ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ; ନୂତନ ପ୍ରଶିକ୍ଷାର୍ଥୀ ନିବାସ, ତାଲିମ ଗୃହ ଉଦ୍‍ଘାଟିତ ।

0 251

ଭୁବନେଶ୍ୱର,୧୯/୦୪:ସମୃଦ୍ଧ ଓଡିଶା ଗଠନ ପାଇଁ ଓଡିଶାକୁ କୁପୋଷଣ ମୁକ୍ତ କରିବା ଆମର ପ୍ରାଥମିକତା । ଏଥିପାଇଁ ଅନେକ ଫଳପ୍ରଦ ଯୋଜନା କରାଯାଇଛି । ତେବେ ଏହାର ସଫଳତା ପାଇଁ ସାମୁହିକ ସଚେତନତା ଖୁବ୍ ଜରୁରୀ । ଆଜି ସ୍ଥାନୀୟ ମହିଳା ଓ ଶିଶୁ ପ୍ରତିଷ୍ଠାନରେ ଆୟୋଜିତ ରାଜ୍ୟ ସ୍ତରୀୟ ପୋଷଣ ପକ୍ଷ-୨୦୨୫ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୋଷଣ ଅଭିଯାନକୁ ସଫଳ କରି ସୁସ୍ଥ ମାନବ ସମ୍ବଳ ତିଆରି କରିବାକୁ ଆହ୍ୱାନ ଦେଇଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରର ଲକ୍ଷ୍ମୀସାଗର-ଝାରପଡା ସ୍ଥିତ ରାଜ୍ୟ ମହିଳା ଓ ଶିଶୁ ପ୍ରତିଷ୍ଠାନ ସଂସ୍ଥାରେ ୮୪ ଶଯ୍ୟା ବିଶିଷ୍ଟ ଏକ ନୂତନ ହଷ୍ଟେଲ ଉଦ୍‌ଘାଟନ କରିବା ସହିତ ଏକ ଲାଇବ୍ରେରୀ ହଲ ଏବଂ ଅଙ୍ଗନବାଡି ଟ୍ରେନିଙ୍ଗ୍ ସେଣ୍ଟର ମଧ୍ୟ ଶୁଭ ଉଦ୍‌ଘାଟନ କରିଛନ୍ତି।

ରାଜ୍ୟରେ ପୂଜ୍ୟପୂଜା ପରମ୍ପରାକୁ ଆଗେଇ ନେଇ ମୁଖ୍ୟମନ୍ତ୍ରୀ ଏହି ପ୍ରତିଷ୍ଠାନର ୮ଟି ବିଲ୍‌ଡିଙ୍ଗକୁ ଓଡିଶାର ମହିୟସୀ ମହିଳାଙ୍କ ନାମରେ ନାମିତ କରିବା ପାଇଁ ଘୋଷଣା କରିବା ସହିତ ପ୍ରତିଷ୍ଠାନର କନଫରେନସ୍ ହଲ୍‌କୁ ରମାଦେବୀ ସମ୍ମିଳନୀ କକ୍ଷ ନାମରେ ନାମିତ କରି ଏହାର ପରିଧିକୁ ବୃଦ୍ଧି କରିବା ପାଇଁ ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଥାଉ କି, ଏହି ପ୍ରତିଷ୍ଠାନର ଅଡିଟୋରିଅମ୍‌ ହଲ୍‌କୁ ସରଳା ଦେବୀ ପ୍ରେକ୍ଷାଳୟ, ଲାଇବ୍ରେରୀ ହଲ୍‌କୁ କମଳା ପୂଜାରୀ ଗ୍ରନ୍ଥାଗାର, ଅଙ୍ଗନୱାଡି ଟ୍ରେନିଙ୍ଗ ସେଣ୍ଟରକୁ ଶୈଳବାଳା ଦାସ ପ୍ରଶିକ୍ଷଣ କକ୍ଷ, ନୂଆ ହଷ୍ଟେଲକୁ ମାଳତୀ ଚୌଧୁରୀ ନିବାସ, ଅଙ୍ଗନୱାଡି କର୍ମୀ ହଷ୍ଟେଲକୁ ବାଙ୍ଗରା ଦେବୀ ନିବାସ ଏବଂ ଗେଷ୍ଟ ହାଉସ୍‌କୁ ଗୁରୁବାରୀ ଜାନୀ ଅତିଥି ଭବନ ନାମରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏକ ସୁସ୍ଥ ଶିଶୁ ହିଁ ଉତ୍ତମ ଛାତ୍ର ହୋଇପାରିବ ଓ ଭବିଷ୍ୟତରେ ଏକ ଆଦର୍ଶ ନାଗରିକ ହୋଇପାରିବ। ସୁସ୍ଥ ଶିଶୁ, ସୁସ୍ଥ ଭବିଷ୍ୟତର ପ୍ରତୀକ । ପୋଷଣ ପକ୍ଷ ପାଳନ ସମୟରେ ଶିଶୁ ଜୀବନର ପ୍ରଥମ ଏକ ହଜାର ଦିନ ମଧ୍ୟରେ ପୋଷଣର ଗୁରୁତ୍ୱ ବିଷୟରେ ସଚେତନତା ବୃଦ୍ଧି କରିବା ପାଇଁ ପ୍ରୟାସ କରାଯାଉଛି । ଶୈଶବରେ ଉପଯୁକ୍ତ ପୋଷଣ ପାଇଲେ ଶିଶୁର ସ୍ୱାସ୍ଥ୍ୟ ଉନ୍ନତ ହେବା ସହିତ ତା’ର ସାମଗ୍ରିକ ବିକାଶ ସମ୍ଭବ ହୋଇପାରିବ।

ପୋଷଣ ଉପରେ ଆମର ନୂଆ ସରକାର ଅଧିକ ଫୋକସ୍ ରଖି କାମ କରିବା ଆରମ୍ଭ କରିଛନ୍ତି। ୧୦୦ କୋଟି ଟଙ୍କା ଅନୁଦାନରେ ‘ଓଡିଶା ପୁଷ୍ଟି ମିଶନ’ ମଧ୍ୟ ପ୍ରତିଷ୍ଠା କରାଯିବ। ପୋଷଣ ଅଭିଯାନରେ ମହିଳା ଓ ଶିଶୁ ମାନଙ୍କୁ ପୁଷ୍ଟିକର ଖାଦ୍ୟ ଦେବାପାଇଁ ଚଳିତ ବର୍ଷ ବଜେଟ୍‌ରେ ୨୮୪ କୋଟି ଟଙ୍କା ବରାଦ କରାଯାଇଛି। ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାରେ ଦୁଇଟି କନ୍ୟା ସନ୍ତାନ ପାଇଁ ସହାୟତା ରାଶିକୁ ୧୦ହଜାର ଟଙ୍କାରୁ ୧୨ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି। ଏହି ସବୁ ପଦକ୍ଷେପ ଓଡିଶାର ପିଲାମାନଙ୍କର ପୋଷଣରେ ଉନ୍ନତି ଆଣିବ। ଯେହେତୁ ଏକ ସମୃଦ୍ଧ ଓଡିଶା ଗଠନ ଆମର ଲକ୍ଷ୍ୟ ତେଣୁ, ଆମ ଓଡିଶାକୁ ସୁ-ପୋଷିତ କରିବା ଆମର ପ୍ରାଥମିକତା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଅଙ୍ଗନୱାଡି କର୍ମୀ ଓ ସୁପରଭାଇଜର ମାନଙ୍କୁ ସମ୍ବୋଧନ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣ ମାନେ ପିଲାମାନଙ୍କ ପୋଷଣ ଦାୟିତ୍ୱ ସହିତ ସେମାନଙ୍କୁ ପ୍ରାରମ୍ଭିକ ମୌଳିକ ଶିକ୍ଷା ବି ଦେଉଛନ୍ତି। ଆପଣ ମାନେ ହେଉଛନ୍ତି ପିଲାଙ୍କ ପାଇଁ ଦ୍ୱିତୀୟ ମା’ । ଆମ ଦେଶରୁ କୁପୋଷଣ ଦୂର କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୨୦୧୮ ମସିହାରୁ ପିଏମ୍ ପୋଷଣ ଯୋଜନା ଆରମ୍ଭ କରିଛନ୍ତି। ଏଥିରେ ଗର୍ଭବତୀ ଓ ପ୍ରସୂତି ମହିଳା, କିଶୋରୀ ଓ ଛ ବର୍ଷରୁ କମ୍ ବର୍ଷର ଶିଶୁ ମାନଙ୍କ ପୋଷଣ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ, ପୋଷଣ ପକ୍ଷ ସମୟରେ ଜନ ଆନ୍ଦୋଳନର ସମୂହ ସଚେତନତା କେବଳ ଏହି ବିଭାଗରେ ନୁହେଁ, ଏହାର ସଫଳ ରୂପାୟନ ପାଇଁ ସମସ୍ତ ସହଭାଗୀ ବିଭାଗ, ଯେପରିକି ପଞ୍ଚାୟତିରାଜ ଓ ପାନୀୟ ଜଳ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ, କୃଷି ଓ କୃଷକ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି ବିକାଶ, ସଂଖ୍ୟାଲଘୁ ଏବଂ ପଛୁଆ ବର୍ଗ କଲ୍ୟାଣ, ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ, ମିଶନ ଶକ୍ତି ପ୍ରମୁଖ ବିଭାଗର ସହଯୋଗ ଓ ସମନ୍ଵୟ ଅଧିକ ହେବା ଜରୁରୀ। ସମସ୍ତ ଯୋଜନାର ସଫଳତା ପାଇଁ ‘Whole of Government Approach’ ବହୁତ୍ ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ ଯେ, ପିଲାମାନଙ୍କ ପୁଷ୍ଟିହୀନତା ଦୂର କରିବା ପାଇଁ ପୋଷଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏହି ଅଭିଯାନର ଅଂଶ ସ୍ୱରୂପ ପ୍ରତି ବର୍ଷ ମାର୍ଚ୍ଚ-ଏପ୍ରିଲ ମାସରେ ୧୫ ଦିନ ଧରି ପୋଷଣ ପକ୍ଷ ପାଳନ କରାଯାଏ । ଚଳିତ ବର୍ଷ ଅଙ୍ଗନୱାଡି ଠାରୁ ଆରମ୍ଭ କରି ଜାତୀୟସ୍ତର ପର୍ଯ୍ୟନ୍ତ ଏପ୍ରିଲ ୮ ରୁ ୨୨ ତାରିଖ ପର୍ଯ୍ୟନ୍ତ ପୋଷଣ ପକ୍ଷ ପାଳନ କରାଯାଉଛି।

ଉପ-ମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଭାତୀ ପରିଡା କହିଥିଲେ ଯେ, ନିଜେ ନିଜର ପୋଷକତତ୍ତ୍ୱକୁ ଠିକ୍ ରଖିବା ସହିତ ସମାଜ ପାଖରେ ପହଞ୍ଚାଇ ପାରିଲେ ଏକ ସୁସ୍ଥ ଓ ବିକଶିତ ଓଡିଶା ଆମେ ଗଠନ କରି ପାରିବା। ସେ କହିଥିଲେ, ଓଡିଶା ଆଜି ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ସମ୍ପନ୍ନ ରାଜ୍ୟରେ ପରିଣତ ହୋଇଛି। ତୃଣମୂଳ ସ୍ତରରେ ଆମର ସମସ୍ତ କାର୍ଯ୍ୟ ଆତ୍ମୀୟତାର ସହ କରୁଥିବା ସମସ୍ତ ଅଙ୍ଗନୱାଡି କେନ୍ଦ୍ରକୁ ସୁଦୃଢ ଓ ସକ୍ଷମ କରିବୁ। ଜିଲ୍ଲା ସ୍ତରରେ କାମ କରୁଥିବା କର୍ମୀ ମାନଙ୍କୁ ଆହ୍ୱାନ ଦେଇ ସେ କହିଲେ ଯେ, ଆପଣ ମାନେ ସରକାରଙ୍କ କାମ ଗ୍ରାମାଞ୍ଚଳରେ ସୁନ୍ଦର ଭାବେ ତୁଲାଉଛନ୍ତି। ଆପଣଙ୍କ ପାଖରେ ରହୁଥିବା ସମସ୍ୟାକୁ ସରକାରଙ୍କ ଦୃଷ୍ଟିକୁ ଆଣନ୍ତୁ,ସମାଧାନ କରାଯିବ।

ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କହିଥିଲେ ଯେ ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ସୂଚକାଙ୍କରେ ଉନ୍ନତି ନଆସିଲେ ଦାରିଦ୍ର୍ୟ ହ୍ରାସ ହେବନାହିଁ । ୨୦୩୬ ସମୃଦ୍ଧ ଓଡିଶା ଗଠନ ବେଳକୁ ଶୂନ ପ୍ରତିଶତ କୁପୋଷଣ ଆମର ଲକ୍ଷ୍ୟ ରହିଛି।

ପୋଷଣ ପକ୍ଷ ପାଳନ ଅବସରରେ ଏ କ୍ଷେତ୍ରରେ ଉତ୍କର୍ଷ ହାସଲ କରିଥିବା ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ପୁରୀ, କେନ୍ଦ୍ରାପଡା ଓ ଭଦ୍ରକଙ୍କୁ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ପ୍ରଥମ,ଦ୍ୱିତୀୟ ଓ ତୃତୀୟ ପୁରସ୍କାର ପ୍ରଦାନ କରିଥିଲେ ଏବଂ କେନ୍ଦୁଝର ଓ ବଲାଙ୍ଗୀରର ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ କୋରାପୁଟ ଓ ମାଲକାନଗିରିର ସିଡିପିଓ ସେମାନଙ୍କର ଅନୁଭୂତି ଓ ଅଭିଜ୍ଞତା ବର୍ଣ୍ଣନା କରିଥିଲେ ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ICDS ନିର୍ଦ୍ଦେଶିକା ମୋନୀଷା ବାନାର୍ଜୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲା ସ୍ତରରେ ଅଙ୍ଗନୱାଡି କର୍ମୀ ଓ ଅଧିକାରୀ ମାନେ ଏହି କାର୍ଯ୍ୟକ୍ରମରେ ଆଭାସୀ ମାଧ୍ୟମରେ ଯୋଡିହୋଇ ରହିଥିଲେ।

Leave A Reply

Your email address will not be published.