ,ଦାମୋଦର ସ୍ୱାଇଁ,ମହାଦେବ ଗୌଡ଼, ଶରତ ନାୟକ, କୃଷ୍ଣଚରଣ ପଟ୍ଟନାୟକ, ବିପ୍ରଚରଣ ସାହୁ, ବାପୁଜୀ ପାତ୍ର,ଶରତ ପାଣିଗ୍ରାହୀ,ପୂର୍ବତନ ସମିତିସଭ୍ୟ ପ୍ରଫୁଲ୍ଲ ପଣ୍ଡା, ସମିତିସଭ୍ୟ ତପନ ସାହାଣୀ, ମଣ୍ଡଳ ସଭାପତି ରଘୁନାଥ ପଣ୍ଡା, ମହେଶ୍ୱର ପରିଡା,ବରିଷ୍ଠ ନେତା ପ୍ରଭାକର ପାଣିଗ୍ରାହୀ, କାଳୁଚରଣ ସାହୁ,କାଁହୁ ଚରଣ ସାହୁ,ବାବୁଲା ଜେନା, ଗନ୍ତେଇ ସ୍ୱାଇଁ,ଶଶାଙ୍କ ପାତ୍ର,ବଳରାମ ପ୍ରଧାନ, ଭାସ୍କର ପ୍ରଧାନ, ସନ୍ତୋଷ ମଳିକ,ପର୍ଶୁରାମ ପ୍ରଧାନ, ବାଟୁ ସାହୁ,ଟୁନା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଆଲୋଚନା ଆରମ୍ଭରେ ସ୍ବର୍ଗତ ରାମକୃଷ୍ଣ ପଟ୍ଟନାୟକଙ୍କ ପାଇଁ ଏକ ମିନଟ ନିରବ ପ୍ରାଥନାକରାଯାଇଥିଲା ।
ରିପୋର୍ଟ-ସନ୍ତୋଷ କୁମାର ପଣ୍ଡା