ନୀଳଗିରି,୧୦/୧୦: ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ରଙ୍କୁ ରାଜ୍ୟ ପଲିସି ପ୍ଲାନିଂ ବଡ଼ିର ସଦସ୍ୟଭାବେ ନିଯୁକ୍ତ କରାଯାଇଛି । ବାଚସ୍ପତିଙ୍କ ନିର୍ଦ୍ଦେଶ ଅନୁଯାଇ ସଚିବାଳୟ ପତ୍ରସଂଖ୍ୟା ୫୮୨୩/ଏଲ.ଏମୂଳେ ଓଏସଡି ସଚିବ ଦାଶରଥୀ ଶତପଥୀ ଏନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମୁଖ୍ୟସଚିବଙ୍କୁ ଅବଗତ କରାଇଛନ୍ତି । ରାଜ୍ୟରେ ଥିବା ଏହି ବିଭାଗର ବିଭିନ୍ନ ଶିକ୍ଷାନୁଷ୍ଠାନର ଶିକ୍ଷାର ମାନ ବଢ଼ାଇବା, ପିଲାଙ୍କ ଏହି ଶିକ୍ଷାକୁ ଅଧିକ ଗୁରୁତ୍ୱ ଦେବା ଏବଂ ଉକ୍ତ ବିଭାଗରେ ରହିଥିବା ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ କରାଯାଇ ଏହାର ପ୍ରଚାର ପ୍ରସାର ଦିଗରେ ସନ୍ତୋଷ ଓ ଉପାସନାଙ୍କ ଗୁରୁଦାୟିତ୍ୱ ରହିଥିବା କୁହାଯାଉଛି । ସେହିପରି ବୈଷୟିକ ଶିକ୍ଷାକୁ ସଂଯୋଗୀକରଣ କରୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନର ଉନ୍ନତି ଏବଂ ଶିକ୍ଷାର ବିକାଶ ସକାଶେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କ ତରଫରୁ ଉଦ୍ୟମ ଆରମ୍ଭ କରାଯାଇଛି । ସମ୍ପ୍ରତି ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପଢ଼ି ପିଲାମାନେ କିଭଳି ରାଜ୍ୟର ଗାରିମାକୁ ଆହୁରି ଆଗକୁ ନେବେ, ସେଥିପ୍ରତି ଯଥେଷ୍ଟ ଦୃଷ୍ଟି ଦେବେ ବୋଲି ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ କହିଛନ୍ତି ।